ରାଜ୍ୟ କ୍ରୀଡା ଓ ଯୁବସେବା ମନ୍ତ୍ରୀ, ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀଙ୍କ କେନ୍ଦ୍ରାପଡା ଗସ୍ତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ରାଜ୍ୟ ଅଣୁ ବିଜ୍ଞାନ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା, କ୍ରୀଡା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତୀ ବେହେରା ଏବଂ ରାଜ୍ୟ ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଦୁଇ ଦିନିଆ କେନ୍ଦ୍ରାପଡା ଜିଲ୍ଲା ଗସ୍ତରେ ଆସି କ୍ରୀଡା ଓ ଜଳସମ୍ପଦ ବିଭାଗର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ତଦାରଖ କରିଛନ୍ତି । ପୂର୍ବାହ୍ନରେ ରାଜ୍ୟ ଅଣୁ ବିଜ୍ଞାନ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା, କ୍ରୀଡା ଓ ଯୁବସେବା ମନ୍ତ୍ରୀ ଶ୍ରୀ ବେହେରା କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କୁ ଦର୍ଶନ କରି ଜଂଟିଲୋ ଜଳସେଚନ ଡାକବଙ୍ଗଳାରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା,ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ, ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର, ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀଙ୍କ ସହ କେନ୍ଦ୍ରାପଡା ଜିଲ୍ଲାର କ୍ରୀଡା ଭିତ୍ତିଭୂମି ଉପରେ ସମୀକ୍ଷା କରିବା ସହ ଏହି ଜିଲ୍ଲାର ନାମ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ସଦା ସର୍ବଦା ବଜାୟ ରଖିବା ଦିଗରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ସମୀକ୍ଷା କରିଥିଲେ । ଜିଲ୍ଲାରେ ମିନୀ ଷ୍ଟାଡିୟମ ଗୁଡିକର ନିର୍ମାଣରେ ଅଗ୍ରଗତି, ନିର୍ମାଣାଧିନ ଥିବା ଷ୍ଟାଡିୟମ ଗୁଡିକର ଜମି ସମସ୍ୟା ଉପରେ ତୁରନ୍ତ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଉପରେ ଗୁରୁତ୍ୱାରୋପ କରିଥିଲେ । ସେହିପରି କୋଭିଡ -୧୯ କଟକଣା ଲାଗୁ ହେତୁ ବନ୍ଦ ରହିଥିବା ନିର୍ମାଣାଧିନ ପ୍ରକଳ୍ପ ଗୁଡିକୁ ତୁରନ୍ତ କୋଭିଡ କଟକଣା ପରେ ଶେଷ କରିବାକୁ ମନ୍ତ୍ରୀ ନିର୍ଦେଶ ଦେଇଥିଲେ । କେନ୍ଦ୍ରାପଡା ଜିଲ୍ଲାର କ୍ରୀଡା କ୍ଷେତ୍ରରେ ବେଶ ଖ୍ୟାତି ଥିବାରୁ ଏହି ଜିଲ୍ଲାକୁ କ୍ରୀଡା ହବ କରାଯାଇ ଜିଲ୍ଲାରୁ ଅଧିକରୁ ଅଧିକ କ୍ରୀଡାବୀତ ଯେପରି ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ସୁନାମ ଆଣିବେ ସେ ସମ୍ପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି ବୋଲି ମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଥିଲେ । ଅପରାହ୍ନରେ କ୍ରୀଡା ମନ୍ତ୍ରୀ ଶ୍ରୀ ବେହେରା ରାଜ୍ୟ ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀ ଦାସଙ୍କ ସହିତ କ୍ଷେତ୍ର ପରିଦର୍ଶନରେ ବାହାରି ପଟ୍ଟାମୁଣ୍ଡାଇ ପୈାରାଚଂଳ ଅଧିନ କଷଣଅଂଟା ଠାରେ ୨୫ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳରେ ନିର୍ମିତ ହେବାକୁ ଥିବା ମିନୀ ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଦ୍ୱୟଙ୍କ ସହ ରାଜନଗର ବିଧାୟକ ଶ୍ରୀ ସାହୁ,ଦଶପଲ୍ଲା ବିଧାୟକ ଶ୍ରୀ ବେହେରା, ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ଦାସ ଓ ରାଜେଶ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତାକାଲି ମନ୍ତ୍ରୀ ଦ୍ୱୟ ଭିତରକନିକା ଓ ଡାଙ୍ଗମାଳ ବୁଲି ଦେଖିବା ସହ ରାଜନଗର ନିର୍ବାଚନ ମଣ୍ଡଳୀର କ୍ରୀଡା ଭିତ୍ତିଭୂମୀର ଉନ୍ନୟନ ଓ ଜଳସମ୍ପଦ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ରାଜନଗର ଡାକବଙ୍ଗଳାରେ ବିଭାଗୀୟ ଅଧିକାରୀଙ୍କ ସହିତ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ