ରାଜ୍ୟସଭା ସାଂସଦ ମମତାଙ୍କ ବହଳଦା ଓ ତିରିଂ ବ୍ଲକର ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ବାଳ):କୋବିଡ-୧୯ ଭୂତାଣୁ ସଂକ୍ରମଣ ପାଇଁ ସାରା ମାନବ ସମାଜ ଛଟପଟ । ଏହାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ତୃତୀୟ ଥର ପାଇଁ ଲକ୍ ଡାଉନ୍ ଜାରି ରଖିଛନ୍ତି । ଲକ୍ ଡାଉନ୍ ଯୋଗୁଁ ଓଡ଼ିଶାର ୧୫ଲକ୍ଷରୁ ଉର୍ଦ୍ଧ୍ବ ଦାଦନ, ଖଟିଖିଆ, ଶ୍ରମିକ ଏବଂ ଅନ୍ୟ ବିଭାଗର କାମ କରୁଥିବା ଲୋକେ ବାହାର ରାଜ୍ୟରେ ରହି ନାନା ଦୁଃଖ ଯାତନା, ଭୋକ,ରୋଗରେ ଛଟପଟ ହେଉଛନ୍ତି । କଳକାରଖାନା ବନ୍ଦ । ହାତରେ କାମ ନାହିଁ କି ପଇସା ନାହିଁ ।ଏଣେ ସୁରାଟ, ମହାରାଷ୍ଟ୍ର, ଦିଲ୍ଲୀ, ହାଇଦ୍ରାବାଦ, ବାଙ୍ଗାଲୋରରେ ହାରାହାରି ୧୦ଲକ୍ଷ ରୁ ଉର୍ଦ୍ଧ୍ବ ଓଡ଼ିଆ ଶ୍ରମିକ କାମ କରୁଛନ୍ତି । ଦୁର୍ଭାଗ୍ୟ ସେହି ରାଜ୍ୟରେ ‘କରୋନା’ ର ପ୍ରକୋପ ବେଶି । ତେଣୁ ବହୁ ଶ୍ରମିକ କରୋନା ରେ ସଂକ୍ରମିତ ହୋଇଥିବା ଆଶା କରାଯାଉଛି । ଓଡ଼ିଶା ଆସିଲେ ଆମ ସରକାର ତରଫରୁ ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ଏବଂ ପୌରାଞ୍ଚଳରେ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ପ୍ରସ୍ତୁତ କରାଯାଇଛି । ସେଠାରେ ପ୍ରବାସୀଙ୍କ ୨୮ ଦିନ ରହିବା ପାଇଁ ଖାଦ୍ୟ, ଶୋଇବା, ବ୍ୟବସ୍ଥା କରାଯାଇଛି । ମୟୂରଭଂଜ ଜିଲ୍ଲାର ସିମାନ୍ତ ବହଳଦା ବ୍ଲକ ଓ ତିରିଂ ବ୍ଲକର ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନରେ ନବ ନିର୍ବାଚିତ ରାଜ୍ୟ ସଭା ସାଂସଦ ମମତା ମହାନ୍ତ , ମୟୂରଭଂଜ ସଦର ବିଜେଡି ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମ, ବହଳଦା ବିଡ଼ିଓ ମଧୁସୂଦନ ନାୟକ ଏବଂ ଅନ୍ୟ ସରକାରୀ କର୍ମଚାରୀ ପ୍ରମୁଖ ଝାଡଗାଁ ଆଦର୍ଶ ସ୍କୁଲ,ତିରିଂ ସରକାରୀ ସ୍କୁଲ,ସାନଭୁଣ୍ଡୁ ଆଶ୍ରମ ସ୍କୁଲରେ ହୋଇଥିବା ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିବା ସହ ପଞ୍ଚାୟତର ହୋଇଥିବା ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ ।ତଦସହ ବିଭାଗୀୟ ଅଧିକାରୀଙ୍କ ସହ ପ୍ରବାସୀ ଶ୍ରମିକ ଆସିଲେ କିଭଳି ଭଲରେ ୨୮ ଦିନ ରହିବେ , କ’ଣ କ’ଣ ଆବଶ୍ୟକ ତାହା ଆଲୋଚନା କରିଥିଲେ ଏବଂ ଶିଘ୍ର ସମାଧାନ କରିବା ପାଇଁ ଯତ୍ନଶୀଳ ହେବା ପାଇଁ ପରାମର୍ଶ ଦେଇଥିଲେ । ରାଜ୍ୟ ସଭା ସାଂସଦଙ୍କ ସହ ତିରିଂ ବ୍ଳକ ଅଧ୍ୟକ୍ଷା ଜେମାମଣି ଶୁଣ୍ଢି, ବହଳଦା ବ୍ଲକ ଅଧ୍ୟକ୍ଷ ଦୁଖଙ ହେମ୍ବ୍ରମ, ପୂର୍ବତନ ତିରିଂବ୍ଲକ ଅଧ୍ୟକ୍ଷ ବାଣଜୁ ହେମ୍ବ୍ରମ,ଦୀପକ ମିଶ୍ର,ସଚିନ ଦାସ ଲାଲମୋହନ ବାରିକ ପ୍ରମୁଖ ସାମିଲ ହୋଇଥିଲେ ।


