ରାଗିଲେ ୫ଟି ସଚିବ ଭି.କେ. ପାଣ୍ଡିଆନ

ପୁରୀ :- ଶନିବାର ଶ୍ରୀମନ୍ଦିର ପରିସରରେ ପାନଛେପ ପଡ଼ିଥିବା ଦେଖି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ. ପାଣ୍ଡିଆନ ଅସନ୍ତୋଷ ବ୍ୟକ୍ତ କରିବା ଘଟଣା ଏହାକୁ ସ୍ପଷ୍ଟ କରିଛି । ସକାଳେ ୫-ଟି ସଚିବ ପାଣ୍ଡିଆନ ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଆସିଥିଲେ । ନାଭିକଟା ମଣ୍ଡପ ଓ ଘଣ୍ଟିଦ୍ୱାର ମଧ୍ୟସ୍ଥ ପାହାଚ ଉପରେ ପାନଛେପ ପଡ଼ିଥିବା ଦେଖିଥିଲେ । ଏ ନେଇ ସେ ଅସନ୍ତୋଷ ବ୍ୟକ୍ତ କରିବା ସହ ପାଖରେ ଥିବା ସୁବେଦାରଙ୍କୁ ଡାକି ଦେଖାଇଥିଲେ । ଆଗାମୀ ଦିନରେ ଯେପରି କେହି ବି ପାନ, ଗୁଟ୍ଖା ଖାଇ ମନ୍ଦିରକୁ ନ ଏବଂ କୌଣସି ସ୍ଥାନରେ ପାନଛେପ, ଗୁଟ୍ଖା ଖୋଳ ଆଦି ନ ପଡ଼େ ସେନେଇ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଦେବା ଲାଗି ସୁବେଦାରଙ୍କୁ କହିଥିଲେ । ପାନଛେପକୁ ନେଇ ପାଣ୍ଡିଆନ ଅସନ୍ତୋଷ ପ୍ରକାଶ କରିବା ଜଣାପଡ଼ିବା ପରେ ଶ୍ରୀମନ୍ଦିରର ସ୍କ୍ବାଡ୍ ବେଢା ପରିସର ବୁଲି ବିଭିନ୍ନ ସ୍ଥାନ ତନ୍ନ ତନ୍ନ କରି ଦେଖିଥିଲେ । ତେବେ ପାନ, ଗୁଟ୍ଖା ଉପରେ କଟକଣା ସତ୍ତ୍ବେ କିଏ ଏବଂ କିପରି ଏହାକୁ ଖାଇ ମନ୍ଦିରକୁ ଆସୁଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଭକ୍ତଙ୍କୁ ପ୍ରବେଶ ପଥରେ ଯାଞ୍ଚ କରାଯାଉଛି। କୌଣସି ନିଶାଦ୍ରବ୍ୟ ପାଖରେ ଥିଲେ ତାହାକୁ ଗେଟ୍ରେ ରଖି ଦିଆଯାଉଛି । ଏହାସତ୍ତ୍ବେ ମନ୍ଦିର ପରିସରରେ ପାନଛେପ ପଡୁଛି । ତେଣୁ ଶ୍ରୀମନ୍ଦିର ସେବାୟତ ଏବଂ କର୍ମଚାରୀ ପାନ, ଗୁଟ୍ଖା ଖାଇ ମନ୍ଦିରକୁ ଯାଉଥିବା ଚର୍ଚ୍ଚା ହେଉଛି । ଶ୍ରୀମନ୍ଦିରକୁ ସ୍ବଚ୍ଛ ଓ ପରିଷ୍କାର ରଖିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ସେହିପରି ମନ୍ଦିର ଭିତରକୁ ସମସ୍ତେ ଗୋଡ଼, ହାତ, ମୁହଁ ଧୋଇ ଶୁଦ୍ଧପୂତ ଭାବେ ପରିଷ୍କାର ହୋଇ ଯିବାର ବିଧି ରହିଛି । ଏହାକୁ ଦୃଷ୍ଟିରେ ରଖି ଗତବର୍ଷ ଜୁଲାଇ ୨୯ରେ ଅନୁଷ୍ଠିତ ପରିଚାଳନା କମିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା । କୌଣସି ସେବକ, ଭକ୍ତ କିମ୍ବା ଶ୍ରୀମନ୍ଦିର କର୍ମଚାରୀ ପାନ, ଗୁଟ୍ଖା, ପାନମସଲା ଖାଇ ବା ଏସବୁ ନେଇ ମନ୍ଦିର ଭିତରକୁ ଯାଇପାରିବେ ନାହିଁ । ପ୍ରବେଶ ପଥରେ ଯାଞ୍ଚ ହେବ । ଯଦି ପାନ, ଗୁଟ୍ଖା, ପାନମସଲା ଖାଇ କେହି ମନ୍ଦିର ଭିତରକୁ ପ୍ରବେଶ କରି ଧରାପଡ଼ିବେ ତାଙ୍କଠାରୁ ୫୦୦ ଟଙ୍କା ପର‌୍ୟ୍ୟନ୍ତ ଜରିମାନା ଆଦାୟ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ଚାରିଦ୍ୱାରରେ ଭକ୍ତଙ୍କୁ ସଚେତନ କରିବା ଲାଗି ସୂଚନାଫଳକ ମଧ୍ୟ ଲଗାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ