ରାଧାନାଥ ରାୟଙ୍କ୧୧୨ ତମ ଶ୍ରାଦ୍ଧବାର୍ଷିକୀ ପାଳିତ
ବାଲେଶ୍ୱର (ଯୁଗାବ୍ଦ ନ୍ୟୁଜ) : କବିବର ରାଧାନାଥ ରାୟଙ୍କ୧୧୨ତମ ଶ୍ରାଦ୍ଧବାର୍ଷିକୀ ତାଙ୍କ ବାସସ୍ଥଳ ଉପରେ ଗଢ଼ି ଉଠିଥିବା ଶ୍ରୀରାମଚନ୍ଦ୍ର ସଂସ୍କୃତ ମହାବିଦ୍ୟାଳୟରେ ପାଳିତ ହୋଇଯାଇଛି । ଉତ୍ସବରେ ଅଧ୍ୟକ୍ଷତା କରି ଡ. ପ୍ରହ୍ଲାଦ ଚରଣ ମହାନ୍ତିି କହିଲେ ଯେ ରାଧାନାଥ ହେଉଛନ୍ତି ପ୍ରଥମ କବି ଯିଏକି ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପରେ ନୂତନ ଧାରାରେ କାବ୍ୟ କବିତା ରଚନା କରିବା ସହ ନୂତନ ଛନ୍ଦ ଓ ଯୁଗର ସୂତ୍ରପାତ ଘଟାଇଥିଲେ । ମୁଖ୍ୟବକ୍ତାଭାବେ ଡ. ରମାକାନ୍ତ ନାୟକ ଯୋଗଦେଇ କହିଲେ ଯେ ରାଧାନାଥଙ୍କ ବ୍ୟକ୍ତିତ୍ୱ ସମଗ୍ର ଓଡ଼ିଶାରେ ପ୍ରତିଧ୍ୱନ୍ୱିତ ହେଉଥିଲା, କାରଣ ନୂଆ ଶକ୍ତିି,ଜ୍ଞାନ ଓ ପରାକ୍ରମ ଦେଇ ନୂଆ ମଣିଷ ସୃଷ୍ଟି କରିବା ଥିଲା ତାଙ୍କ ରଚନାର ବୈଶିଷ୍ଟ୍ୟ । ଯୁବକ ଯୁବତୀମାନେ ସେଇ ପରାକ୍ରମ ନେଇ ବଢ଼ନ୍ତୁ ବୋଲି ବର୍ଣ୍ଣନା କରି ତାଙ୍କୁ ଜାତୀୟ ଜାଗରଣର ନିର୍ମାତା ହୋଲି ଅଭିହିତ କରିଥିଲେ । ବିଶିଷ୍ଟ ବକ୍ତାଭାବେ ଡ. କୁଞ୍ଜ ବିହାରୀ ଧଳ ରାଧାନାଥଙ୍କ ଚରିତ୍ର ଚିତ୍ତ ଉଲ୍ଲାସକାରୀ ଓ କାରୁଣ୍ୟ ବିମଣ୍ଡିତ ହେଲେହେଁ ସେ ଓଡ଼ିଶାର ପ୍ରଥମ ଜାତୀୟବାଦୀ କବି ବୋଲି ବହୁ ଉଦାହରଣ ଦେଇ ବର୍ଣ୍ଣନା କରି ତାଙ୍କୁ ଶ୍ରେଷ୍ଠ କବି କହି ତାଙ୍କ ଲେଖାର ଗବେଷଣା ଓ ଆଲୋଚନା ପାଇଁ ଆହ୍ୱାନ ଦେଇଥିଲେ । ସଂପାଦକ ଅଧ୍ୟାପକ କମଳାକାନ୍ତ ଦାଶ କବିବରଙ୍କ ଏହି ବାସସ୍ଥଳକୁ ଏକ ସ୍ମାରକୀ ପୀଠରେ ପରିଣତ କରିବା ପାଇଁ ସମସ୍ତଙ୍କ ସଂହଯୋଗ କାମନା କରିଥିଲେ । ଯୁଗ୍ମସଂପାଦକ ସଂଜୟ କୁମାରେ ପଣ୍ଡା ଅତିଥି ପରିଚୟ ପ୍ରଦାନ କରି ସ୍ଥାନର ମହନାତା ଓ ପରିଷଦ ସ୍ଥାପନାର ପ୍ରାସଙ୍ଗିକତା ଉପରେ ଆଲୋକପାତ କରିଥିଲେ । ପ୍ରଦୀପ ପ୍ରଜ୍ଜ୍ୱଳନ ଓ ମାଲ୍ୟାର୍ପଣ ପରେ କବିବରଙ୍କ ରଚିତ ସର୍ବେଷାଂ ନୋ ଜନନୀ…ସଂଗୀତ ଗାନ କରାଯାଇଥିଲା । ଉପ-ସଭାପତି ଇଂ. ହୃଷିକେଶ ସାହୁ ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଲକ୍ଷ୍ମାକାନ୍ତ ତ୍ରିପାଠିୀ, ଅରୁଣା ରାୟ, କଲ୍ୟାଣୀ ନନ୍ଦ, ମଧୁସୂଦନ ମାଝୀ,ବିଦ୍ୟାଧର ସାହୁ, ନୃସିଂହ ନାୟକ, ଜଗନ୍ନାଥ ଦତ୍ତ, ପ୍ରମୁଖ ଯୋଗ ଦେଇଥିଲେ ।


