ରାସନ କାର୍ଡରେ ନାମ ଥାଇ ବି ମିଳୁନି ସାମଗ୍ରୀ

ନାଉଗାଁ,: ଗରିବ ଜନସାଧାରଣଙ୍କୁ କିଲୋ ପ୍ରତି ୧ଟଙ୍କାରେ ରାସନ ସାମଗ୍ରୀ ଯୋଗାଇ ଦେବା ପାଇଁ ସରକାରଙ୍କ ପକ୍ଷରୁ ଯୋଜନା କରାଯାଇଛି ।ଏହାର ବଂଟନ ପାଇଁ ଡିଲରମାନଙ୍କୁ ନିଯୁକ୍ତି ଦିଆଯାଇଛି । ଏଥିରେ ସ୍ୱଛତା ପାଇଁ ତଦାରଖ ଦାୟିତ୍ୱରେ ଅଧିକାରୀମାନଙ୍କୁ ନିଯୁକ୍ତି ଦିଆଯାଇଛି । କିନ୍ତୁ ଉକ୍ତ ଅଧିକାରୀମାନେ ଡିଲରମାନଙ୍କ ଠାରୁ ମୋଟାଅଙ୍କର ଟଙ୍କା ନେଇ ଲୋକ ଦେଖାଣିଆ ତଦାରଖ କରୁଛନ୍ତି । ଯାହାର ଫାଇଦା ନେଇ ଡିଲରମାନେ ହିତାଧିକାରୀମାନଙ୍କୁ ଲୁଟୁଥିବା ଅଭିଯୋଗ ହେଉଛି । ଏପରିକି କାର୍ଡ ପିଛା ୨ କି.ଗ୍ରାରୁ ଅଧିକ ଚାଉଳ କାଟୁଥିବା ବେଳେ କାଟିବା ଅଂଶର ଟଙ୍କା ନେଉଥିବା ଜଣାଯାଇଛି । ସେହିପରି ଯେଉଁ କାର୍ଡଧାରୀଙ୍କର ଝିଅର ବିବାହ କିମ୍ବା କାର୍ଡରେ ଥିବା ହିତାଧିକାରୀଙ୍କର ମୃତ୍ୟୁ ହେଉଛି । ଡିଲରମାନେ ଏହାକୁ ଜାଣି ପାରି ଚାଉଳ ଆଲର୍ଟମେଂଟ ଥିଲେ ମଧ୍ୟ ଉକ୍ତ କାର୍ଡଧାରୀଙ୍କୁ ଚାଉଳ ଦେଉନାହାନ୍ତି । ଏହିପରି ଅଭିଯୋଗ ଆସିଛି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଡେରିକି ପଂଚାୟତରୁ । ଅଭିଯୋଗ ଅନୁସାରେ ଡେରିକି ପଂଚାୟତସ୍ଥିତ ଗଂଗଦା ଗ୍ରାମର ବାସନ୍ତି ମଲ୍ଲିକଙ୍କ ନାମରେ ୧୨୦୬୦୫୧୦୪୬୮ରେ ରାସନ କାର୍ଡ ରହିଛି । ସେ ଏହି ରାସନ କାର୍ଡ ମାଧ୍ୟମରେ ରାସନ ସାମଗ୍ରୀ ପଂଚାୟତ କାର୍ଯ୍ୟାଳୟରୁ ଉଠାଉଥିଲେ । ତାଙ୍କ ଝିଅର ବିବାହ ହୋଇଯିବାରୁ ପଂଚାୟତର ଡିଲର ତାହା ଜାଣିପାରି ତାଙ୍କ ଝିଅର ନାମ ରାସନ କାର୍ଡରୁ ବାଦ ଦିଆଯାଇଛି ବୋଲି କହି ଝିଅ ବାବଦ ଚାଉଳ ଦେଉନଥିଲେ । ଅନ୍ୟପକ୍ଷରେ ଝିଅର ଶାଶୁ ଘର ଲୋକେ ନାମ ଯୋଗ କରିବା ପାଇଁ ଆବେଦନ କଲା ବେଳକୁ ଝିଅର ନାମରେ ପୂର୍ବରୁ ରାସନ କାର୍ଡ ରହିଥିବା ୱେବସାଇଟରୁ ଜାଣିବାକୁ ପାଇଥିଲେ । ଯାହାଫଳରେ ସେଠାରେ ନାମ ଯୋଗ କରିବାରେ ବିଫଳ ହୋଇଥିଲେ । ଏହାକୁ ନେଇ ଝିଅର ନାମକୁ ବାଦ ଦେବା ପାଇଁ ସେ ବିଡିଓକୁ ଅଭିଯୋଗରେ ଦର୍ଶାଇଛନ୍ତି । ଅନ୍ୟପକ୍ଷରେ ରାସନ ସାମଗ୍ରୀ ବଂଟନରେ ସ୍ୱଛତା ଆଣିବା ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି । କିନ୍ତୁ ଯୋଗାଣ ଅଧିକାରୀଙ୍କ ସଠିକ ତଦାରଖ ଅଭାବରୁ ଡିଲରମାନେ ମନଇଛା କାର୍ଯ୍ୟ କରୁଛନ୍ତି । ଫଳରେ ପକୃତ ହିତାଧିକାରୀ ଏହି ଯୋଜନାରୁ ବାଦ ପଡୁଥିବା ବେଳେ ଅଯୋଗ୍ୟ ହିତାଧିକାରୀମାନେ ମୋଟା ଅଙ୍କର ଟଙ୍କା ଦେଇ ସାମିଲ ହେଉଥିବା ଜଣାଯାଇଛି । ଏପରିକି ଡିଲରମାନେ ବିବାହିତ ଝିଅ ଓ ମୃତ୍ୟବରଣ କରିଥିବା ବ୍ୟକ୍ତିମାନଙ୍କର ନାମରେ ସାମଗ୍ରୀ ଆଣୁଛନ୍ତି । କିନ୍ତୁ ଉକ୍ତ କାର୍ଡଧାରୀଙ୍କୁ ବିବାହିତ ଝିଅ ଓ ମୃତ୍ୟବରଣ କରିଥିବା ବ୍ୟକ୍ତିମାନଙ୍କର ନାମ ବାଦ ଦିଆଯାଇଥିବା କହି ରାସନ ସାମଗ୍ରୀ ଲୁଟୁ ଥିବା ଜଣାଯାଇଛି । ଏ ସଂର୍ପକରେ ବିଡିଓ ରଶ୍ମୀରେଖା ମଲ୍ଲିକଙ୍କୁ ପଚାରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ । ଏହାର ଉପଯୁକ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ