ଲଘୁଚାପ ପ୍ରଭାବରୁ ଧାନଅମଳ ପ୍ରଭାବିତ ବିଲରେ ଭିଜୁଛି ପାଚିଲା ଧାନ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଗଞ୍ଜାମ ଜିଲ୍ଲାରେ ଚଳିତ ବର୍ଷ ଧାନଚାଷ ବିଳମ୍ବରେ ଆରମ୍ଭ ହୋଇଥିଲା । ବିଳମ୍ବିତ ମୌସୁମୀ ତଥା ଅନିୟମିତତା ବର୍ଷା ଯୋଗୁଁ ଭାଦ୍ରବ ମାସ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ବ୍ଳକରେ ଧାନରୁଆ କାମ ଚାଲିଥିବା ଦେଖିବାକୁ ମିଳିଥିଲା । ହିଞ୍ଜିଳିକାଟୁ ବ୍ଳକ ମଧ୍ୟ ଏଥିରୁ ବାଦ ପଡିନଥିଲା । ତେବେ ବିଳମ୍ବରେ ବର୍ଷା ହେବା ସତ୍ତ୍ୱେ ସ୍ଥାନୀୟ ବ୍ଳକ ମଧ୍ୟ ଦେଇ ପ୍ରବାହିତ ଘୋଡାହାଡ ଓ ଋଷିକୂଲ୍ୟା ନଦୀ ପ୍ରବାହିତ ହୋଇଥିବାରୁ ଧାନଚାଷ ଅମଳ ଭଲ ହୋଇଛି । ଚଳିତ ବର୍ଷ ହିଞ୍ଜିଳିକାଟୁ ବ୍ଳକର ୯୭୦୩ ହେକ୍ଟର ଜମିରେ ଧାନ ଚାଷ କରାଯାଇଥିବା ଜଣାପଡିଛି । ହେଲେ ଏବେ ଧାନ ଅମଳ ସମୟରେ ଅଦିନିଆ ଲଘୁଚାପ ବର୍ଷ ଦାଉ ସାଧିଛି । ଗୁରୁବାର ଅପରାହ୍ନ ଠାରୁ ସ୍ଥାନୀୟ ଅଞ୍ଚଳରେ ପାଗ ମେଘୁଆ ରହିବା ସହ ଶୁକ୍ରବାର ଓ ଶନିବାର ୨ ଦିନ ତମାମ ଝିପିଝିପି ବର୍ଷା ଲାଗି ରହିଛି । ଲଘୁଚାପ ଜନିତ ଲଗାଣ ବର୍ଷା ସବୁକିଛି ଉଜାଡି ଦେଇଛି । କେଉଁଠି ଧାନକଟା ହୋଇ ବିଲରେ ପଡିଛି ତ ଆଉ କେଉଁଠି ଖଳାରେ । କେତେକ ସ୍ଥାନରେ କଟାହେବା ଅପେକ୍ଷାରେ ଛିଡା ହୋଇରହିଛି ଧାନକେଣ୍ଡା । ୨ ଦିନ ହେଲା ଦକ୍ଷିଣ ଓଡିଶାର ବିଭିନ୍ନ ଜିଲ୍ଲାରେ ଲାଗିରହିଥିବା ଲଗାଣ ବର୍ଷା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି । ବର୍ତ୍ତମାନ ସୁଦ୍ଧା ହିଞ୍ଜିଳିକାଟୁ ବ୍ଳକର ୬ ହଜାରରୁ ଉର୍ଦ୍ଧ୍ୱ ହେକ୍ଟର ଚାଷ ଜମିରେ ଧାନକଟା ହୋଇ ବିଲରେ ପଡିଛି । ଏହା ବ୍ୟତିତ ପ୍ରାୟ ୩ ହଜାରରୁ ଉର୍ଦ୍ଧ୍ୱ ହେକ୍ଟର ଜମିରେ ପାଚିଲା ଧାନକେଣ୍ଡା ରହିଥିବା ଜଣାପଡିଛି । ବର୍ଷା ପାଗ ଯୋଗୁଁ ଧାନକଟାରେ ବିଳମ୍ବ ହେଉଛି । ଚଳିତ ବର୍ଷ ବିଳମ୍ବରେ ଚାଷ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଧାନ ଅମଳ ବେଶ ଭଲ ହୋଇଥିବା ଜଣାପଡିଛି । କାଁ ଭାଁ ରୋଗ ପୋକ ଲାଗିଥିବା ବେଳେ ଅମଳ ପ୍ରଭାବିତ ହୋଇନାହିଁ । ଯଦି ଏଭଳି ବର୍ଷା ଲାଗିରହେ ତେବେ ଧାନ ଫସଲ ସମ୍ପୁର୍ଣ୍ଣ ନଷ୍ଟ ହୋଇଯିବା ନେଇ ସ୍ଥାନୀୟ ଅଞ୍ଚଳର ଚାଷୀ ମହଲରେ ଆଶଙ୍କା ପ୍ରକାଶ ପାଇଛି । ବର୍ଷାରେ ଅଧିକ ସମୟ ଧରି ଧାନ ଭିଜି ରହିଲେ ଚାଉଳ ଭାଙ୍ଗି ଯିବ । ଏଥି ସହ ଧାନ ଗଜା ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏଭଳି ସ୍ଥିତିରେ ଚାଷୀ ସରକାରଙ୍କ ଧାର୍ଯ୍ୟ ଏଫ୍‌ଏକ୍ୟୁ ମାନକୁ ନେଇ କିଭଳି ପୁରଣ କରିବ ତାକୁ ନେଇ ଚିନ୍ତା ପ୍ରକଟ କରିଛି । ହେଲେ ଆଗାମୀ ଦିନରେ ଯଦି ଲଘୁଚାପ ବର୍ଷା ଲାଗି ରହେ ତେବେ ପାଚିଲା ଧାନ ସମ୍ପୁର୍ଣ୍ଣ ଭାବେ ନଷ୍ଟ ହେବ ବୋଲି ଚାଷୀକୂଳ ଆଶଙ୍କା କରିଛି । ଏଭଳି ସ୍ଥିତିରେ ବର୍ଷକର ରୋଜଗାରକୁ କିଭଳି ଅମଳ କରିବ ସେ ନେଇ ଚାଷୀ ଚିନ୍ତାରେ ପଡିଛି । ଏ ନେଇ ହିଞ୍ଜିଳିକାଟୁ ସହକାରୀ କୃଷି ଅଧିକାରୀ ବିଘ୍ନରାଜ ସେଠିଙ୍କୁ ପଚାରିବାରୁ ସେ କୁହନ୍ତି କ୍ଷେତ୍ର କର୍ମଚାରୀ ମାନେ ଘଟଣା ସ୍ଥଳକୁ ଯାଇ ଅନୁଧ୍ୟାନ କରୁଛନ୍ତି । କେତେ ପରିମାଣରେ ଧାନଚାଷ ନଷ୍ଟ ହୋଇଛି, ସଠିକ୍ ତଥ୍ୟ ଜଣାପଡିନାହିିଁ । ଅନୁରୂପ ଭାବେ ଗଞ୍ଜାମ ଜିଲ୍ଲାର ପନିପରିବା ହବ୍ ଭାବେ ଖ୍ୟାତି ଅର୍ଜନ କରିଥିବା ହିଞ୍ଜିଳିକାଟୁ ବ୍ଳକର ବୁରୁପୋଡା, ସିକିରି, ରାଳବ, ଖରିଡା, ଆଲପୁର, ଶାସନଆମ୍ବଗାଁ, ଖଣ୍ଡରା, ଚାନ୍ଦୁଲି ପ୍ରଭୃତି ଅଞ୍ଚଳର ପନିପରିବା ଚାଷ ବର୍ଷା ପାଣିରେ ପଚି ନଷ୍ଟ ହେବା ଆଶଙ୍କା ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ