ଲୁଥେରାନ ଦୁଷ୍କର୍ମ ଘଟଣା : ଅଭିଯୁକ୍ତଙ୍କ ସମେତ ସମିତି ସଭାପତି, ଭାରପ୍ରାପ୍ତ ଡିସିପିଓ ଓ ପିଓଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦେଶ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): ଲୁଥେରାନ ମହିଳା ସମିତିର ଶିଶୁ ଯତ୍ନ ଅନୁଷ୍ଠାନର ମହିଳା କର୍ମଚାରୀଙ୍କୁ ଦୁଷ୍କର୍ମରୁ ଶିଶୁପୁତ୍ର ଜନ୍ମ ଘଟଣାରେ ଲୁଥେରାନର ସଭାପତି, ସିସିଆଇର ସୁପରିନଟେଣ୍ଡେଟ, ଭାରପ୍ରାପ୍ତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏବଂ ପି.ଓ. ଆଇ.ସି.ଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ରାପଡା ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ନିର୍ଦେଶ ଦେଇଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ । କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ପାଟଳିପଙ୍କସ୍ଥିତ ଲୁଥେରାନ ମହିଳା ସମିତି ଶିଶୁ ଯତ୍ନ ଅନୁଷ୍ଠାନର ହାଉସକିପର ଭାବେ କାର୍ଯ୍ୟରତ ଜନୈକ ମହିଳା କର୍ମଚାରୀଙ୍କ ସହ ବାରମ୍ବାର ଦୁଷ୍କର୍ମରୁ ତାଙ୍କର ଏକ ଶିଶୁପୁତ୍ର ଜନ୍ମ ହୋଇଥିବା ସମ୍ପର୍କରେ ସମ୍ପାଦିକା ମିନାରାଣୀ ଭୂୟାଁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିଲେ । ସେହି ସଂଗୀନ ଅଭିଯୋଗ ପାଇବା ପରେ ଆୟୋଗର ଅଧ୍ୟକ୍ଷା ଲୁଥେରାନର ଶିଶୁ ଯତ୍ନ ଅନୁଷ୍ଠାନକୁ ଚଳିତମାସ ୫ତାରିଖରେ ଘଟଣାର ତଦନ୍ତ ପାଇଁ ଆସିଥିଲେ । ଅଧ୍ୟକ୍ଷା ତଦନ୍ତ ସମୟରେ ଜାଣିବାକୁ ପାଇଥିଲେ ଯେ ଲୁଥେରାନ ମହିଳା ସମିତିର ସଭାପତି ଓ ସୁପରିନଟେଣ୍ଡେଟ ଘରକାମ କରିବା ପାଇଁ ଜଗନ୍ନାଥ ତ୍ରିପାଠୀଙ୍କ ଘରକୁ ଯିବାକୁ ସଂପୃକ୍ତ ହାଉସକିପରଙ୍କୁ ବାଧ୍ୟ କରିଥିଲେ । ଯାହାଦ୍ୱାରା ହାଉସକିପର ମହିଳା କର୍ମଚାରୀ ଜଣଙ୍କ ତାଙ୍କ ଘରକୁ କାମକରିବାକୁ ଯାଇଥିବା ସମୟରେ ସଭାପତିଙ୍କ ଭାଇ ଜଗନ୍ନାଥ ତ୍ରିପାଠୀ ପିଡିତାଙ୍କୁ ଜୋରଜବରଦସ୍ତି ପିଡିତାଙ୍କ ଇଛା ବିରୋଧରେ ଦୁଷ୍କର୍ମ କରିଥିଲେ । ଏସମ୍ପର୍କରେ ପିଡିତା ଜଣଙ୍କ ସଭାପତି ଓ ସୁପରିନଟେଣ୍ଡେଟଙ୍କୁ ଜଣାଇଥିଲେ ବି ଉଭୟ ସେଥିପ୍ରତି କର୍ଣ୍ଣପାତ ନକରି ପିଡିତାଙ୍କୁ ସେଠାକୁ କାମକରିବାକୁ ଯିବା ପାଇଁ ପୁନର୍ବାର ବାଧ୍ୟ କରିଥିଲେ । ପିଡିତାଙ୍କ ସହ ଏଭଳି ବାରମ୍ବାର ଦୁଷ୍କର୍ମ କରାଯିବା ଫଳରେ ପିଡିତା ଏକ ଶିଶୁପୁତ୍ରକୁ ଜନ୍ମଦେଇଥିଲେ । ଏସମ୍ପର୍କରେ ମଧ୍ୟ ପିଡିତା ଉଭୟ ଲୁଥେରାନର ସଭାପତି ଓ ସୁପରିନଟେଣ୍ଡେଟଙ୍କୁ ଜଣାଇଥିଲେ ମଧ୍ୟ ସେମାନେ ସେହି ଘଟଣାକୁ ଚାପିଦେବା ପାଇଁ ପିଡିତାଙ୍କୁ ଧମକ ଦେବା ସହ ଘଟଣା ବାହାରେ ପ୍ରକାଶ କଲେ ତାଙ୍କ ଶିଶୁପୁତ୍ରକୁ ମାରିଦେଇ ସମସ୍ତ ପ୍ରମାଣ ନଷ୍ଟ କରିଦିଆଯିବ ବୋଲି କହିଥିବା ସେ ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିଲେ । ତେଣୁ ସେ ଭୟଭିତ ହୋଇ କୈାଣସି ଆଇନଗତ ପଦକ୍ଷେପ ନେଇନଥିବା କହିଥିଲେ । ଏଥିସହିତ ପିଡିତା ଓ ତାଙ୍କ ଶିଶୁପୁତ୍ରର ସୁରକ୍ଷା ନିମନ୍ତେ ଉଭୟଙ୍କୁ ଆବଶ୍ୟକ ସୁରକ୍ଷା ଯୋଗାଇ ଦିଆଯିବା ସହ ତାଙ୍କୁ ନ୍ୟାୟ ପ୍ରଦାନ କରାଯିବାକୁ ପିଡିତା ଆୟୋଗଙ୍କୁ ନିବେଦନ କରିଥିଲେ । ଆୟୋଗ ଅଧ୍ୟକ୍ଷା ତାଙ୍କ ଗସ୍ତ ସମୟରେ ଲୁଥେରାନର ଉପସଭାପତି, ବର୍ତ୍ତମାନର ସମ୍ପାଦିକା, ଶିଶୁଯତ୍ନ ଅନୁଷ୍ଠାନର ସଦସ୍ୟା, ହାଉସମଦର ଏବଂ ସମାଜସେବୀ ମମତା ସାମନ୍ତରାୟଙ୍କ ଠାରୁ ନେଇଥିବା ବୟାନ ସହିତ ପିଡିତାଙ୍କ ବୟାନ ମେଳଖାଉଥିବା ଆୟୋଗର ଅଧ୍ୟକ୍ଷା ଅନୁଭବ କରିଛନ୍ତି । ପିଡିତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତ ଲୁଥେରାନର ସଭାପତିଙ୍କ ଭାଇ ଓ ସୁପରିନଟେଣ୍ଡେଟଙ୍କ ପିତା ବୋଲି ଆୟୋଗଙ୍କ ନିକଟରେ ଅଭିଯୋଗ ହୋଇଛି । ଉଭୟ ସଭାପତି ଏବଂ ସୁପରିନଟେଣ୍ଡେଟ କ୍ଷମତାକୁ ଜାହିର କରି ଶିଶୁ ଯତ୍ନ ଅନୁଷ୍ଠାନକୁ ସେମାନଙ୍କ ଅକ୍ତିଆରରେ ରଖିବାକୁ ପ୍ରୟାସ କରୁଥିବା ଆୟୋଗ କହିଛନ୍ତି । ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀମାନେ ରହୁଥିବା ଗୃହଟି ସୁରକ୍ଷିତ ଅବସ୍ଥାରେ ନଥିବା ବେଳେ ସେଠାକାର ପାରିପାଶ୍ୱର୍ିକ ଅବସ୍ଥା ଓ ପରିବେଶ ଅସ୍ୱାସ୍ଥ୍ୟକର ବୋଲି ଆୟୋଗର ଅଧ୍ୟକ୍ଷା କହିଛନ୍ତି । ଭାରପ୍ରାପ୍ତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ପି.ଓ. ଆଇ.ସି.ଙ୍କ ଭୂମିକା ସନ୍ଦେହ ଜନକ ଏବଂ ଉଭୟଙ୍କର ଲୁଥେରାନର ସଭାପତି ଓ ସୁପରିନଟେଣ୍ଡେଟଙ୍କ ସହ ଭିତିରି ସମ୍ପର୍କ ରହିଥିବା ଶିଶୁ ଯତ୍ନ ଅନୁଷ୍ଠାନର କର୍ମକର୍ତ୍ତା ଓ କର୍ମଚାରୀମାନଙ୍କ ଠାରୁ ଅଧ୍ୟକ୍ଷା ଜାଣିବାକୁ ପାଇଛନ୍ତି । ଉଭୟ ସରକାରୀ ଅଧିକାରୀ ସେମାନଙ୍କର ଦାୟୀତ୍ୱ ସଠିକ ଭାବରେ ନିର୍ବାହ କରିନଥିବା ଏବଂ ଉଭୟ ଅଧିକାରୀ ନିଜ ନିଜର ଦାୟୀତ୍ୱ ଓ କର୍ତ୍ତବ୍ୟ ସମ୍ପାଦନରେ ଗୁରୁତ୍ତର ଅବହେଳା କରିଥିବା ଆୟୋଗ ଅଧ୍ୟକ୍ଷା କହିଛନ୍ତି । ଲୁଥେରାନର ଉଭୟ ସଭାପତି ଏବଂ ସୁପରିନଟେଣ୍ଡେଟଙ୍କ ସହିତ ଭାରପ୍ରାପ୍ତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ପି.ଓ. ଆଇ.ସି.ଙ୍କ ମିଳିତ ଷଡଯନ୍ତ୍ର ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବସୀଙ୍କ ଭବିଷ୍ୟତକୁ ଅନ୍ଧାର ମଧ୍ୟକୁ ଠେଲି ଦେଇଥିବା ଆୟୋଗର ଅଧ୍ୟକ୍ଷା କହିଛନ୍ତି । ଆର୍ଥିକ ଅନାଟନ ଯୋଗୁଁ ଶିଶୁ ଯତ୍ନ ଅନୁଷ୍ଠାନର ପିଲାମାନେ ସଠିକ ଭାବରେ ଲାଳନପାଳନ ହୋଇପାରୁ ନଥିବାରୁ ଜିଲ୍ଲା ପ୍ରସାସନ ସେମାନଙ୍କ ଯତ୍ନ, ସୁରକ୍ଷା ଓ ଲାଳନପାଳନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଆୟୋଗ ନିର୍ଦେଶ ଦେଇଛନ୍ତି । ଏହି ଘଟଣାରେ ଅପରାଧର ଗଭୀରତାକୁ ଉପଲବ୍ଧି କରି ଆୟୋଗର ଅଧ୍ୟକ୍ଷା ଲୁଥେରାନର ସଭାପତି, ସୁପରିନଟେଣ୍ଡେଟ, ଭାରପ୍ରାପ୍ତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ପି.ଓ. ଆଇ.ସି.ଙ୍କ ବିରୋଧରେ ପିଡିତାଙ୍କୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ଦୃଷ୍ଟାନ୍ତମୂଳକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ନିର୍ଦେଶ ଦେଇଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ