ଲକ୍ଷାଧିକ ଲୋକ ଜାଗର ପାଳିଲେ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପୁରାଣ ପ୍ରସିଦ୍ଧ ଓ ବହୁ କିମ୍ବଦନ୍ତୀର ମୁକସାକ୍ଷୀ ମହେନ୍ଦ୍ରଗିରି ଠାରେ ପ୍ରତେକ ବର୍ଷ ସ୍ୱତନ୍ତ୍ର ଭାବେ ଶିବରାତ୍ର ପାଳନ କରାଯାଏ. ମହେନ୍ଦ୍ରଗିରି ଗଜପତି ଜିଲ୍ଲାରେ ସମୁଦ୍ର ପତନ ଠାରୁ ପ୍ରାୟ ୫ ହଜାର ଫୁଟ ଉଚ୍ଚରେ ରହିଛି. ସାରା ପୃଥିବୀରେ ଶିବ ରାତ୍ରକୁ ଆଜି ଶନିବାର ରାତ୍ରରେ ପାଳନ କରାଯାଏ. ହେଲେ ପବିତ୍ର ମହେନ୍ଦ୍ରଗିରି ଠାରେ ପୁରାଣ କାଳରୁ ଶିବରାତ୍ରକୁ ସ୍ୱତନ୍ତ୍ର ଭାବେ ଶିବରାତ୍ରର ପୂର୍ବ ରାତ୍ରରେ ପାଳନ କରାଯାଏ. ଗତକାଲି ଶୁକ୍ରବାର ରାତ୍ରରେ ମହେନ୍ଦ୍ରଗିରି ଠାରେ ଲକ୍ଷାଧିକ ଭକ୍ତ ଅତ୍ୟନ୍ତ ଭକ୍ତିପୂତ ଭାବେ ଶିବ ରାତ୍ରୀ ପାଳନ କରି ଜାଗର ପାଳିଛନ୍ତି. ସମଗ୍ର ଓଡିଶାର ବିଭିନ୍ନ ଅଞ୍ଚଳରୁ ଏବଂ ପଡୋଶୀ ଆନ୍ଧ୍ରରୁ ଚଳିତ ଥର ମହେନ୍ଦ୍ରଗିରିରେ ଶିବ ରାତ୍ର ପାଳନ ପାଇଁ ଲକ୍ଷାଧିକ ଭକ୍ତ ଯୋଗ ଦେଇଥିଲେ. କରୋନା ଯୋଗୁଁ ଗତ ୨ ବର୍ଷ ଧରି ମହେନ୍ଦ୍ରଗିରି ଠାରେ ଶିବ ରାତ୍ର ପାଳନ ହୋଇନଥିଲା. ଚଳିତ ବର୍ଷ ମହେନ୍ଦ୍ରଗିରିରେ ଶିବ ରାତ୍ର ପାଳନ ପାଇଁ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ପ୍ରତେକ ତତ୍ଵାବଧାନରେ ମହେନ୍ଦ୍ରଗିରି ଠାରେ ସମସ୍ତ ସୁବ୍ୟବସ୍ଥା ଗ୍ରହଣ କରାଯାଇଥିଲା. ମହେନ୍ଦ୍ରଗିରି ପାଦ ଦେଶର ବୁରଖତ ଠାରୁ ମହେନ୍ଦ୍ରଗିରି ଶିଖରର ଶେଷ ଭାଗରେ ଥିବା ଭୀମ ମନ୍ଦିର ପର୍ଯ୍ୟନ୍ତ ଆଲୋକର ସୁବ୍ୟବସ୍ଥା ସହ ଲୋକଙ୍କୁ ପିଇବା ପାଣିର ବ୍ୟବସ୍ଥା କରାଯାଇଥିଲା. ଭକ୍ତମାନେ ମହେନ୍ଦ୍ରଗିରି ଶିଖରରେ ଥିବା ପଞ୍ଚୁ ପଣ୍ଡାବଙ୍କ ଯୁଧିଷ୍ଠିର ମନ୍ଦିର, କୁନ୍ତି ମନ୍ଦିର, ଭୀମ ମନ୍ଦିର, ଗୋ କର୍ଣ୍ଣସ୍ୱର ମନ୍ଦିର, ହନୁମାନ ଓ ପର୍ଶୁରାମ ମନ୍ଦିରରେ ଭଗବାନଙ୍କୁ ଦର୍ଶନ କରିବା ସହ ଅତ୍ୟନ୍ତ ଭକ୍ତିପୂତ ଭାବେ ଶୁକ୍ରବାର ରାତ୍ର ସାରା ଉଜାଗର ରହି ଜାଗର ପାଳିଥିଲେ. ଆଜି ଶନିବାର ସକାଳ ସମୟରେ ମହେନ୍ଦ୍ରଗିରି ଠାରେ ଭକ୍ତମାନେ ମହେନ୍ଦ୍ରଗିରିରୁ ସୂର୍ଯ୍ୟ ଉଦୟରେ ସୂର୍ଯ୍ୟ ଭଗବାନଙ୍କୁ ଦର୍ଶନ କରି ନିଜ ନିଜ ଘରକୁ ଫେରିଥିଲେ. ଚଳିତ ବର୍ଷ ଗତ ୧୬ ତାରିଖ ଠାରୁ ୧୮ ତାରିଖ ରାତ୍ର ପର୍ଯ୍ୟନ୍ତ ମହେନ୍ଦ୍ରଗିରି ଠାରେ ୩ ଦିନ ପର୍ବ ପାଇଁ ଗଜପତି ପ୍ରଶାସନ ତରଫରୁ ବ୍ୟବସ୍ଥା କରାଯାଇଛି. ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଜିଲ୍ଲା ଏସପି ସୁଶ୍ରୀ ସ୍ୱାତୀ ଏସ. କୁମାର , ଜିଲ୍ଲା ସଂସ୍କୃତି ଅଧିକାରିଣୀ ଅର୍ଚ୍ଚନା ମଙ୍ଗରାଜ ପ୍ରମୁଖଙ୍କ ସହ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ ଓ ପୋଲିସ ଦଳ ସଜାଗ ରହି ଅତ୍ୟନ୍ତ ସଫଳ ଭାବେ ମହେନ୍ଦ୍ରଗିରିରେ ଜାଗର ମେଳା ପାଳନ କରିଛନ୍ତି.