ରାସ୍ତା ନିର୍ମାଣ ପାଇଁ ଅଣ୍ଟା ଭିଡିଲେ ଗଙ୍ଗାଧର

ହାଟଡିହି, (ବିକାଶ ବିଶ୍ୱାଳ):ନିଜ ପେନସନ ଟଙ୍କାରେ ସାଳନ୍ଦୀ ନଦୀ ଉପରେ ପୋଲ ନିର୍ମାଣ କରି ସାରା ଭାରତବର୍ଷରେ ଚର୍ଚ୍ଚାର ପରିସରକୁ ଆସିଥିବା କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ କାନପୁର ଗ୍ରାମର ଗଙ୍ଗାଧର ରାଉତ ଗତବର୍ଷ ମେ ମାସରେ ଏହି ପିଉସା ପୁତୁରା ସେତୁକୁ ଗ୍ରାମବାସୀଙ୍କ ଉଦ୍ଦେଶ୍ୟରେ ଲୋକର୍ପଣ କରିଥିଲେ । କିନ୍ତୁ ବର୍ଷାଧିକାଳ ବିତି ଯାଇଥିଲେ ମଧ୍ୟ ଏହି ସେତୁ ପର୍ଯ୍ୟନ୍ତ ସଂଯୋଗୀ କରଣ ରାସ୍ତା ନିର୍ମାଣ ହୋଇ ପାରିଲାନି । ଯାହାଦ୍ୱାରାକି ଲୋକମାନେ ପୋଲକୁ ଠି ଭାବରେ ବ୍ୟବହାର କରିପାରିଲେନି । ଏପରିକି ଯେଉଁ ଉଦ୍ଦେଶ୍ୟରେ ପୋଲଟି ନିର୍ମାଣ ହୋଇଥିଲା ଉଦ୍ଦ୍ୟୋ ପୁରଣ ହୋଇପାରିଲାନି । ଫଳରେ ବାଧ୍ୟ ହୋଇ ପୁନର୍ବାର ନିଜ ପେନସନ ଟଙ୍କାରେ ରାସ୍ତା ନିର୍ମାଣ ପାଇଁ ଆଗେଇ ଆସୁଛନ୍ତି ଗଙ୍ଗାଧର । ସେ ଗତକାଲି ଠାରୁ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି । ତାଙ୍କ କହିବାନୁଯାଇ ସଂଯୋଗୀ କରଣ ରାସ୍ତା ନିର୍ମାଣ ପାଇଁ ବିଡିଓଙ୍କ ଠାରୁ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ସବୁଠି ଦାବି କରିଆସିଥିଲୁ । କିନ୍ତୁ ଆଜି ପର୍ଯ୍ୟନ୍ତ ପ୍ରଶାସନ କୌଣସି ପଦକ୍ଷେପ ନେଲାନି । ପୋଲ ନିର୍ମାଣ କରି ଯଦି ଲୋକମାନେ ଯିବା ଆସିବା କରିନପାରିବେ ତେବେ ପୋଲ ନିର୍ମାଣ କରି ଲାଭ ବା କଣ । ସେଥିପାଇଁ ନିଜେ ପୁଣି ଏହି ପୋଲକୁ ସଂଯୋଗୀ କରଣ ରାସ୍ତା ନିର୍ମାଣ କରିବି ବୋଲି କହିଛନ୍ତି । ଏଠାରେ ସୁଚନାଯୋଗ୍ୟ ଯେ କାର କିଣିବାକୁ ସଞ୍ଚିତ କରିଥିବା ପେନସନ ଟଙ୍କାକୁ ଏହି ପୋଲ ତିଆରିରେ ଖର୍ଚ୍ଚକରି ସାଳନ୍ଦୀ ନଦୀ ଉପରେ ଏକ ପୋଲ ନିର୍ମାଣ କରିଥିଲେ । ଏହି ପୋଲ ସମ୍ପୁର୍ଣ୍ଣ ହେବାଦ୍ୱାରା କାନପୁର, ମରଚାଇପଦା, ନିଉଦାନି, ଦନେଇପୁର ଆଦି ଗ୍ରାମର ଲୋକମାନେ ସହଜରେ ନଦୀର ଅପରପାଶ୍ୱର୍କୁ ଯାତାୟତ କରିପାରିବା ସହ ଚାଷୀମାନେ ନଦୀର ଅପରପାଶ୍ୱର୍ରେ ଥିବା ଚାଷଜମିକୁ ହଳବଳଦ ଧରି ଯାତାୟତ କରିପାରିବେ । ଏହି ଲକ୍ଷନେଇ କାନପୁର ଗାଁର ଗୋପବନ୍ଧୁ ସାଜିଥିବା ଗଙ୍ଗାଧର ଜଣେ ପଶୁଧନ ନିରୀକ୍ଷକ ଭାବେ କାର୍ଯ୍ୟକରି ଚାକିରିରିରୁ ଅବସର ନେବାପରେ ଯେଉଁ ପଇସା ପାଇଥିଲେ ସେଥିରେ ଗାଁ ଲୋକଙ୍କ ବର୍ଷବର୍ଷର ସମସ୍ୟାକୁ ସେ ଦୁରୀଭୁତ କରିବାପାଇଁ ସେ ଏକ ପୋଲ ନିର୍ମାଣକରି କିପରି ସ୍ୱପ୍ନକୁ ସାକାର କରିବେ ସେଥିପାଇଁ ସେ ପ୍ରସ୍ତୁତ ହୋଇ ମାର୍ଚ୍ଚ ୨୦୧୮ରେ ଏହି ପୋଲ ଆରମ୍ଭ କରିଥିଲେ । ୧୮ଲକ୍ଷ ୧୦ହଜାର ଟଙ୍କା ବ୍ୟୟକରି ସେ ୨୧୦ଫୁଟ ଲମ୍ବ୧୦ଫୁଟ ଓସାରର ଏକ ଫୁଟ ବ୍ରିଜ ନିର୍ମାଣ କରିଥଲେ । ଏଥିରେ ଗଙ୍ଗାଧରଙ୍କ ନିଜସ୍ୱପାଣ୍ଠି୧୬ଲକ୍ଷ ଥିବାବେଳେ ତାଙ୍କ ପତ୍ନୀ ସୁଶିଳା ରାଉତଙ୍କ ସଞ୍ଚିତ ଅର୍ଥରୁ ୧ଲକ୍ଷ, ପୁଅ ଜଶନ ମନୋରଞ୍ଜନ ରାଉତ ୧ଲକ୍ଷ ଓ ଝିଅ ଜିଜ୍ଞାସା ରାଉତ ୧୦ହଜାର କରି ସହାୟତା ପ୍ରଦାନ କରି ପୋଲକୁ ସମ୍ପୁର୍ଣ୍ଣ କରାଇଥିଲେ । କିନ୍ତୁ ଏହି ପୋଲ ପାଖକୁ ଯିବାକୁ ଥିବା ସଂଯୋଗୀ କରଣ ରାସ୍ତା ନଥିବାରୁ ଗ୍ରାମବାସୀମାନେ ରାଜନେତାଙ୍କ ଠାରୁ ପ୍ରଶାସନିକ ଅଧିକାରୀ ମାନଙ୍କୁ ବାରମ୍ବାର ନିବେଦନ କରିଥିଲେବି କୌଣସି ସୁଫଳ ନମିଳିବାରୁ ବାଧ୍ୟହୋଇ ପୁନର୍ବାର ସଂଯୋଗୀ କରଣ ରାସ୍ତା ନିର୍ମାଣ ପାଇଁ ଅଣ୍ଟାଭିଡି କାମ ଆରମ୍ଭ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ