ଲୁହା ପ୍ଲେଟ ବୋଝେଇ ଟ୍ରଲର ଦୁର୍ଘଟଣା ଗ୍ରସ୍ତ, ଚାଳକ ଗୁରୁତର
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଞ୍ଜିଳି ଥାନା ତଥା ୫୯ନଂ ଜାତୀୟ ରାଜପଥରେ ଦୁର୍ଘଟଣା ପ୍ରବଣ ସ୍ଥାନ ଭାବେ ପରିଚିତ ସୋମପୁର ଛକ ନିକଟରେ ଗୁରୁବାର ଲୁହା ପ୍ଲେଟ ବୋଝେଇ ହୋଇଥିବା ଟ୍ରଲର (ଓଡ଼ି ୧୪ କ୍ୟୁ ୫୨୪୯) ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୂର୍ଘଟଣାରେ ଟ୍ରଲର ଚାଳକ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣଙ୍କ ହେଲେ ବିହାର ରାଜ୍ୟ ଜମଲପୁର ଥାନା ଛପ୍ରା ଅଞ୍ଚଳର ବିଗନ କୁମାର (୨୪) । ବିଶାଖା ପାଟଣା ଠାରୁ ବେଲପାହାଡ ଅଭିମୁଖେ ମାଲ୍ ପରିବହନ ବେଳେ କୌଣସି କାରଣରୁ ଚାଳକ ଟ୍ରଲର କୁ ନିୟନ୍ତ୍ରଣ ହରାଇ ଥିଲେ। ଫଳରେ ହିଞ୍ଜିଳିକାଟୁ ପୌରାଞ୍ଚଳ ସୀମାର ସୋମପୁର ଛକ ଠାରେ ଥିବା ପ୍ରଦର୍ଶନୀ ଫଳକର ଲୁହାଖମ୍ବକୁ ଧକ୍କା ଦେଇ ଜାତୀୟ ରାଜପଥର ମେଡିଆନ୍ ଉପରକୁ ଚଢ଼ି ଯାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଗୁରୁତର ଆହତ ଅବସ୍ଥାରେ ଥିବା ଟ୍ରଲର ଚାଳକଙ୍କୁ ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ପରେ ଅଧିକ ଚିକିତ୍ସା ପାଇଁ ଆହତ ଗାଡ଼ି ଚାଳକକୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।ଖବର ପାଇ ହିଞ୍ଜିଳି ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଟ୍ରଲରକୁ ହଟାଇ ଟ୍ରାଫିକ ବ୍ୟବସ୍ଥା ନିୟନ୍ତ୍ରଣ କରିଥିଲେ । ଦୁର୍ଘଟଣା ସମୟରେ ଯାତାୟାତ କରୁଥିବା ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି। ଟ୍ରଲର ଚାଳକ ଜଣକ ବେପାରୁଆ ଭାବେ ଗାଡ଼ି ଚଲାଇ ଏପରି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ସୂଚନା ମିଳିଛି। ଖବର ଲେଖା ହେବା ସୁଦ୍ଧା ଘଟଣା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇନଥିବା ଜଣାପଡିଛି।
ଫୋଟ –