ରାସ୍ତା କାମ ନହେଲେ ଭୋଟ ବର୍ଜନ ଚେତାବନୀ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରୁଥିବା ଡିଣ୍ଡିମ ପିଟୁଥିବା ବେଳେ ଲୋକେ କିନ୍ତୁ ମୌଳିକ ସୁବିଧା ପାଇବାରୁ ବଞ୍ଚିତ । ପଞ୍ଚାୟତ ନିର୍ବାଚନ ଆସିଲେ ୱ।ର୍ଡ ମେମ୍ବର ଠାରୁ ସରପଞ୍ଚ, ବିଧାୟକ, ସାଂସଦ ଗାଁ ଗାଁ ବୁଲି ଭୋଟ ଭିକ୍ଷା ମାଗିଥାନ୍ତି । ଗାଁରେ ରହିଥିବା ସମସ୍ୟାର ସମାଧାନ କରିଦେବୁ ବୋଲି ପ୍ରତିଶୃତି ଦେଇଥାନ୍ତି କିନ୍ତୁ ଜିତି ଗଲା ପରେ ସବୁ କଥା ଭୁଲିଯାଆନ୍ତି । ଏଭଳି କୁଜି ନେତାଙ୍କ କଥା ଶୁଣି ଶୁଣି ଗ୍ରାମର ମୌଳିକ ସୁବିଧା ପୂରଣ ନହେବାରୁ ଗତ ୨୦୧୭ ଫେବୃଆରୀ ୨୧ର ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିଥିଲେ ସ୍ଥାନୀୟ ବ୍ଳକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତ ଅଧିନ ଦୁର୍ଗମ ଆଦିବାସୀ ଓ ଦଳିତ ବର୍ଗର ଗାଁ “ଟାଙ୍ଗିଲିପଦର” l ଏହି ଗ୍ରାମରେ ୧୦୦ ପରିବାରର ୪ ଶହରୁ ଉର୍ଦ୍ଧ୍ଵ ଲୋକ ବସବାସ କରନ୍ତି । ଭୋଟର ସଂଖ୍ୟା ୨୩୦ I ଗ୍ରାମର ଲୋକମାନେ ନିକଟସ୍ଥ ଜଙ୍ଗଲରୁ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ବାହାରେ ବିକ୍ରୀ କରି ଓ କୁଲି ମଜୁରୀ ଖଟି ପରିବାର ପ୍ରତିପୋଷଣ କରିଥାନ୍ତି । ଏହି ଗ୍ରାମକୁ ଲାଗି ଦୁଇ ପାର୍ଶ୍ଵରେ ମୋହନା ବ୍ଳକ ଓ ପଞ୍ଚାୟତକୁ ମାଟି ରାସ୍ତା ଥିଲେ ମଧ୍ୟ ନଥିବା ସଙ୍ଗେ ସମାନ। ବ୍ଳକ ଠାରୁ ୧୩ କିମି ଦୂରରେ ରହିଛି ଟାଙ୍ଗିଲିପଦର ଗ୍ରାମ। ଜାତୀୟ ରାଜପଥ ପାର୍ଶ୍ଵରେ ଥିବା ରାଇସିଂ ଛକ ଠାରୁ ରାଇସିଂ ଗ୍ରାମ ପର୍ଯ୍ୟନ୍ତ ମାତ୍ର ୩ କିମି ପିଚୁ ରାସ୍ତା ରହିଛି । ସେଠାରୁ ୭କିମି ପାହାଡ଼ିଆ ପଥୁରିଆ ରାସ୍ତାରେ ସାଇକେଲ ନେଇ ଯିବା ମଧ୍ୟ ସମ୍ଭବ ନୁହେଁ । ଗାଁ ଲୋକେ ପଞ୍ଚାୟତକୁ ଯିବାକୁ ହେଲେ ପାଦଚଲା ରାସ୍ତାରେ ୭ କିମି ଆସି ସେଠାରୁ ଅଟୋ ଭଡା କରି ୨୫ କିମି ଗୋବିନ୍ଦପୁର ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ବାର୍ଦ୍ଧକ ଭତ୍ତା, ରାସନ ଚାଉଳ ଆଣିଥାନ୍ତି । ଗ୍ରାମ ପାର୍ଶ୍ଵରେ ରହିଛି ଅନ୍ୟ ଏକ ରାସ୍ତା । ଏଠାରୁ ୪ କିମି ଦୂରରେ ରହିଛି କେନ୍ଦୁପଦା ଗ୍ରାମ। ସେଠାରୁ ପଞ୍ଚାୟତକୁ ଯିବାକୁ ହେଲେ ୧୫ କିମି ଖରାପ ରାସ୍ତା ଦେଇ ଯିବାକୁ ପଡ଼େ । ଗାଁଠାରୁ କୌଣସି ଗର୍ଭବତୀ ମହିଳା କିମ୍ଵା ଗୁରୁତର ରୋଗୀଙ୍କୁ ମୋହନା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିବାକୁ ହେଲେ କାନ୍ଧରେ ବୋହି କିମ୍ଵା ଦୋଳା କରି ୭କିମି ଆସିବା ପରେ ଗାଡିର ସୁବିଧା ମିଳିଥାଏ । ବର୍ଷାଦିନେ ଗମନାଗମନ କରିବା ସମ୍ଭବପର ନୁହେଁ । ଗ୍ରାମରେ ପାନୀୟ ଜଳର ଉତ୍କଟ ଅଭାବ । ଗାଁଠାରୁ ୧ କିମି ଦୂରରେ ରହିଥିବା ବିଲ ମଧ୍ୟରେ ରହିଛି ଏକ ପରିତ୍ୟକ୍ତ କୂଅ। ତାହାର ଦୂଷିତ ଗୋଳିଆ ଜଳକୁ ଲୋକେ ବାଧ୍ୟ ହୋଇ ବ୍ୟବହାର କରନ୍ତି । ଏହି ଜଳ ପିଇ ଲୋକେ ବିଭିନ୍ନ ସମୟରେ ପେଟ ରୋଗରେ ଆକ୍ରାନ୍ତ ହେଉଥିବା ନଜିର ମଧ୍ୟ ରହିଛି । ଏହି ଖବର କିଛି ଦିନ ତଳେ ପ୍ରକାଶନ ହେବାପରେ ଜଳ ବିଭାଗ ଯନ୍ତ୍ରୀ ଯାଇ ପରିସ୍ଥିତି ଅନୁଧ୍ୟାନ କରି ଫେରିବା ପରେ ସୋମବାର ଦିନ କନିଷ୍ଠ ଯନ୍ତ୍ରୀ ପଦ୍ମନାଭ ଖଣ୍ଡାଇ ଓ କର୍ମଚାରୀ ଅଶ୍ଵିନୀ କୁମାର ଡାକୁଆ ଏକ ଟ୍ରାକ୍ଟରରେ ଖଞ୍ଜାଯାଇଥିବା ବୋରୱେଲ ଗାତି ନେଇ ଟାଙ୍ଗିଲିପଦର ଗ୍ରାମରେ ୩ଟି ନଳକୂପ ଖୋଳିଥିଲେ । ଗାଁରେ ପାଣି ସମସ୍ୟା ଦୂର ହୋଇଥିଲା। ବାକି ରହିଲା କେବେ ନିର୍ମାଣ ହେବ ଦୁର୍ଗମ ରାସ୍ତା ? ପ୍ରକାଶ ଥାଉ କି, ଗତ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗ୍ରାମବାସୀଙ୍କ ମୌଳିକ ସୁବିଧାର ସମାଧାନ ନହେବାରୁ ଗ୍ରାମବାସୀ କରିଥିଲେ ପଞ୍ଚାୟତ ଭୋଟ ବର୍ଜନ । ସେହି ସମୟରେ ମୋହନା ତହସିଲଦାର ଟାଙ୍ଗିଲିପଦର ଗ୍ରାମରେ ପହଞ୍ଚି ଲୋକଙ୍କୁ ବହୁ ବୁଝାସୁଝା କରିଥିଲେ ମଧ୍ୟ ଲୋକେ ଭୋଟ ବର୍ଜନ କରିଥିଲେ । ଏହା ମଧ୍ୟରେ ୫ ବର୍ଷ ବିତିଗଲାଣି ପୁଣି ଆଗକୁ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଛି । ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ବ୍ଳକ କିମ୍ଵା ଜିଲ୍ଲା ପ୍ରଶାସନ କେବଳ ଗ୍ରାମର ପାନୀୟ ଜଳ ସମସ୍ୟା ଦୂର କରିପାରିଛନ୍ତି କିନ୍ତୁ ରାସ୍ତା ସମସ୍ୟା ପ୍ରତି ଧ୍ୟ୍ୟାନ ଦେଇ ନାହାନ୍ତି । ଏଣୁ ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଯଦି ରାସ୍ତା ନିର୍ମାଣ କରାନଯାଏ ତେବେ ଗ୍ରାମବାସୀ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି । କେବେ ଟାଙ୍ଗିଲିପଦର ଗ୍ରାମର ଭାଗ୍ୟ ଖୋଲିବ ଲୋକେ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହେବେ ସେହି ଦିନକୁ ଚାହିଁ ବସିଛନ୍ତି ଅଞ୍ଚଳବାସୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ