ରାଜ୍ୟସ୍ତରୀୟ ଶିକ୍ଷକ କର୍ମଶାଳା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ ) : ଭୁବନେଶ୍ୱର ଖାରବେଳ ନଗରସ୍ଥିତ ସଂଗ୍ରାମ ଭବନ ପରିସରରେ ଓଡ଼ିଶା ପ୍ରାଥମିକ ବିଦ୍ୟାଳୟ ସଂଘ ଆନୁକୂଲ୍ୟରେ ଶିକ୍ଷା ଅଧିକାର ଆଇନ୍ ପରିସରରେ “ଶିକ୍ଷକଙ୍କ ସମସ୍ୟା ଓ ସମାଧାନ” ରାଜ୍ୟସ୍ତରୀୟ ଶିକ୍ଷକ କର୍ମଶାଳା ଆୟୋଜିତ ହୋଇଯାଇଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟଗୁଡ଼ିକରେ କାର୍ଯ୍ୟରତ ଶିକ୍ଷକମାନଙ୍କର ସମସ୍ୟାର ସମାଧାନ ଓ ଗୁଣାତ୍ମକ ଶିକ୍ଷା ପାଇଁ ସର୍ବଦା ପ୍ରଚେଷ୍ଟାରତ ଅଗ୍ରଣୀ ଶିକ୍ଷକ ସଂଗଠନ ଓଇଷ୍ଟା ତରଫରୁ ଏହି ଅଭିନବ ପ୍ରୟାସରେ ରାଜ୍ୟର ସମସ୍ତ ଜିଲ୍ଲାର ଶିକ୍ଷକ ନେତୃମଣ୍ଡଳୀ ଯୋଗଦାନ କରିଥିଲେ । ଶିକ୍ଷକ ନେତା ଶ୍ରୀଯୁକ୍ତ ସୁନୀଲ କୁମାର ପ୍ରଧାନ ଏହି କର୍ମଶାଳାରେ ଶିକ୍ଷକଙ୍କର ସମସ୍ୟା ୨୮୦୦ ଗ୍ରେଡ଼୍ ପେ ସମସ୍ତ ପ୍ରାଥମିକ ଶିକ୍ଷକଙ୍କୁ ଚାକିରୀ ଆରମ୍ଭରୁ ପ୍ରଦାନ କରାଯିବା ବିଷୟରେ ଆଲୋଚନା କରିଥିଲେ । ଶିକ୍ଷା ଅଧିକାର ଆଇନ୍ ଅନୁସାରେ ପ୍ରାଥମିକ ଶିକ୍ଷକଙ୍କ ଯୋଗ୍ୟତା +୨ ସିଟି କରାଯାଇଥିବା ବେଳେ ୨୮୦୦ ଗ୍ରେଡ଼୍ ପେ ଅନୁସାରେ ଦରମା ଦିଆନଯାଇ ସରକାର ଶିକ୍ଷକଙ୍କୁ ଠକି ଚାଲିଛନ୍ତି । ଏପର୍ଯ୍ୟନ୍ତ ମୂଳ ପଦବୀ ମାଟ୍ରିକ ସିଟିରୁ +୨ ସିଟିକୁ ଉନ୍ନତ କରାଯାଇନାହିଁ । ଦ୍ୱିତୀୟ ରାଜ୍ୟ ଭାବେ ଶିକ୍ଷା ଅଧିକାର ଆଇନ୍ ଓଡ଼ିଶାରେ ଲାଗୁ ହୋଇଥିବା ବେଳେ ଆଇନ୍ ଅନୁସାରେ ପଦବୀ ଓ ଦରମା ଲାଗୁ କରାଯାଉ ନାହିଁ । ଶିକ୍ଷା ଅଧିକାର ଆଇନ୍ ପରିସରକୁ ସରକାର ସର୍ବଦା ଶିକ୍ଷକମାନଙ୍କୁ ଅଣ ଶିକ୍ଷକ କାର୍ଯ୍ୟରେ ଲଗାଉଛନ୍ତି । ଏହାଦ୍ୱାରା ଗୁଣାତ୍ମକ ଶିକ୍ଷା ହ୍ରାସ ପାଉଛି । ୬ ବର୍ଷର ଶିକ୍ଷା ଅବଧିକୁ ମୂଳ ଚାକିରୀରେ ଯୋଗ କରାଯାଉ ନାହିଁ । ଶିକ୍ଷା ସହାୟକମାନେ ବିନା ଦରମା ବୃଦ୍ଧିର ସ୍ୱଳ୍ପ ଦରମାରେ ଓ ବିନା ସରକାରୀ ସୁବିଧାରେ କାର୍ଯ୍ୟ ପାଉଛନ୍ତି । ପୁରୁଣା ପେନ୍‌ସନ ଲାଗୁ କରିବାକୁ ସରକାର ଏଡ଼ାଇ ଚାଲିଛନ୍ତି । ୬ ବର୍ଷ ପୂରଣ କରିଥିବା ଶିକ୍ଷା ସହାୟକମାନଙ୍କୁ ସରକାର ଠିକ୍ ସମୟରେ ନିୟମିତ କରୁନାହାଁନ୍ତି । ନିର୍ଦ୍ଦିଷ୍ଟ ବର୍ଗର ୧୬ ହଜାରରୁ ଉଦ୍ଧ୍ୱର୍ ଶିକ୍ଷକଙ୍କୁ ବିନା ଓଟିଇଟିରେ ନିୟମିତ ଦରମା ଦେଉଥିବା ବେଳେ ହଜାର ହଜାର ଶିକ୍ଷା ସହାୟକ ଓ ଗଣଶିକ୍ଷକମାନଙ୍କୁ ବିନା ଓଟିଇଟିରେ ନିୟମିତ କରୁନାହାଁନ୍ତି । ଓଟିଇଟି ପରୀକ୍ଷାରେ ସର୍ବଦା ବିଭ୍ରାଟ ଲାଗି ରହିଛି । ବର୍ତ୍ତମାନ ସରକାର ତ୍ରୁଟିପୂର୍ଣ୍ଣ କ୍ୟାଡ଼ର ନିୟମକୁ ପ୍ରଚଳିତ କରିବାକୁ ଯାଉଥିବା ବେଳେ ୨୦୧୧ ପରେ ନିୟୋଜିତ ଶିକ୍ଷକମାନେ ୨୮୦୦ ଗ୍ରେଡ଼୍ ପେ ପାଇବାରୁ ବଞ୍ଚିତ ହେବେ । ଏହି ସମସ୍ୟା ଉପରେ ଉପସ୍ଥିତ ୩୦ ଜିଲ୍ଲାର ଶିକ୍ଷକ ନେତୃମଣ୍ଡଳୀ ଆଲୋଚନା ପୂର୍ବକ ସମାଧାନ ପାଇଁ ମତ ରଖିବା ସହ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲେ । କର୍ମଶାଳାରେ ଓଇଷ୍ଟାର ସଭାପତି ଯୁଧିଷ୍ଠିର ସାହୁ, ସମ୍ପାଦକ ଆରତ ଭଞ୍ଜନ ସାହୁ, ମହାସଚିବ ଜିତ୍ ରଞ୍ଜନ ମହାପାତ୍ର, ଗଣଶିକ୍ଷକ ସଂଘର ସଭାପତି ମହାଦେବ ସେଠୀ, ଅକ୍ଷୟ କୁମାର, ବାସୁଦେବ ପଟେଲ, ସର୍ବେଶ୍ୱର ଗୋଛି, ଲକ୍ଷ୍ମୀଧର ପୃଷ୍ଟି, ମୀନକେତନ ଡ଼ାଙ୍ଗ, ସଞ୍ଜୟ ବେହେରା, ଫାୟଜଉଦ୍ଦିନ ଖାନ, ଦ୍ୟବସିଂ ସୁବୁଦ୍ଧି, ଅଜିତ ସେନାପତି, ମନୋରଞ୍ଜନ ଧଳ, ସବିତା ବେହେରା, ସୁପାଲି ନାୟକ, ଝରଣା ନାୟକ, ଇନ୍ଦୁମଣି ସିଂ, ସୁରେଶ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ