ଲତାଙ୍କ କମେଣ୍ଟର ଜବାବ ରଖିଲେ ରାନୁ
“କପି କର କିନ୍ତୁ ନିଜର ମଧ୍ୟ କିଛି ନୂଆ ଅନ୍ଦାଜ ଆଣ ।’ ଲତା ମଙ୍ଗେସକରଙ୍କ ଗୀତ ଗାଇ ରାତାରାତି ଷ୍ଟାର ପାଲଟିଥିବା ରାନୁ ମଣ୍ଡଲଙ୍କୁ କିଛି ଦିନ ପୂର୍ବରୁ ଏପରି ଉପଦେଶ ଦେଇଥିଲେ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର । ଏପରିକି ସମସ୍ତେ ତାଙ୍କୁ ଦ୍ୱିତୀୟ ଲତା ମଙ୍ଗେସକର ବି କହିବାକୁ ଲାଗିଲେ । ହେଲେ ଏହି ଭିଡିଓ ଯେତେବେଳେ କୋକିଳକଣ୍ଠୀ ଲତାଙ୍କ ପାଖରେ ପହଞ୍ଚିଥିଲା, ସେ ରାନୁଙ୍କୁ ନକଲ ନ କରିବା ପାଇଁ ଉପଦେଶ ଦେଇଥିଲେ । ଲତାଙ୍କ ଏହି ବୟାନ ରାନୁଙ୍କ ଫ୍ୟାନ୍ସଙ୍କୁ ଆଦୌ ପସନ୍ଦ ଆସି ନଥିଲା । ତେବେ ଏହି ମାମଲାରେ ପ୍ରଥମ ଥର ପାଇଁ ରାନୁ ମୁହଁ ଖୋଲିଛନ୍ତି ।
ନିକଟରେ ରାନୁଙ୍କର ପ୍ରଥମ ଗୀତ “ତେରି ମେରି କାହାନୀ’ ରିଲିଜ୍ ହୋଇଛି । ଏହି ଗୀତର ଲଞ୍ଚ୍ ଇଭେଣ୍ଟକୁ ରାନୁ ଖୁବ ସୁନ୍ଦର ଭାବେ ସଜବାଜ ହୋଇ ପହଞ୍ଚିଥିଲେ । ଏହି ଅବସରରେ ରାନୁ ଗଣମାଧ୍ୟମ ସହ ପ୍ରଥମ ଥର ପାଇଁ ଖୋଲାଖୋଲି ଭାବେ କଥା ହୋଇଥିଲେ । ତେବେ ରାନୁଙ୍କୁ ଯେତେବେଳେ ଲତା ମଙ୍ଗେସକରଙ୍କ ବୟାନକୁ ନେଇ ପ୍ରଶ୍ନ କରାଗଲା ସେ କହିଥିଲେ, “ମୁଁ ପିଲାଟିବେଳୁ ଲତା ଦିଦିଙ୍କ ଗୀତ ଗାଇଆସୁଛି । ମୋତେ ତାଙ୍କ ଗୀତ ବହୁତ ଭଲ ଲାଗେ । ଲୋକମାନେ ମୋତେ କୁହନ୍ତି ଯେ ମୋର କଣ୍ଠ ଲତା ଦିଦିଙ୍କ କଣ୍ଠ ସହ ମିଶେ ଓ ମୁଁ ଏଥିପାଇଁ ନିଜକୁ ବହୁତ ଭାଗ୍ୟଶାଳୀ ମାନେ ।’ ରାନୁଙ୍କ ପୂର୍ବରୁ ହିମେଶ ରେଶମିୟା ମଧ୍ୟ ଏହି ମାମଲାରେ ପ୍ରତିକ୍ରିୟା ଦେଇଥିଲେ । ସେ କହିଥିଲେ, “ମୋତେ ଦେଖିବାକୁ ହେବ ଯେ ସେ ଏପରି କେଉଁ ଦୃଷ୍ଟିରୁ କହିଛନ୍ତି । ମୁଁ ଅନୁଭବ କରେ ଯେ କୌଣସି ବି ଗାୟକଙ୍କର ନକଲ କରିବା କେବେ କାମରେ ଆସେନାହିଁ । ହେଲେ ମୁଁ ଏହା ମଧ୍ୟ ମାନେ ଯେ କାହାଠୁ ପ୍ରେରଣା ନେବା ମଧ୍ୟ ଅନେକ ଜରୁରୀ ହୋଇଥାଏ । ରାନୁଙ୍କୁ ଏହି ଟ୍ୟାଲେଣ୍ଟ ଜନ୍ମରୁ ମିଳିଛି । ସେ ଲତା ଦିଦିଙ୍କଠୁ ପ୍ରେରିତ ହୋଇଛନ୍ତି । ତେଣୁ ମୋତେ ଲାଗେନାହିଁ ଯେ ରାନୁ କାହାର ବି ନକଲ କରିଛନ୍ତି ।’ ସୂଚନା ଯୋଗ୍ୟ, ପଶ୍ଚିମବଙ୍ଗର ରାଣଘାଟ ରେଳଷ୍ଟେସନ୍ରେ ଲତା ମଙ୍ଗେସକରଙ୍କ ଗୀତ ଗାଇ ରାତାରାତି ଷ୍ଟାର ପାଲଟିଥିବା ରାନୁ ଏବେ ବଲିଉଡର ପ୍ଲେବ୍ୟାକ୍ ସିଙ୍ଗର ହୋଇଯାଇଛନ୍ତି । ରେଳଷ୍ଟେସନରେ ରାନୁ ଲତା ମଙ୍ଗେସକରଙ୍କ ଗୀତ “ଏକ ପ୍ୟାର କା ନଗମା ହୈ’ ଗାଇବାର ଭିଡିଓ ଏତେ ମାତ୍ରାରେ ଭାଇରାଲ ହୋଇଥିଲା ଯେ ବଲିଉଡର ସେଲେବ୍ରିଟିମାନଙ୍କ ପାଖରେ ମଧ୍ୟ ପହଞ୍ଚିଗଲା ତାଙ୍କ ପ୍ରତିଭା । ସମସ୍ତେ ରାନୁଙ୍କର ବେଶ୍ ପ୍ରଶଂସା କରିଥିଲେ ।