ଲକଡାଉନ ଉଠିଲେ ନୂଆ ନିୟମ

କଟକ: ଏଣିକି ଗାଡ଼ି ପଞ୍ଜୀକରଣ ନମ୍ବର ପାଇବାକୁ ଗାଡ଼ି ମାଲିକଙ୍କୁ ଆଉ ସପ୍ତାହେ ଯାଏ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ମାତ୍ର ଗୋଟିଏ ମିନିଟରେ ଗାଡ଼ି ନମ୍ବର ମିଳିଯିବ । ଡିଲର ଅନଲାଇନରେ ପରିବହନ ବିଭାଗ ୱେବସାଇଟରେ ଗାଡ଼ିକର ସମସ୍ତ କାଗଜପତ୍ର ଓ ଟ୍ୟାକ୍ସ ଦାଖଲ କରିବା ପରେ ଗୋଟିଏ ମିନିଟ ଭିତରେ କମ୍ପ୍ୟୁଟର ଗାଡ଼ି ନମ୍ବର ଜାରି କରିଦେବ । ଏଥିରେ ଆରଟିଓ ଅଧିକାରୀଙ୍କ କୌଣସି ପ୍ରକାର ଭୂମିକା ରହିବ ନାହିଁ । ଗାଡ଼ି ନମ୍ବର ପରି ଲର୍ଣ୍ଣିଂ ଲାଇସେନ୍ସ (ଏଲଏଲ) ମଧ୍ୟ ଘରେ ବସି ଗାଡ଼ି ମାଲିକ ପାଇପାରିବେ । ଅଯଥା ଏଲ.ଏଲ ପାଇଁ ଆରଟିଓରେ ଭିଡ଼ କରିବାକୁ ପଡ଼ିବ ନାହିଁ । ପରିବହନ କମିସନରଙ୍କ ପକ୍ଷରୁ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଥିବା ବେଳେ ଲକଡାଉନ ଉଠିଲା ପରେ ରାଜ୍ୟରେ ଏହି ନୂଆ ନିୟମ କାର୍ଯ୍ୟକାରୀ ହେବାକୁ ଯାଉଥିବା ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ଯେକୌଣସି ଗାଡ଼ି କିଣିଲା ପରେ ଗାଡ଼ି ମାଲିକଙ୍କ ପରିଚୟ ପତ୍ର, ସେଲ ଡିଡ, ଗାଡ଼ି ଋଣ ହୋଇଥିଲେ ଋଣର ଏଗି୍ରମେଣ୍ଟ ଇତ୍ୟାଦି କାଗଜପତ୍ର ଡିଲରଙ୍କ ପକ୍ଷରୁ ନିକଟସ୍ଥ ଆରଟିଓରେ ଜମା କରିବାକୁ ପଡ଼ୁଥିଲା । ଗାଡ଼ିର ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଅଧିକ ଥିଲେ, ସେହି ଗାଡ଼ି ପାଇଁ ପ୍ୟାନ କାର୍ଡ ଜେରକ୍ସ ବି ଦାଖଲ କରିବାକୁ ପଡ଼ୁଥିଲା । ଏବେ ସମୟ ଓ ଲୋକ ବଳ ହ୍ରାସ କରାଇବା ଉଦ୍ଦେଶ୍ୟରେ ଡିଲରଙ୍କୁ ଟ୍ୟାକ୍ସ ଦାଖଲ ପାଇଁ ମିଳିଥିବା https://parivahan.gov.in/parivahan/ର ୟୁଜର ନେମ ଓ ପାସ୍ୱାଦର୍ଡ ବ୍ୟବହାର କରି ଅନଲାଇନରେ ଗାଡ଼ିର ସମସ୍ତ କାଗଜପତ୍ର ଦାଖଲ କରିବେ । କାଗଜପତ୍ର ସହିତ ଟ୍ୟାକ୍ସ ଦାଖଲ କରିବା ପରେ ଗୋଟିଏ ମିନିଟରେ ଗାଡ଼ିର ପଞ୍ଜୀକରଣ ନମ୍ବା ଓ ଗାଡ଼ି ମାଲିକଙ୍କ ମୋବାଇଲ ନମ୍ବର ଏବଂ ଡିଲରଙ୍କ ପୋର୍ଟାଲକୁ ଆସିଯିବ । ଏଥିପାଇଁ ଡିଲର ଆରଟିଓ ଅଫିସ ଆସିବାକୁ ପଡ଼ିବ ନାହିଁ । ଏହା ପରେ ଭେଣ୍ଡରଙ୍କ ମାଧ୍ୟମରେ ତୁରନ୍ତ ନମ୍ବର ପ୍ଲେଟ ପ୍ରସ୍ତୁତ କିର ଡିଲର ଗାଡ଼ି ମାଲିକଙ୍କୁ ଗାଡ଼ିଟି ହସ୍ତାନ୍ତର କରିପାରିବେ । ପରେ ଡିଲରଙ୍କ ପକ୍ଷରୁ କେବଳ ଅନଲାଇନରେ ଅପଲୋଡ ହୋଇଥିବା ମୂଳ କାଗଜପତ୍ର ଆରଟିଓରେ ଯାଞ୍ଚ କରାଇ ନେଇଯିବେ । ଅନ୍ୟପଟେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି ପରିବହନ କମିସନରଙ୍କ କାର୍ଯ୍ୟାଳୟ । ଦୁଇଚକିଆ ଗାଡ଼ି ଥିବା ବ୍ୟକ୍ତି ଚାରିଚକିଆ ଗାଡ଼ି କିଣିବାକୁ ଚାହୁଁଥିଲେ କିମ୍ବା ଚାରିଚକିଆ ଗାଡ଼ି ଥିବା ବ୍ୟକ୍ତି ଦୁଇ ଚକିଆ ଗାଡ଼ି କିଣିବାକୁ ଚାହୁଁଥିଲେ ଲର୍ଣ୍ଣିଂ ଲାଇସେନ୍ସ (ଏଲ.ଏଲ) ପାଇଁ ତାଙ୍କୁ ଅନଲାଇନରେ ସ୍ଲଟ ବୁକିଂ କରି ଆରଟିଓ ଅଫିସ ଆସିବାକୁ ପଡ଼ୁଥିଲା । ପରିଚୟପତ୍ର, ଘୋଷଣା ପତ୍ର, ପୂର୍ବ ଗାଡ଼ିର ଡିଏଲ ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜମା କରିବାକୁ ପଡ଼ୁଥିଲା । ଆରଟିଓ ଅଫିସରେ କାଗଜ ପତ୍ର ଯାଞ୍ଚ ପରେ ଲର୍ଣ୍ଣିଂ ଲାଇସେନ୍ସ ମିଳୁଥିଲା । କିନ୍ତୁ ଏବେ ଦ୍ୱିତୀୟ ଥର ଗାଡ଼ି କିଣିବାକୁ ଚାହୁଁଥିବା ମାଲିକ ଏଲଏଲ ପାଇଁ ଆରଟିଓ ଅଫିସ ଆଉ ଆସିବାକୁ ପଡ଼ିବ ନାହିଁ । ସେମାନେ https://parivahan.gov.in/parivahan/ ୱେବସାଇଟରେ ଆବେଦନ କଲେ ପୂର୍ବ ଗାଡ଼ି ପାଇଁ ଜମା କରିଥିବା ଗାଡ଼ିର କାଗଜପତ୍ର ଗୁଡ଼ିକ କମ୍ପ୍ୟୁଟର ଅଟୋମେଟିକ ପରିବହନ ବିଭାଗର ସର୍ଭରରୁ ନୂଆ ଗାଡ଼ି ପାଇଁ ଗ୍ରହଣ କରିନେବ । ପୁନଃ କାଗଜପତ୍ର ଜମା କରିବାକୁ ପଡ଼ିବ ନାହିଁ । ପରିବହନ କମିସନର ସଞ୍ଜୀବ ପଣ୍ଡା କହିଛନ୍ତି ଯେ, ରାଜ୍ୟରେ ଲକଡାଉନ ଉଠିଲା ପରେ ଅନଲାଇନ ଗାଡ଼ି ନମ୍ବର ଏବଂ ଏଲଏଲ ମିଳିବାର ନିୟମ କାର୍ଯ୍ୟକାରୀ ହେବ । ଏଭଳି କମ୍ପ୍ୟୁଟରାଇଜଡ ହେଲେ ଆରଟିଓରେ କାମ ଅନେକାଂଶରେ ହ୍ରାସ ପାଇପାରିବ ବୋଲି ଆଶା କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ