ଲଦାଖ ସମେତ ଗୁଜୁରାଟ ଓ ମିଜୋରାମର ଭୂକମ୍ପର ଝଟକା
ନୂଆଦିଲ୍ଲୀ , କରୋନା ସଙ୍କଟ ମଧ୍ୟରେ ଦେଶରେ ବାରମ୍ବାର ଭୂକମ୍ପ ଅନୁଭୂତ ହେଉଛି । ରବିବାର ସକାଳେ ଲଦାଖରେ ଭୂକମ୍ପ ଘଟିଥିଲା, ତା’ପରେ ସନ୍ଧ୍ୟାରେ ଗୁଜୁରାଟ ଏବଂ ମିଜୋରାମରେ ୧୫ ମିନିଟର ବ୍ୟବଧାନରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ରବିବାର ସନ୍ଧ୍ୟା ୫.୧୧ ରେ ଗୁଜୁରାଟର କଚ୍ଛ ଅଂଚଳରେ ଭୂକମ୍ପ ହୋଇଥିଲା । ତା’ପରେ ୧୫ ମିନିଟ୍ ପରେ ମିଜୋରାମରେ ମଧ୍ୟ କମ୍ପନ ଅନୁଭୂତ ହେଲା ।ଗୁଜୁରାଟର କଚ୍ଛରେ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୨ ମାପ କରାଯାଇଥିଲା । ଭୂକମ୍ପର କେନ୍ଦ୍ରବିନ୍ଦୁ ଭଚାଉ ନିକଟରେ ରହିଲା । ଏହାର ପ୍ରାୟ ୧୫ ମିନିଟ୍ ପରେ, ମିଜୋରାମର ଚମ୍ପାଇ ଜିଲ୍ଲାରେ ମଧ୍ୟ ଏକ ଭୂକମ୍ପ ହୋଇଥିଲା ଯେଉଁଠାରେ ଏହାର ତୀବ୍ରତା ୪.୬ ଥିଲା ।ଏହାପୂର୍ବରୁ ଆଜି ଲଦାଖର କାର୍ଗିଲରେ ୩.୩୭ ମିନିଟରେ ଭୂକମ୍ପ ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୪.୭ ଥିଲା । ନ୍ୟାସନାଲ ସେଂଟର ଫର ସେସମୋଲୋଜି ଅନୁଯାୟୀ ଏହି ଭୂକମ୍ପର କେନ୍ଦ୍ରସ୍ଥଳ କାର୍ଗିଲଠାରୁ ୪୩୩ କିଲୋମିଟର ଉତର-ଉତର-ପଶ୍ଚିମ ଦିଗରେ ଥିଲା । ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି କିମ୍ବା ସମ୍ପତି ନଷ୍ଟ ହୋଇ ନାହିଁ ।


