ରାଜ୍ୟ ସ୍କାଉଟ୍‌ସ୍ ଓ ଗାଇଡ଼୍‌ସ୍ ଶିବିର “ରେନ୍‌ବୋ”ର ଉଦ୍‌ଯାପନୀ ଉତ୍ସବ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶା ରାଜ୍ୟ ଭାରତ ସ୍କାଉଟସ୍ ଓ ଗାଇଡ଼୍‌ସ୍ ସଂସ୍ଥା ଆନୁକୂଲ୍ୟରେ ତା୨୩.୩.୨୦୨୩ରିଖ ଦିନ ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଓଡ଼ିଶାର ୨୮ ଜିଲ୍ଲାରୁ ଆସିଥିବା ୮୦୦ ସ୍କାଉଟ୍ ଗାଇଡ଼୍ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ଶିବିର “ରେନ୍‌ବୋ”ର ଆଜି ତା୨୫.୩.୨୦୨୩ ଦିନ ହେଉଛି ଉଦ୍‌ଯାପନୀ ଉତ୍ସବ । ଜାତୀୟ ଉପସଭାପତି ତଥା ରାଜ୍ୟ ମୁଖ୍ୟ କମିଶନର ଡଃ କାଳି ପ୍ରସାଦ ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଡଃ. (ଶ୍ରୀମତୀ) ମିନତୀ ବେହେରା, ମହିଳା କମିଶନ, ଓଡ଼ିଶା ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ ।ସ୍କାଉଟ୍ ଗାଇଡ଼୍ “ସ୍ୱଚ୍ଛ ଭାରତ ଏବଂ ସବୁଜ ଭାରତ” କାର୍ଯ୍ୟକ୍ରମରେ ସ୍କାଉଟ୍ ଗାଇଡ଼୍ ପରିସରକୁ ସଫାସୁତୁରା କରିଥିଲେ । ପିଲାମାନଙ୍କୁ ସ୍କାଉଟ୍ ଗାଇଡ଼୍ ସଂପର୍କରେ ବିଭିନ୍ନ ପ୍ରଶ୍ନଉତ୍ତର ପ୍ରତିଯୋଗିତା କରାଯାଇ ସେମାନଙ୍କର ଶିକ୍ଷାର ବିକାଶ କରାଯାଇଥିଲା ।ପିଲାମାନଙ୍କ ମନରେ ଆନନ୍ଦ ଓ ଉତ୍ସାହ ଆଣିବା ତଥା ଶରୀରକୁ ନିରୋଗ ରଖିବା ଉଦ୍ଦେଶ୍ୟରେ ପ୍ରତ୍ୟେକ ଦିନ ପ୍ରାତଃ ସମୟରୁ ଏରୋବିକ୍ ଏବଂ ଯୋଗାସନ କରିଥିଲେ । ପରେ ପରେ ଦକ୍ଷତା ବିକାଶ କ୍ଷେତ୍ରରେ ସ୍କାଉଟ୍ ଗାଇଡ଼୍‌ମାନଙ୍କ ମଧ୍ୟରେ ଏକ ପ୍ରତିଯୋଗିତା କରାଯାଇଥିଲା । ଛାତ୍ରଛାତ୍ରୀମାନେ ରଙ୍ଗୀନ କାଗଜରେ ବିଭିନ୍ନ ପ୍ରକାରର ଫୁଲ ଏବଂ ସୌଖୀନ ପଦାର୍ଥମାନ ତିଆରି କରି ସୁନ୍ଦର ପରିବେଶ ସୃଷ୍ଟି କରିଥିଲେ । ଏହାପରେ ଅନ୍ୟ ଏକ ଚିତ୍ତାକର୍ଷକ କାର୍ଯ୍ୟକ୍ରମ ଥିଲା ‘ପୃଥିବୀ ସୁରକ୍ଷା’ । ଉକ୍ତ କାର୍ଯ୍ୟକ୍ରମରେ ସ୍କାଉଟ୍ ଗାଇଡ଼୍ ମାନେ ପୃଥିବୀ ସୁରକ୍ଷା ଉପରେ ସୁନ୍ଦର ଅଭିନୟ କରି ସମସ୍ତଙ୍କୁ ମୁଗ୍ଧ କରିବା ସହିତ ବୃକ୍ଷରୋପଣ କରିବା ପାଇଁ ସଚେତନତା ସୃଷ୍ଟି କରିଥିଲେ ।ଏତଦ୍ ବ୍ୟତୀତ ଭିନ୍ନ ଏକ କାର୍ଯ୍ୟକ୍ରମ ଥିଲା ଓଡ଼ିଶାର ରୁଚିକର ଖାଦ୍ୟ ପ୍ରସ୍ତୁତି । ସ୍କାଉଟ୍ ଗାଇଡ଼୍ ମାନେ ନିଜ ନିଜ ଅଂଚଳର ଖାଦ୍ୟ ନିଜେ ପ୍ରସ୍ତୁତ କରି ପରିବେଷଣ କରିଥିଲେ । ସ୍କାଉଟ୍ ଗାଇଡ଼୍ ଦ୍ୱାରା ମାଣ୍ଡିଆରେ ପ୍ରସ୍ତୁତ ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ଲଡ଼ୁ ଅତି ପ୍ରିୟ ଥିଲା । ଏତଦ୍ ବ୍ୟତୀତ କୋଳି ଆଚାର, ଆରିଷା, ରସାବଳି, ଝାଲ୍ ମୁଢ଼ି ଏପରି ଅନେକ ପ୍ରକାରର ସ୍ୱାଦିଷ୍ଟ ଦ୍ରବ୍ୟ ପ୍ରସ୍ତୁତ କରିଥିଲେ ।ସାନ୍ଧ୍ୟକାଳୀନ ଅଧିବେଶନ ଥିଲା ଅତି ମନୋମୁଗ୍ଧକର । ସ୍କାଉଟ୍ ଓ ଗାଇଡ଼୍ ମାନଙ୍କୁ ଉତ୍ସାହ ଓ ଉଦ୍ଦୀପନା ଜାଗ୍ରତ କରିବା ଏବଂ ଆତ୍ମବିଶ୍ୱାସ ବିକାଶ ପାଇଁ ‘ଡାନସ୍ ବୋନାଞ୍ଜା’ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ବାଦ୍ୟ ସଂଗୀତର ତାଳେ ତାଳେ ସ୍କାଉଟ୍ ଗାଇଡ଼୍ ମାନଙ୍କ ନୃତ୍ୟ ଅତିଥି ମାନଙ୍କୁ ଆମୋଦିତ କରିଥିଲା । କାର୍ଯ୍ୟକ୍ରମ ଶେଷରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରତିଯୋଗିମାନଙ୍କୁ ସାର୍ଟିଫିକେଟ୍ ଏବଂ ସ୍ମୃତିଫଳକ ପ୍ରଦାନ କରାଯାଇଥିଲା ।ରାଜ୍ୟ ସଂପାଦକ ଶ୍ରୀ ଶରତ ଚନ୍ଦ୍ର ପାଇକରାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଏବଂ ରାଜ୍ୟ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ସହଯୋଗରେ ଏହି ଶିବିର ସଫଳତାର ସହ ଶେଷ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ