ରାମ ନାମେ କି ରସ ଅଛି
ଶ୍ରାବଣ ଆସିଗଲାଣି ଧରାପୃଷ୍ଠକୁ ତ ଚାଷୀକୂଳ ଚଳଚଞ୍ଚଳ ଗାଁ ଗାଁରେ . ବିଲ ବଛା, ତଳି ରୁଆ ଅର୍ଥାତ ଧାନ ରୁଆ ପର୍ବ ଲାଗିଯିବ. ଚଳଚଞ୍ଚଳ ହୋଇ ମାଟିମାଆ ଆକର୍ଷଣରେ କ୍ଷେତକୁ ଯିବାକୁ ଧଡ଼ପଡ଼ ହେଲାବେଳେ ସାଙ୍ଗରେ ଗୋଡେଇ ଗୋଡେଇ ଯାଉଥିବା କୁକୁର ପପି କାହିଁ ଦିଶୁନଥିଲା ରାମକୁ . ମାଇ କୁକୁରଟେ ସତ ହେଲେ ସତେ ଯେପରି ଘରର ଜାଗ୍ରତ ପ୍ରହରୀ ସିଏ. ଧାନ ଖଳାରେ ଥିଲେ ଗୋରୁ ଗାଈ ବଳଦ ଛେଳି ମେଣ୍ଢା ଦୂରେ ଥାଉ ଗୋଟେ ପିମ୍ପୁଡି ମଧ୍ୟ ଭରି କରିଦିଏନା ପପି. ସକାଳୁ ସକାଳୁ ରାମ ବଳଦ ଜୋଚି ହଳ ଲଙ୍ଗଳ ସଜାଡିଲା ବେଳକୁ ପପି ମଧ୍ୟ ନିଜକୁ ପ୍ରସ୍ତୁତ କରିନେଇଥାଏ ଯିବା ପାଇଁ ରାମ ସାଙ୍ଗରେ. ଏଇ କିଛି ଦିନ ହେଲାଣି ପପିକୁକୁର ମାଆ ହୋଇଛି. ସୁନ୍ଦର ସୁନ୍ଦର ଚାରିଟା ଛୁଆ କରିଛି ଖଳା ବାରିରେ. ତାଙ୍କ ସେବା ଯତ୍ନ କରିବାକୁ ରାମର ବାପା, ମାଆ ଓ ଚାଷୀ ଘରଣୀ ଫୁଲମତୀ ସହ ଦୁଇ ପିଲା ଖୁବ ଯତ୍ନବାନ. କିନ୍ତୁ ପପି ପାଖାପାଖି ଆଉ ଗୋଟିଏ କୁକୁର କୁଆଡୁ ଆସି ସେଇ ଧାନ ଖଳା ବାରିରେ ପପି ପରି ଛୁଆ ଦେଇଛି. ପିମ୍ପୁଡିଟିଏ ଛାଡି ଦେଉନଥିବା ପପି ଆର ମାଆ କୁକୁରଟିକୁ କିନ୍ତୁ ଛାଡିଦେଇଥିଲା ବାରିରେ ତା ଅଧିକାରକୁ ସ୍ୱୀକାର କରିନେଇ ତ ପପିର ଅନୁପସ୍ଥିତିରେ ତା ଛୁଆମାନଙ୍କ ଯତ୍ନ ମଧ୍ୟ ସେହି ଅଜଣା ଅଶୁଣା କୁକୁର ମାଆ କରେ ସତେ ଯେମିତି ମାଆନଥିଲେ ମାଉସୀ ଅଛି . ରାମ ଘରର ସମସ୍ତେ ମଧ୍ୟ ସେହି କୁକୁର ମାଆ ଓ ତା ପିଲାଦୁଇଟିଙ୍କର ଯତ୍ନ ନିଅନ୍ତି ଠିକ ପପି ଓ ପପି ପିଲାଙ୍କର ଯତ୍ନ ନେଲାଭଳି. ନୂଆ କୁକୁର ନାମ ଏଣିକି ଛପି ବୋଲି ରାମ ଘର ଲୋକ ଡାକୁଥିଲେ.
ଦୁର୍ଘଟଣା କେଵେ କାହାକୁ ଜଣେଇ ଆସେନାହିଁ. ଛପି ଛପି କେଵେ କେତେବେଳେ କାହା ପାଖକୁ ଆସିବ ତାହା ଵିଧି ନିର୍ଦିଷ୍ଟ. ସେଦିନ ଧାନ ରୁଆ ପାଇଁ ତଳି ବିଡା ବିଡା ବାନ୍ଧି ଥୋଇ ଦେଇ ରାମ ଦେଖିଲା ଛପିର ଦୁଇଟି ପିଲା ଭିତରୁ ଗୋଟିଏ କଳା କୁକୁର ଛୁଆକୁ ପପିର ଚାରୋଟି ପିଲାଙ୍କ ଭିତରୁ ସବୁଠୁ ବଳବାନ ଅର୍ଥାତ ହୃଷ୍ଟପୃଷ୍ଟ କୁକୁର ଛୁଆଟିଯାହାକୁ ପିଲେ ଟମି ଡାକନ୍ତି ସେ ମାରିବାକୁ ଲାଗିଛି. ଏମିତି କଳି ରାମ ବା ରାମ ପରିବାର କେହି ଛଡେଇପାରିଲେନି. ଦୁଇ ମାଆ ପପି ଓ ଛପି ଛଡେଇ ନପାରି ଦୁହିଁଙ୍କ ଭିତରେ ଖୁବ କଲିକଜିଆ କଲେ ତ ପରିଣତି ଏଇୟା ହେଲା ଯେ ଛପିର ଛୁଆଟି ପପିର ଛୁଆ ଦ୍ୱାରା ନିହିତ ହେଲା. ସେତିକିରେ ଦୁଃଖ ସରିନଥିଲା. ମଲା କୁକୁରଟାକୁ ପାଟିରେ ଧରି ତା ମାଆ ଛପି ଏଠିକି ସେଠିକି କରି ବିକଳରେ କାନ୍ଦୁଥିଲା. ଆଉ ପଡୋଶୀ ଘର ଟ୍ରାକ୍ଟର ତଳେ ମଲା କୁକୁରଟିକୁ ଧରି ପଶିତ ଗଲା କିନ୍ତୁ ଡ୍ରାଇଭର ତା ଆଜ୍ଞାତସାରରେ ଟ୍ରାକ୍ଟର ଚଳେଇ ଦେଇ ହାଁ ହାଁ କରୁ କରୁ ଛପିର ଦୁଇ ପଛ ଗୋଡ଼ ଜଖମ ହେଲା ଯେ ସେ କଷ୍ଟରେ ଘୋଷାଡି ହୋଇ ଚାଲୁଥିଲା. ଆଉ ପଟେ ଛୁଆ ଛପିର ଥିଲା ତ ସେ ଏହା ଭିତରେ ପପିର ଛୁଆମାନଙ୍କ ସଙ୍ଗେ ମିଶି ପପିଠୁ କ୍ଷୀର ପିଉଥିଲେ ସତ ହେଲେ ଛପିର ଅବସ୍ଥା ସାଙ୍ଘାତିକ ଥିଲା. ପପି ଆଜି ରାମ ସାଙ୍ଗରେ ନବାହାରିବାର କାରଣ ନିଶ୍ଚୟ ତା ନିଜର କୁକୁର ଛୁଆ ଓ ପପିର କୁକୁର ଛୁଆଙ୍କ ପାଳନ ବୋଲି ବୁଝି ରାମ ଦାଣ୍ଡ କବାଟ ଖୋଲି ଚମକି ପଡିଲା.
ଛପି ଚାରିକାତ ମେଲେଇ ପଡିଥିଲା ଆଉ ପପି କୁଁ କୁଁ ହୋଇ ତା ଚାରିପଟେ ବୁଲି ତାକୁ ଉଠେଇବାକୁ ଚେଷ୍ଟା କରି କାନ୍ଦୁଥିଲା. ସତେ ଯେମିତି କହୁଥିଲା ମୋର ସବୁ ଦୋଷ ଭଉଣୀ. ମୋ ସନ୍ତାନ ଯୋଗୁଁ ତୋ ପିଲା ମଲା ପୁଣି ତୁ ଛୋଟା ହେଲୁ ହେଲେ ଉଠ ମୋ ଥାଳିରୁ ଖାଇବୁ, ମୋ ଅଧା ଅଖା ଜାଗାରେ ଶୋଇବୁ. ରାମକୁ ଦେଖି ପପି ତା ଆଖିରେ କେତେ କଣ ଅନୁନୟ କରୁଥିଲା ଯେମିତି. ରାମର ବାପା ଧାଇଁଗଲେ ଛପି ପାଖକୁ ତା କାନରେ କହିଲେ ରାମ ରାମ କୃଷ୍ଣ କୃଷ୍ଣ, ପୁଣି ଗାଇଲେ ଓଁ ତ୍ରୟୋମ୍ବକ ଯାଯାମହେ ସୁଗନ୍ଧି ପୁଷ୍ଟି ବର୍ଦ୍ଧନ… ପୁଣି ଗାଇଲେ ଗୀତା ଭାଗବତରୁ ଅଧ୍ୟାୟ ଲେଖାଏଁ . ସେତିକି ବେଳକୁ ରାମର ପୁଅ ଝିଅ ବିସ୍କୁଟ ଆଣି ତା ମୁଁହଁ ପାଖେ ରଖୁଥିଲେ ତ ଫୁଲମତୀ ଅଖା ପକେଇ ଉଷୁମ କରୁଥିଲେ ଛପିର ଶୀତୁଆ ଦେହକୁ ଆଉ ରାମ ହଳ ଲଙ୍ଗଳ ରଖି ଦେଇ ବାହାରିଲା ପଶୁ ଡାକ୍ତରବାବୁଙ୍କ ପାଖକୁ. ଠିକ ସେତିକି ବେଳକୁ ଉଠି ବସିଲା ଛପି. ଗୋଡ଼ ଘୋଷାଡି ଘୋଷାଡି ଚାଲିଲା. ବିସ୍କୁଟ ଖାଇଲା. ପପି ଦୌଡ଼ି ଯାଇ ତା ପିଲାଟି ସହିତ ନିଜ ଚାରି ପିଲା ଆଣି ତା ପାଖେ ଥୋଇଲା. ପିଲାଙ୍କୁ ଚାଟି ଚାଟି ବିସ୍କୁଟ ଖାଉଥିବା ଛପିକୁ ଦେଖି ପପି ଖୁସିରେ ଭୁ ଭୁ ହେଉଥିଲା ତ ରାମ ତଳି ରୋଇବାକୁ ବିଲକୁ ବାହାରିବା ପୂର୍ବରୁ ବାପାଙ୍କୁ ପଶୁଡାକ୍ତରଙ୍କ ପାଖକୁ ଯିବାକୁ କହିଦେଇ ଗଲା. ରାମର ମାଆ କହୁଥିଲେ ରାମ ନାମେ କି ରସ ଅଛି… ପାନ କଲା ଲୋକ ସିନା ଜାଣିଛି.. ରାମ ନାମେ କି ରସ ଅଛି.
ସୁନନ୍ଦା ମହାନ୍ତି
ସାକ୍ଷୀଗୋପାଳ