ଲକ ଡାଉନ ସମୟରେ ନାଉଗାଁ ବ୍ଳକରେ ମଦର ବନ୍ୟା ଞ୍ଚ ଚୋରା ମଦ ଆସୁଛି କେଉଁଠୁ

ନାଉଗାଁ : କରୋନା ଭୁତାଣୁ ସାରା ରାଜ୍ୟରେ ଭୟ ସଂଚାର କରିଥିବା ବେଳେ ସାରା ଦେଶ ଲକ ଡାଉନରେ ରହିଛି । ଏହି ଲକ ଡାଉନ ସମୟରେ ନାଉଗାଁ ବ୍ଳକରେ ମଦର ବନ୍ୟା ପାଲଟିଛି । ସରକାରୀ ମଦ ଦୋକାନ ବନ୍ଦ ରହିଥିବା ବେଳେ ଚୋରା ମଦ ବେପାରୀଙ୍କ ପାଇଁ ପୁଷ ମାସ ପାଲଟିଛି । ଲଡ ଡାଉନରେ ମାଲ ପରିବହନ ଗାଡିକୁ ଛାଡି ଦେଲେ ଯାତ୍ରୀବାହୀ ଗାଡି ଓ ଅନ୍ୟାନ୍ୟ ଗାଡି ଉପରେ କଟକଣା ଲାଗିଛି । ଏସବୁ ସତ୍ୱେ ଏହି ବ୍ଳକକୁ ବିପୁଳ ପରିମାଣର ମଦ କିପରି ଆସୁଛି ତାହାର ଟେର କିପରି ଅବକାରୀ ବିଭାଗ ଓ ପୋଲିସ ନିକଟରେ ନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗାଡି ଗୁଡିକ କଡାକଡି ଭାବେ ଯାଂଚ କରାଯାଉଥିବା ବେଳେ ବାହାର ସ୍ଥାନରୁ ମଦ କିପରି ଆସୁଛି ତାହାକୁ ଧରିବା ପୋଲିସ ପାଇଁ ଏକ ଚ୍ୟାଲେଜ ସୃଷ୍ଟି କରିଛି । ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଶିଖରଘାଟ ବ୍ରିଜ ଓ ବାଲିକୁଦା ଦେଇ ଏହି ଚୋରା ମଦ ଆସୁଥିବା ଜଣାଯାଇଛି । ଏପରିକି ମଦ ଆସୁଥିବା ଗାଡିରେ ପିଡିଏସର ଏକ ପୋଷ୍ଟର ଲଗାଯାଉଛି । ଯାହାକି ସାଧାରଣ ଲୋକ ଏହା ଖାଉଟି ସାମଗ୍ରୀ ଗାଡି ବୋଲି ଜାଣିବେ । ଚୋରା ବେପାରୀ ଏହି ଗାଡିରେ ଚତୁରତାର ସହ ଉକ୍ତ ବ୍ଳକକୁ ମଦ ଆଣିବାରେ ସଫଳ ହେଉଛନ୍ତି । କେତେକ ବ୍ୟବସାୟୀ ଘରେ ମଦ ରଖି ବେପାର କରୁଥିବା ବେଳେ ମୂଲ୍ୟ ଠାରୁ ଦୁଇ ଗୁଣା ଅଧିକ ନେଉଥିବା ଚର୍ଚ୍ଚା ଜୋର ଧରିଛି । ଅନେକ ବ୍ୟବସାୟୀ ଏହି ମଦରେ ହାତ ତିଆରି ମଦ ମିଶ୍ରଣ କରି ଚଢା ଦରରେ ମଧ୍ୟ ବିକ୍ରି କରୁଛନ୍ତି । ଚୋରା ବେପାରୀ ଏହି ବ୍ଳକରେ କାୟା ବିସ୍ତାର କରିଥିବା ବେଳେ ଅବକାରୀ ବିଭାଗର ଦେଖା ମିଳୁ ନାହିଁ । ଫଳରେ ଚୋରା ମଦ ବେପାରୀମାନେ ନିଦ୍ୱନ୍ଦରେ ବେପାର କରୁଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଲକ ଡାଉନ ପାଇଁ ନାଉଗାଁ ପୋଲିସ ପକ୍ଷରୁ କଡାକଡି ଭାବେ ପେଟ୍ରୋଲଂ ଚାଲିଛି । ହେଲେ ନାଉଗାଁ ଅଂଚଳର କଂଟୁଣିଆହାଟ ପାଖରୁ ଜୈନିକ ଚୋରା ମଦ ବେପାରୀ ପ୍ରତିଦିନ ମୁଣ୍ଡାଳୋ, ଗଜରାଜପୁର, ରୋହିଆ, ଅଲଣାହାଟ, ତେଂଟୋଇ ଆଦି ସ୍ଥାନରେ ଚୋରା ମଦ ଯୋଗାଉ ଥିବା ବେଳେ ଗଂଗଦାହାଟ ଦେଇ ଅସ୍ତରଂଗ ଥାନାର ତାଳଦା ଓ କାକଟପୁର ଥାନାର ମୁତୁଣିଆ ଆଦି ଅଂଚଳରେ ଚୋରା ମଦ ଯୋଗାଉଥିବା ଜଣାଯାଉଛି । ଏହି ଚୋରା ମଦ ଏକ ନମ୍ବର ବିହିନ ସ୍କୁଟି ଓ ଏକ ବୋଲେର ଗାଡି ଯାହାର ଆଗରେ ନମ୍ବର ନଥିବା ବେଳେ ପଛରେ ନମ୍ବର ଥିବା ଗାଡିରେ ଦୈନିକ ପେଟି ପେଟି ଚୋରା ମଦ ଚାଲାଣ କରାଯାଉଛି । ସ୍କୁଟିରେ ଦିନରେ ମଦ ବୁହା ହେଉଥିବା ବେଳେ ବୋଲେର ଗାଡିରେ ବିଳମ୍ବିତ ରାତିରେ ମଦ ବୁହା ହେଉଥିବା ଜଣାଯାଇଛି । କିନ୍ତୁ ନାଉଗାଁ ପୋଲିସ ଓ ଅବକାରୀ ବିଭାଗ କାହା ପାଇଁ ଅଛନ୍ତି ତାହା ବୁଝା ପଡୁନାହିଁ । ଅନ୍ୟପଟରେ ନାଉଗାଁ ପୋଲିସ ପେଟ୍ରୋଲିଂ ସମୟରେ ରବିବାର ଅଲଣା ପଂଚାୟତର ଲକ୍ଷ୍ମୀଧର ଭୋଇ ମଦ ବିକ୍ରି କରୁଥିବା ବେଳେ ବିପୁଳ ପରିମାଣର ମଦ ଜବତ କରିବା ସହିତ ତାକୁ ଗିରଫ କରିଥିବା ଜଣାଯାଇଛି । କିନ୍ତୁ ମଦ ଗଚ୍ଛିତ ରଖିଥିବା ଚୋରା ବେପାରୀଙ୍କୁ ପୋଲିସ ଜାଣି ଶୁଣି ଧରୁନାହିଁ ବୋଲି ଚର୍ଚ୍ଚା ଜୋର ଧରିଛି । ଏପରିକି ବେପାରୀମାନେ ମୋଟ ଅଙ୍କର ଉତ୍କୋଚ ଦେଇ ସହଜରେ ବେପାର କରୁଥିବା ସ୍ଥାନୀୟ ଜନସାଧାରଣ ମତ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ