ରାସ୍ତା ନିର୍ମାଣ ନାଁ ରେ ଅର୍ଥ ଆତ୍ମସାତ ଅଭିଯୋଗ: ଜିଲ୍ଲାପାଳଙ୍କୁ ସ୍ମାରକପତ୍ର
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ପଞ୍ଚାୟତ ଚାଞ୍ଚଡାପଲ୍ଲି ଗ୍ରାମ ଖାରି ପୋଖରୀ ଓ କୁମୁଟି ପୋଖରୀ ରାସ୍ତା ନିର୍ମାଣ କରାନଯାଇ ଏମଜିଏନଆରଜିଏସ ଯୋଜନାରେ ୨ ଲକ୍ଷ ୯୬ ହଜାର ଟଙ୍କା ଆତ୍ମସାତ କରାଯାଇଥିବା ଅଭିଯୋଗ ହୋଇଛି।ଅଭିଯୋଗର ଭିଜିଲାନ୍ସ ସ୍ତରୀୟ ତଦନ୍ତ ନିମନ୍ତେ ସୋମବାର ଗ୍ରାମର ସନାତନ ସ୍ବାଇଁ,ସମୀର ବିଷୋୟୀ, ଭୋଳା ନାଥ ସ୍ବାଇଁ, ପପୁନ ଜେନା,ଚନ୍ଦନ ବିଷୋୟୀ, ଶୁଭମ୍ ବିଷୋୟୀ, ସିମାଞ୍ଚଳ ସ୍ବାଇଁ, ଲିଙ୍ଗରାଜ ବିଷୋୟୀ,ରାଜେନ୍ଦ୍ର ବିଷୋୟୀ,ବାସୁଦେବ ମହାରଣା,ସଞ୍ଜୟ ବିଷୋୟୀ ପ୍ରମୁଖ ବହୁ ସଂଖ୍ୟକ ଗ୍ରାମବାସୀ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ଗଞ୍ଜାମ ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟରେ ବିଡ଼ିଓ ଅନାମିକା ପାଣ୍ଡେ ଙ୍କୁ ସାକ୍ଷାତ କରି ସ୍ମାରକପତ୍ର ପ୍ରଦାନ କରିଛନ୍ତି। ପୂର୍ବତନ ସରପଞ୍ଚ ଉସନ୍ତ ସାହୁ ଙ୍କ ସମୟରେ ଖାରିବନ୍ଧ ପୋଖରୀ କୁ ସିମେଣ୍ଟ କଂକ୍ରିଟ ରାସ୍ତା ନିର୍ମାଣ କରାଯାଇଥିଲା।ରାସ୍ତା ଖରାପ ହୋଇନଥିବା ବେଳେ ପୁଣି ରାସ୍ତା ନିର୍ମାଣ ନିମନ୍ତେ ୨୦୨୫- ୨୬ ଆର୍ଥିକବର୍ଷ ରେ ରାସ୍ତା ନିର୍ମାଣ ପାଇଁ ୮ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। କାର୍ଯ୍ୟସ୍ଥଳ ରେ କେବଳ ନାମ ଫଳକ ସ୍ତମ୍ଭ କରାଯାଇଛି।ସେଥିରେ କିଛି ମଧ୍ୟ ଉଲ୍ଲେଖ କରାଯାଇନାହିଁ। କୌଣସି କାମ କରାନଯାଇ ଗ୍ରାମର କିଛି ବ୍ୟକ୍ତି ବିଭିନ୍ନ ବ୍ୟକ୍ତି ଙ୍କ ଜବକାର୍ଡ ସଂଗ୍ରହ କରି ସୁଚିନ୍ତିତ ଉପାୟରେ ସେମାନଙ୍କ ବ୍ୟାଙ୍କ ଜମାଖାତା କୁ ମଜୁରୀ ବାବଦରେ ସମୁଦାୟ ୨ ଲକ୍ଷ ୯୬ ହଜାର ଟଙ୍କା ପଠାଇଥିବା ସ୍ମାରକପତ୍ର ରେ ଉଲ୍ଲେଖ ରହିଛି।ଏନେଇ ବିଡ଼ିଓ ଙ୍କୁ ପଚାରିବାରୁ ଅଭିଯୋଗ ହସ୍ତଗତ ହୋଇଛି।ତଦନ୍ତ ପରେ ଯଦି ଅଭିଯୋଗର ସତ୍ୟତା ଥାଏ ତା ହେଲେ ସମ୍ପୃକ୍ତ ଅଧିକାରୀ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଇଂ.ତୁଷାର କାନ୍ତ ଦାସ ଙ୍କୁ ପଚାରିବାରୁ ସେ ବହୁଦିନ ପୂର୍ବେ କାର୍ଯ୍ୟସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଲଟାବୁଦା ସଫା କରାଯିବା ସହ ମେଟାଲ ମୋରୁମ ପକାଇ ରାସ୍ତା ନିର୍ମାଣ ପାଇଁ ବ୍ୟୟ ଅଟକଳ କରାଯାଇଛି। ସେଥି ନିମନ୍ତେ ସେ ଗ୍ରାମ ରୋଜଗାର ସେବିକା ପିଙ୍କି ପାଇକ ଙ୍କୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି।ବିଭିନ୍ନ କାରଣରୁ କାମ କରାଯାଇନାହିଁ।ଉକ୍ତ କାମ ପାଇଁ ଅର୍ଥ ଉଠାଣ କରାଯାଇଥିବା ସମ୍ପର୍କରେ ସେ ଜାଣିନଥିବା କହିଛନ୍ତି। ଏମଜିଏନଆରଇଜିଏସ ଯୋଜନାର ବ୍ଲକ ଅତିରିକ୍ତ ପ୍ରକଳ୍ପ ଅଧିକାରୀ ସନ୍ତୋଷ କୁମାର ସାହୁ ଙ୍କୁ ପଚାରିବାରୁ ରାସ୍ତା ପ୍ରକଳ୍ପ ନିର୍ମାଣ ପାଇଁ ଆନୁସଙ୍ଗିକ କାମ କରାଯାଇଛି। ମଷ୍ଟର ରୋଲ୍ ପ୍ରସ୍ତୁତ କରାଯାଇ ଶ୍ରମିକ ମାନଙ୍କୁ ବ୍ୟାଙ୍କ ପାସ ବୁକ୍ ଜରିଆରେ ମଜୁରୀ ଟଙ୍କା ପ୍ରଦାନ କରାଯାଇଥିବା କହିଛନ୍ତି। ଗ୍ରାମ ରୋଜଗାର ସେବିକା ପିଙ୍କି ପାଇକ ଙ୍କୁ ପଚାରିବାରୁ ଗ୍ରାମର କୁମୁଟିବନ୍ଧ ଏବଂ ଖାରିବନ୍ଧ ରାସ୍ତା ୨ ଟି ପ୍ରକଳ୍ପ ନିମନ୍ତେ ସମୁଦାୟ ୧୬ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଖାରିବନ୍ଧ ରାସ୍ତା ଲଟାବୁଦା ସଫା ନିମନ୍ତେ ୫୫ ହଜାର ଏବଂ କୁମୁଟିବନ୍ଧ ରାସ୍ତା ର ଉଭୟ କଡ କୁ ସଫେଇ ପାଇଁ ୧ ଲକ୍ଷ ୫୫ ହଜାର ଟଙ୍କା ମଜୁରୀ ଦିଆଯାଇଥିବା ସେ ସ୍ବୀକାର କରିଛନ୍ତି।