ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ଦ୍ୱାରା ଦେଶବ୍ୟାପୀ ରାଲି ପ୍ରଦର୍ଶନ
ବାଲେଶ୍ୱର, (ସରୋଜ ପଣ୍ଡା):ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ୩ୟ ଚରଣ ଆନ୍ଦୋଳନ ଦେଶର ୩୧ଟି ରାଜ୍ୟର ୫୬୭ଟି ଜିଲ୍ଲା ମୁଖ୍ୟାଳୟରେ ଏକକାଳୀନ ରାଲି ପ୍ରଦର୍ଶନ ଅନ୍ତର୍ଗତ ବାଲେଶ୍ୱର ଜିଲ୍ଲାରେ ଆଜି ତା ୨୭-୦୭-୨୦୨୩, ଗୁରୁବାର ଦିନ ଦିବା ୧୧ଘଟିକା ସମୟରେ ବାଲେଶ୍ୱର ସ୍ଥିତ ଫକୀରମୋହନ ଗୋଲେଇରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ରାଲି ପ୍ରଦର୍ଶନର ଆୟୋଜନ ଅନୁଷ୍ଠିତ ହୋଇଯାଇଅଛି ଏବଂ ୨୨ଦଫା ସମ୍ବଳିତ ଦାବିପତ୍ର ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଅଛି । ଦାବିଗୁଡ଼ିକ ମଧ୍ୟରୁ ସମାନ ନାଗରିକ ସଂହିତା ବା ୟୁସିସି, ମଣିପୁର ରାଜ୍ୟରେ ଆଦିବାସୀ ମହିଳାଙ୍କୁ ଗଣବଳାତ୍କାର ସହିତ ନଗ୍ନ ପ୍ୟାରେଡ଼୍ କରାଇବା, ମଧ୍ୟପ୍ରଦେଶ ରାଜ୍ୟରେ ପ୍ରବେଶ ଶୁକ୍ଳାଙ୍କ ଦ୍ୱାରା ଆଦିବାସୀ ଯୁବକଙ୍କ ମୁହଁରେ ପରିସ୍ରା କରିବା, ଅସମ୍ବିଧାନିକ ପଦ୍ଧତିରେ ନୂତନ ଜଙ୍ଗଲ ସଂରକ୍ଷଣ ଆଇନ ପ୍ରଣୟନ କରାଯିବା ଏବଂ ବିକାଶ ନାମରେ, ବନ୍ୟଜନ୍ତୁ ସଂରକ୍ଷଣ ନାମରେ, ପର୍ଯ୍ୟାବରଣ ସୁରକ୍ଷା ନାମରେ ଆଦିବାସୀଙ୍କୁ ସେମାନଙ୍କ ଜଳ, ଜଙ୍ଗଲ ଓ ଜମିରୁ ବିସ୍ଥାପନ କରାଯିବା ସହିତ ଆଦିବାସୀ, ଅନୁସୂଚିତ ଜାତି, ଓବିସି, ଧାର୍ମିକ ଅଳ୍ପସଂଖ୍ୟକମାନଙ୍କୁ ସ୍ୱତନ୍ତ୍ର ପରିଚୟ ଆଧାରରେ ମିଳିଥିବା ସମ୍ବିଧାନିକ ଅଧିକାରକୁ ସମାପ୍ତ କରି ହିନ୍ଦୁକରଣ କରିବା ପ୍ରତିବାଦରେ ଏହି ରାଲି ଆୟୋଜନ କରାଯାଇଅଛି । ଏହି ଆନ୍ଦୋଳନରେ ରାଷ୍ଟ୍ରୀୟ ମୂଳନିବାସୀ ମହିଳା ସଂଘ, ଭାରତୀୟ ବିଦ୍ୟାର୍ଥୀ, ଯୁବା, ବେରୋଜଗାର ମୋର୍ଚ୍ଚା ସହିତ ଜିଲ୍ଲାର ଅନେକ କ୍ଷତ୍ରୀୟ ସଂଗଠନ ପୂର୍ଣ୍ଣ ସମର୍ଥନ କରିବା ସହିତ ବହୁ ସଂଖ୍ୟାରେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ସରକାର ଯଦି ଉପରୋକ୍ତ ଦାବିଗୁଡ଼ିକ ବିଚାର କରି ଆବଶ୍ୟକ ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ଆସନ୍ତା ୦୭ ଅଗଷ୍ଟ ୨୦୨୩ ଦିନ ଭାରତ ବନ୍ଦ କରାଯିବା ସହିତ ଆଗାମୀ ଦିନରେ ଆହୁରି ଏହାଠାରୁ ବଡ଼ ଉଗ୍ର ଆନ୍ଦୋଳନ କରାଯିବ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ରସାନନ୍ଦ ସିଂ, ସୁଦର୍ଶନ ଜେନା, ଅରୁଣ କୁମାର ଜେନା, ଶାନ୍ତିଲତା ଚାତାର, କରୁ ମାରାଣ୍ଡି, ନିରଞ୍ଜନ କୁଜୁର, ଚଣ୍ଡ ସିଂହ, ସାବିତ୍ରୀ ଆଢ଼୍ୟ, ଶାନ୍ତିଲତା ଚାତର, ବୁଧିରାମ ସିଂ, ରାଜେନ୍ଦ୍ର ମାର୍ଣ୍ଡି, ସାବିତ୍ରୀ ଆଣ୍ଢିଆ, ବାସନ୍ତି ସମ୍ମୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ । ସୁଦର୍ଶନ ଜେନା, ସଭାପତି ଆମ୍ବେଦକର ବିକାଶ ପରିଷଦ, ବାଲେଶ୍ୱରଙ୍କ ସଭାପତିତ୍ୱରେ ବାଲେଶ୍ୱର ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏହି ଆନ୍ଦୋଳନର ସ୍ୱରକୁ ଓଡ଼ିଶାର ସମସ୍ତ ଜନସାଧାରଣଙ୍କ ନିକଟରେ ବିସ୍ତାର ଭାବରେ ପ୍ରଚାର ପ୍ରସାର କରିବାକୁ ଆପଣଙ୍କ ଗଣମାଧ୍ୟମକୁ ଅନୁରୋଧ ।