ରାସ୍ତା ଅବସ୍ଥା ଶୋଚନୀୟ, ରାସ୍ତା ସାରା ମେଟାଲ ଓ ଖାଲ ଖମାରେ ଭର୍ତ୍ତୀ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଅଧିନସ୍ଥ ସିମନବାଡ଼ି ଠାରୁ ରାଇକିଆ ରାସ୍ତାର ଦୀର୍ଘ ୧୨ କିଲୋମିଟର ରାସ୍ତା ଅବସ୍ଥା ନକହିବା ଭଲ । ରାସ୍ତା ସାରା ଖାଲ ଖମା ସହ ମେଟାଲ ବାହାରି ରହିଛି । ପ୍ରତ୍ୟେକ ଦିନ ଛୋଟ ଛୋଟ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳିଛି । କେତେବେଳେ ଯେ ବଡ ଦୁର୍ଘଟଣା ନଘଟିବ ତାହା କିଛି କହିହେବ ନାହିଁ । ଗାଡ଼ି ଚାଲିବା ବେଳେ ଗାଡ଼ି ଚକା ରୁ ମେଟାଲ ଓ ଗୁଡ଼ି ଲୋକଙ୍କ ଉପରେ ଛିଟିକି ପଡୁଛି। ଖାଲ ଖମା ଯୋଗୁଁ ଗାଡ଼ି ଦୁର୍ଘଟଣା ଗ୍ରସ୍ତ ହେଉଛି । ହେଲେ ଆଜି ପର୍ଯ୍ୟନ୍ତ କୌଣସି ସମାଧାନ କରାଯାଉନାହିଁ । ଖାଲି ଏହି ଗୋଟିଏ ରାସ୍ତା ବିପଦରେ ଅଛି ତାହା ନୁହଁ ଦାରିଙ୍ଗବାଡି ଚାରି ଛକ ଠାରୁ ଡୁଲୁରି ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ସଙ୍କଟାପନ୍ନ ରହିଛି। ଏଭଳି ଭାବେ ଅନେ ରାସ୍ତା ବିପଦପୂର୍ଣ୍ଣ ହୋଇ ରହିଛି । ହେଲେ ଏଥି ପ୍ରତି କାହାରି କିନ୍ତୁ ଦୃଷ୍ଟି ପଡୁନାହିଁ । ନିୟମ ଉଲଘଂନକାରୀ ଗାଡି ଚାଳକଙ୍କ ଠାରୁ ଯେମିତି ଜରିମାନା ଆଦାୟ ହେଉଛି ସେଭଳି ଭାବେ ରାସ୍ତା ଗୁଡ଼ିକୁ ମଧ୍ୟ ସଠିକ୍ ଭାବେ ମରାମତି କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।