ରୋଷେଇ ଘରେ ଚିକିତ୍ସା

ରୋଷେଇ କଲାବେଳେ ଅନେକ ସମୟରେ ମହିଳାମାନେ ଛୋଟବଡ଼ ଦୁର୍ଘଟରାର ଶିକାର ହୋଇଥାଆନ୍ତି। ହାତ କଟିଯିବା ଓ ଚେଙ୍କ ଲାଗିବା ଯୋଗୁଁ ଖୁବ୍‌ ଯନ୍ତ୍ରଣା ହୁଏ। ତେବେ ଏଭଳି ଦୁର୍ଘଟଣାର ଶିକାର ହେଉଥିଲେ ଡାକ୍ତରଙ୍କ ପାଖକୁ ଯିବା ପୂର୍ବରୁ ପ୍ରଥମେ ଘରେ ଏହାର ଚିକିତ୍ସା କରନ୍ତୁ। ତା’ହେଲେ ଆସନ୍ତୁ ଜାଣିବା, ଏମିତି ସମସ୍ୟାରେ ପଡ଼ିଲେ କ’ଣ କରିବା ଉଚିତ୍।

କଟିଗଲେ: ପରିବା କାଟିବା ସମୟରେ ଯଦି ହାତ କଟିଯାଏ,  ପ୍ରଥମେ ହାତକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ତା’ପରେ ଏକ ସଫା କପଡ଼ାରେ କଟିଥିବା ସ୍ଥାନକୁ ଚାପି ଧରନ୍ତୁ। ଏଭଳି କଲେ ରକ୍ତ ବାହାରିବା ବନ୍ଦ ହୋଇଯିବ। ଏହାପରେ ଆଣ୍ଟି ବ୍ୟାକ୍ଟେରିଆଲ କ୍ରିମ୍‌ କିମ୍ବା କିଛି ଆଣ୍ଟି ସେପ୍ଟିକ୍‌ କ୍ରିମ୍‌ ଲଗାଇ ଦିଅନ୍ତୁ। ଯଦି ଘରେ ବ୍ୟାଣ୍ଡେଡ୍ ଅଛି, ତା’ହେଲେ ଶୀଘ୍ର ଲଗାଇ ଦିଅନ୍ତୁ।

ଚେଙ୍କ ଲାଗିଲେ: ହାତରେ ଗରମ ଚେଙ୍କ ଲାଗିଗଲେ ଟ୍ୟାପ୍‌ ଖୋଲି ହାତକୁ ୫ମିନିଟ୍ ପାଣିରେ ଦେଖାନ୍ତୁ। ଏପରି କଲେ ଜଳାପୋଡ଼ା କମ୍‌ ହେବା ସହ ସେହି ସ୍ଥାନରେ ଦାଗ ହେବ ନାହିଁ । ତ୍ୱଚାର ଭିତର ଭାଗ ଟିସୁର ବି କିଛି କ୍ଷତି ହେବ ନାହିଁ। ମନେ ରଖନ୍ତୁ, ଜଳିଯାଇଥିବା ସ୍ଥାନରେ କେବେ ବି ବରଫ ଲଗାଇବେ ନାହିଁ। ବରଂ ଆଲୋଭେରା, ଦେଶୀ ଘିଅ, ନଡ଼ିଆ ତେଲ କିମ୍ବା ବାଦାମ ତେଲ ଲଗାଇ ଦିଅନ୍ତୁ।

ଆଖିରେ କିଛି ପଡ଼ିଗଲେ: ଆଖିରେ ମସଲା ଛିଟକା ପଡ଼ିଗଲେ କିମ୍ବା ଲଙ୍କା ହାତ ବାଜିଗଲେ ଆଖି ବହୁତ ପୋଡ଼ିଥାଏ। ଏଭଳି ସ୍ଥିତିରେ ପ୍ରଥମେ ହାତକୁ ଭଲ ଭାବେ ଧୋଇବା ପରେ ଆଖିକୁ ପାଣି ଛାଟନ୍ତୁ। ଯଦି ଅଧିକ ପୋଡ଼ୁଛି, ତା’ହେଲେ ଏକ ପାତ୍ରରେ ପାଣି ନେଇ ଏଥିରେ ଆଖି ଖୋଲି ମୁହଁ ବୁଡ଼ାନ୍ତୁ। ଏପରି କଲେ ଆଖିରେ ଲାଖି ରହିଥିବା ମଇଳା ବାହାରିଯିବ। ଏହାପରେ ଆଖିରେ ଦୁଇ ବୁନ୍ଦା ଗୋଲାପ ଜଳ ପକାଇ ଦିଅନ୍ତୁ। ଆଖିର ଉପରଭାଗର ତ୍ୱଚା ଜଳୁଥିଲେ ସେଠି ଘିଅ ଲଗାଇ ଦିଅନ୍ତୁ। ତେବେ ଡାକ୍ତରଙ୍କ ବିନା ପରାମର୍ଶରେ ଆଖିରେ କୌଣସି ବି ଡ୍ରପ୍‌ ପକାନ୍ତୁ ନାହିଁ।

ତେଲ ଛିଟା ପଡ଼ିଗଲେଶରୀରର କୌଣସି ସ୍ଥାନରେ ତେଲ ଛିଟା ପଡ଼ିଗଲେ ହାତ ଜଳାପୋଡା କରିଥାଏ।  ଏଥିରୁ ମୁକ୍ତି ପାଇବା ପାଇଁ ପ୍ରଥମେ ହାତକୁ ଥଣ୍ଡା ପାଣିରେ ବୁଡ଼ାଇ ରଖନ୍ତୁ କିମ୍ବା ଟ୍ୟାପ୍‌ ଖୋଲି ପାଣିରେ ହାତ ଦେଖାନ୍ତୁ। ଏପରି କଲେ ଫୋଟକା ହେବ ନାହିଁ। ପୋଡ଼ା ଟିକେ କମିଗଲେ ହାତକୁ ସଫା କପଡ଼ାରେ ପୋଛି ଦିଅନ୍ତୁ।  ଜଳିଯାଇଥିବା ସ୍ଥାନରେ ନଡ଼ିଆ ତେଲ, ଦେଶୀ ଘିଅ କିମ୍ବା ମହୁ ଲଗାଇ ଦିଅନ୍ତୁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ