ଲଘୁଚାପ ବର୍ଷାରେ ଧୋଇଗଲା ନିର୍ମାଣ ହୋଇଥିବା ରାସ୍ତା ଓ କଲଭର୍ଟ
ନାଉଗାଁ, (ଓ୍ବାଇଏନ୍ଏସ୍):ନାଉଗାଁ ବ୍ଳକ ଅନ୍ତର୍ଗତ ଡେରିକି ପଂଚାୟତର ବାଲିଚନ୍ଦ୍ରପୁର ଠାରେ ନିର୍ମାଣ କରାଯାଇଥିବା ରାସ୍ତା ଓ କଲଭର୍ଟଟି ଗତ ଲଘୁଚାପ ଜନିତ ବର୍ଷାରେ ଧୋଇଯାଇଛି । ରାସ୍ତା ଓ କଲଭର୍ଟ ଧୋଇ ଯିବା ଫଳରେ ୩ ପରିବାର ଯାତାୟାତରେ ସମସ୍ୟା ସୃଷ୍ଟି ହେଉଥିବା ବେଳେ ଯୋଗାଯୋଗ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି । ସ୍ଥାନୀୟ ଲୋକଙ୍କ ସୂଚନାନୁଯାୟୀ ଭଟଣାନଦୀ ଓ ପାଟନାଳି ମଧ୍ୟରେ ଥିବା ସ୍ଥାନରେ ୩ ପରିବାର ବାସଗୃହ ନିର୍ମାଣ କରିବା ସହିତ ଗୃହପାଳିତ ପଶୁ ଆଦି ରଖି ରହିଛନ୍ତି । ସେହି ସ୍ଥାନରେ ଉକ୍ତ ଗ୍ରାମର ଅନେକ ଲୋକଙ୍କର ଚାଷ ଜମି ମଧ୍ୟ ରହିଛି । ପାଟ ନାଳି ମଧ୍ୟରେ ସରକାରଙ୍କ ଅନୁଦାନ ପାଣ୍ଠିରୁ ୧ ଲକ୍ଷ ଟଙ୍କା ବ୍ୟୟ କରାଯାଇ ଏକ କଲଭର୍ଟ ନିର୍ମାଣ ସହ ଗ୍ରାମ୍ୟ ରାସ୍ତାକୁ ସଂଯୋଗ କରାଯାଇ ଏକ ରାସ୍ତା ନିର୍ମାଣ କରାଯାଇଥିଲା । କଲଭର୍ଟ ଦ୍ୱାରା ଜଳ ନିଷ୍କାସନ ହେଉଥିବା ବେଳେ ସଂଯୋଗୀକରଣ ରାସ୍ତାରେ ଜନସାଧାରଣ ଯିବା ଆସିବା କରୁଥିଲେ । କାର୍ଯ୍ୟ ନିମ୍ନମାନର ହୋଇଥିବା ଯୋଗୁ ପ୍ରବଳ ବର୍ଷା ହେବା ଫଳରେ ରାସ୍ତା ଓ କଲଭର୍ଟଟି ସଂପୂନ୍ନ ଧସି ଯାଇଛି । ତେଣୁ ଉକ୍ତ ରାସ୍ତାକୁ ପୁନର୍ବାର ମରାମତି କରିବା ପାଇଁ ଶିବଚରଣ ଦାସ, ଅଭୟ ବେହେରା, ବିଜୟ ବେହେରା, ଡମ୍ବୁର ଦାସ, ଭୋଳି ମଲ୍ଲିକ, ରାକେଶ ମଲ୍ଲିକ, ଅନାମ ସେଠୀ, କୈଳାସ ମଲ୍ଲିକ ଆଦି ପ୍ରଶାସନ ନିକଟରେ ଦୃଢ ଦାବି କରିଛନ୍ତି ।


