ରୋହିତ, ଈଶାନ୍ତ ପ୍ରଥମ ଦୁଇ ଟେଷ୍ଟ୍‌ରୁ ବାଦ୍‌

ନୂଆଦିଲ୍ଲୀ: ଆଇପିଏଲ୍‌ ବେଳର ଆହତରୁ ମୁକୁଳିବା ପାଇଁ ରୋହିତ ଶର୍ମା ଏବଂ ଇଶାନ୍ତ ଶର୍ମା ସଂପ୍ରତି ଜାତୀୟ କ୍ରିକେଟ୍‌ ଏକାଡେମି (ଏନ୍‌ସିଏ)ରେ ପ୍ରଶିକ୍ଷଣ ‌ନେଉଛନ୍ତି। ଈଶାନ୍ତ ବୋଲିଂ ବେଳେ କୌଣସି ସମସ୍ୟା ହେଲା ଭଳି ଅନୁଭବ କରୁନଥିଲା ବେଳେ ରୋହିତ ମଧ୍ୟ ସହଜରେ ବ୍ୟାଟିଂ କରୁଥିବା କହିଛନ୍ତି। ଉଭୟେ ଟେ‌ଷ୍ଟ୍‌ ଶୃଙ୍ଖଳା ପୂର୍ବରୁ ଅଷ୍ଟ୍ରେଲିଆରେ ଦଳ ସହ ଯୋଗଦେବାର ସମ୍ଭାବନା ରହିଥିଲା। ହେଲେ ଏହି ଦୁଇ ଜଣଙ୍କ ଅଷ୍ଟ୍ରେଲିଆ ଗସ୍ତ ନେଇ ଏବେ ଅନିଶ୍ଚିତତା ଦେଖାଦେଲାଣି। ନିକଟରେ ଏନ୍‌ସିଏର ବିଶେଷଜ୍ଞମଣ୍ଡଳୀ ଏକ ବୈଠକରେ ଯୋଗଦେଇ ଉଭୟଙ୍କ ଫିଟ୍‌ନେସ୍‌ ସ୍ଥିତି ଆକଳନ କରିଥିଲେ। ପରେ ସେମାନଙ୍କ ନିଷ୍ପତ୍ତିକୁ ବିସିସିଆଇ, ଚୟନକର୍ତା ଏବଂ ଦଳୀୟ ଅଧିକାରୀଙ୍କୁ ଅବଗତ କରାଇଥିଲେ। ବିଶେଷଜ୍ଞଙ୍କ ନିଷ୍ପତ୍ତି ଅନୁଯାୟୀ ଉଭୟ ରୋହିତ ଏବଂ ଈଶାନ୍ତ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ୍‌ ଶୃଙ୍ଖଳା ପୂର୍ବରୁ ସଂପୂର୍ଣ୍ଣ ସୁସ୍ଥ ହୋଇପାରିବେ ନାହିଁ। ଏହ‌ାକୁ ବିଚାରକୁ ନେଇ ବିସିସିଆଇ ଉଭୟଙ୍କୁ ପ୍ରଥମ ଦୁଇ ଟେଷ୍ଟ୍‌ରୁ ବାଦ୍‌ ଦେଇଛି। ତେବେ ଦୁହେଁ ପୂରା ଶୃଙ୍ଖଳାରୁ ବଞ୍ଚିତ ହୋଇପାରନ୍ତି ବୋଲି ଆଶଙ୍କା ମଧ୍ୟ ଉପୁଜିଛି। ତଥାପି ଏନେଇ ବିଦ୍ଧିବଦ୍ଧ ଘୋଷଣା ଖୁବ୍‌ ଶୀଘ୍ର ହୋଇପାରେ ବୋଲି ଆଶା କରାଯାଉଛି। ଏହି ଶୃଙ୍ଖଳା ଡିସେମ୍ବର ୧୭ ତାରିଖରୁ ଆରମ୍ଭ ହେବ। ଯଦି ରୋହିତ ପୂରା ବାଦ୍‌ ପଡ଼ନ୍ତି ତାହାଲେ ତାଙ୍କ ବଦଳରେ ଶ୍ରେୟସ ଆୟରଙ୍କ ଉପରେ ଚୟନକର୍ତା ନଜର ରଖିଛନ୍ତି। ଆୟର ସୀମିତ ଓଭର ଶୃଙ୍ଖଳା ପାଇଁ ଭାରତୀୟ ଦଳରେ ରହିଛନ୍ତି। ତାଙ୍କୁ ଟେଷ୍ଟ୍‌ ଦଳରେ ରିଜର୍ଭ ବ୍ୟାଟ୍‌ସମ୍ୟାନ୍‌ ଭାବେ ରଖାଯାଇପାରେ ବୋଲି ଆଲୋଚନା ହେଉଛି। ଦୁଇଦିନ ପୂର୍ବରୁ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ କହିଥିଲେ, ରୋହିତ ଓ ଈଶାନ୍ତ ତିନି ଚାରି ଦିନ ମଧ୍ୟରେ ନିଶ୍ଚିତ ଅଷ୍ଟ୍ରେଲିଆ ଯାତ୍ରା କରିବେ। ସେମାନେ ସେଠାରେ ଟେ‌ଷ୍ଟ ଦଳ ସହ ଠିକ୍‌ ସମୟରେ ଯୋଗଦେବେ। ହେଲେ ଏବେ ବିଶେଷଜ୍ଞଙ୍କ ନିଷ୍ପତ୍ତିକୁ ଦେଖିଲେ ସ୍ଥିତି ଭିନ୍ନ ଜଣାପଡୁଛି। ସେମାନଙ୍କୁ ଆହୁରି କିଛି ଦିନ ଅପେକ୍ଷା କରିବାକୁ ପଡ଼ିପାରେ। ପୁଣି ବିଳମ୍ବରେ ଗଲେ ସେମାନଙ୍କୁ ୧୪ ଦିନିଆ ସଂଗରୋଧରେ ରହିବାକୁ ପଡ଼ିବ। ତେଣୁ ପୂରା ଟେଷ୍ଟ୍‌ ଶୃଙ୍ଖଳା ଖେଳିବା ଆଦୌ ସମ୍ଭବ ହେବନି ବୋଲି ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ