ରାଧିକାପୁର (ୱେଷ୍ଟ୍‌) କୋଇଲା ଖଣି ନିଲାମ

ନୂଆଦିଲ୍ଲୀ: କୋଇଲା ଖଣି ନିଲାମର ପ୍ରଥମ ଦିନରେ ଓଡ଼ିଶାର ରାଧିକାପୁର (ୱେଷ୍ଟ୍‌) ଖଣି ନିଲାମ ହୋଇଛି। ଏଥିପାଇଁ ବେଦାନ୍ତ ଲିମିଟେଡ୍‌ ସର୍ବୋଚ୍ଚ ବିଡ୍‌ ଦାଖଲ କରିଛି। ଏଥର ରାଜସ୍ବ ଭାଗବଣ୍ଟା ଆଧାରରେ କୋଇଲା ଖଣି ନିଲାମ କରାଯାଉଛି। ବେଦାନ୍ତ ୨୧ ପ୍ରତିଶତ ରାଜସ୍ବ ଭାଗବଣ୍ଟା କରିବ ବୋଲି ବିଡ୍‌ରେ ଉଲ୍ଲେଖ କରିଛି ଯାହା ଏହି ଖଣି ପାଇଁ ସର୍ବାଧିକ। ରାଧିକାପୁର (ୱେଷ୍ଟ୍‌) ଖଣି ନିଲାମ ଯୋଗୁ ବର୍ଷକୁ ୫୯୨.୨୮ କୋଟି ଟଙ୍କାର ରାଜସ୍ବ ମିଳିବ ବୋଲି କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ମନ୍ତ୍ରଣାଳୟ ଜାରି କରିଥିବା ତଥ୍ୟ ଅନୁଯାୟୀ, ମହାରାଷ୍ଟ୍ରର ଟକଲି ଜେନା ବେଲୋରା ନର୍ଥ ଓ ସାଉଥ ନିଲାମରୁ ବର୍ଷକୁ ୨୬୭.୧୬ କୋଟି ଟଙ୍କା ଓ ମର୍କି ମଙ୍ଗଲି-୨ରୁ ୫୩.୪୩ କୋଟି ଟଙ୍କା, ମଧ୍ୟପ୍ରଦେଶର ଉର୍ତନରୁ ୧୨୪.୨୭ କୋଟି ଟଙ୍କା ଓ ଝାଡ଼ଖଣ୍ଡର ଚକ୍‌ଲା କୋଇଲା ଖଣିରୁ ବର୍ଷକୁ ୫୧୯.୫୪ କୋଟି ଟଙ୍କାର ରାଜସ୍ବ ମିଳିବ। ଚଳିତ ମାସ ୨ରୁ ୯ ତାରିଖ ପର୍ଯ୍ୟନ୍ତ ୧୯ଟି କୋଇଲା ଖଣିର ନିଲାମ କରାଯିବ। ପ୍ରଥମ ଦୁଇ ଦିନରେ ମୋଟ ୯ଟି ଖଣି ନିଲାମ ହୋଇଛି। ପ୍ରଥମ ଦିନରେ ପାଞ୍ଚଟି ଓ ଦ୍ବିତୀୟ ଦିନରେ ଆଜି ଚାରିଟି ଖଣି ନିଲାମ କରାଯାଇଛି।ଆଜି ନିଲାମର ଦ୍ବିତୀୟ ଦିନରେ ମଧ୍ୟପ୍ରଦେଶର ୩ଟି ଓ ଝାଡ଼ଖଣ୍ଡର ଗୋଟିଏ ଖଣି ନିଲାମ କରାଯାଇଛି। ମଧ୍ୟପ୍ରଦେଶର ବନ୍ଧ ବ୍ଲକ୍‌ ପାଇଁ ଇଏମ୍‌ଆଇଏଲ୍‌ ମାଇନ୍ସ ଆଣ୍ଡ୍‌ ମିନେରାଲ୍‌ ରିସୋସେର୍ସ‌୍ ସର୍ବୋଚ୍ଚ ବିଡ୍ ଦାଖଲ କରିଛି। ଏହି ଖଣିରୁ ବର୍ଷକୁ ୭୯୯.୮୨ କୋଟି ଟଙ୍କାର ରାଜସ୍ବ ମିଳିବ। ଉରାଉଲି ବ୍ଲକ୍‌ ପାଇଁ ଷ୍ଟ୍ରାଟାଟେକ୍‌ ମିନେରାଲ୍ ରିସୋର୍ସେସ୍‌ ଓ ସାହାପୁର ପଶ୍ଚିମ ପାଇଁ ଶାରଦା ଏନର୍ଜି ଆଣ୍ଡ୍ ମି‌ନେରାଲ୍ସ ସର୍ବୋଚ୍ଚ ବିଡ୍ ଦାଖଲ କରିଛନ୍ତି। ଏହି ଦୁଇ ଖଣିରୁ ବର୍ଷକୁ ଯଥା‌କ୍ରମେ ୩୯୮.୨୭ କୋଟି ଟଙ୍କା ଓ ୧୦୩.୮୩ କୋଟି ଟଙ୍କାର ରାଜସ୍ବ ମିଳିବ। ଝାଡ଼ଖଣ୍ଡର ବ୍ରହ୍ମଡ଼ିହ ବ୍ଲକ୍ ପାଇଁ ଆନ୍ଧ୍ରପ୍ରଦେଶ ମିନେରାଲ ଡେଭେଲପ୍‌ମେଣ୍ଟ୍‌ କର୍ପୋରେସନ୍ ସର୍ବୋଚ୍ଚ ବିଡ୍ ଦାଖଲ କରିଥିବା ବେଳେ ଏହି ଖଣିରୁ ବର୍ଷକୁ ୧୧୪.୮୧ କୋଟି ଟଙ୍କାର ରାଜସ୍ବ ମିଳିବ। ଚଳିତ ମାସ ୬ରେ ଓଡ଼ିଶାର ରାଧିକାପୁର (ଇଷ୍ଟ୍‌) ଖଣିର ନିଲାମ ହେବ। ସେହି ଦିନ ମାତ୍ର ଦୁଇଟି ଖଣି ନିଲାମ କରାଯିବ। ‌ଅନ୍ୟ ଖଣିଟି ହେଉଛି ଝାଡ଼ଖଣ୍ଡର ଉର୍ମା ପାହାଡ଼ିତୋଳା। ରାଧିକାପୁର (ଇଷ୍ଟ୍‌) ପାଇଁ ଚାରିଟି କଂପାନି ଦୌଡ଼ରେ ରହିଛନ୍ତି। ବେଦାନ୍ତ, ଜେଏସ୍‌ପିଏଲ୍‌ ଭଳି ସଂସ୍ଥା ଏହି ଖଣି ପାଇବାକୁ ପରସ୍ପର ସହ ପ୍ରତିଦ୍ବନ୍ଦ୍ବିତା କରିବେ। ଯେଉଁ ସଂସ୍ଥା ସର୍ବୋଚ୍ଚ ବିଡ୍ ଦାଖଲ କରିବ ଖଣି ତାହାକୁ ମିଳିବ। ତେବେ ଏଥର ନିଲାମ ହେଉଥିବା ପ୍ରତିଟି ଖଣିର ସଫଳ ବିଜେତାଙ୍କ ନାମ ଚଳିତ ମାସ ୧୧ରେ ଘୋଷଣା କରାଯିବ ବୋଲି ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ