ଲେଖା ମରେନି
ଦିପ୍ତିମୟୀ ନାୟକ
ଲେଖିବାକୁ ଭଲପାଉଥିବା ଲେଖକର ଲେଖା କେବେ ମରେନି ହୁଏତ ଲେଖକ ମରିଯାଏ କିନ୍ତୁ ଲେଖା କେବେ ମରେନି | ଆଉ ଯଦି ଆପଣ ଭାବୁଥିବେ କୌଣସି କାଗଜରେ କିଛି ଲେଖି ସେହି ଲେଖାକୁ ଚିରି ଦେବା କିମ୍ବା ତାକୁ ଜାଳି ଦେବା ତାହାଲେ କଣ ସେହି ଲେଖା ସେଇଠୁ ମରିଯାଏ କି | ଏହାର ଉତ୍ତର ହେବ ଲେଖାକୁ ଚିରି ଦେଲେ କିମ୍ବା ଲେଖାକୁ ଜାଳିଦେଲେ ସେହି ଲେଖା ସେହିଠୁ ବନ୍ଦ ହୋଇଯିବନି ବରଂ ଏ ମନ ଆଉ ମୁଣ୍ଡ ସବୁବେଳେ ବାସ୍ତବ ଜୀବନର ନିରାଟ କାହାଣୀ ଲେଖି ଚାଲୁଥିବ | କେତେବେଳେ ସୁଖ ଆଉ କେତେବେଳେ ଦୁଃଖକୁ ନେଇ ଲେଖକର ରଚନା ସେମିତି ଚାଲିଥିବା ଯେତେବେଳେ ଗୋଟେ ଲେଖକ ନିଜ ଜୀବନକୁ ବୁଝି ଅନ୍ୟ ଜୀବନକୁ ବୁଝିବା ଆରମ୍ଭ କରିଥିବ | ଜୀବନକୁ ସେହିମାନେ ବୁଝନ୍ତି ଯେଉଁମାନେ ଜୀବନ ସହ ସଂଘର୍ଷ କରି ଦୁଃଖରେ ଥାଇ ଅନ୍ୟର ସୁଖ କଥା ଚିନ୍ତା କରନ୍ତି | ଆଉ ଏହିସବୁ ଭିତରେ ଯେତେବେଳେ ଗୋଟେ ସାଧାରଣ ମଣିଷଟିଏ ଭାବବିହ୍ଵଳ ହୋଇଯାଏ ସେତେବେଳେ ହୁଏତ ସେ ଲେଖିବା ଆରମ୍ଭ କରି ଲେଖକଟିଏ ହୋଇଯାଏ | କେହି କେହି କୁହନ୍ତି ଲେଖିବା ସହଜ ନୁହେଁ ଏହା ଏକ ଈଶ୍ୱରୀୟ କୃପା | କବି ଉପେନ୍ଦ୍ର ଭଞ୍ଜ ମଧ୍ୟ ନିଜ କବିତ୍ୱକୁ ତାଙ୍କ ନିଜର ବ୍ୟକ୍ତିଗତ ପରାକାଷ୍ଠା ନୁହେଁ ବରଂ ଏକ ଈଶ୍ୱରୀୟ କୃପାବୋଲି କହିଥିଲେ | ସେହିପରି ସାରଳା ଦାସ ନିଜ କବିତ୍ୱର ଶ୍ରେୟ ମା’ ଶାରଳାଙ୍କୁ ଓ ଅତିବଡ଼ି ଜଗନ୍ନାଥ ଦାସ ଏହି ଶ୍ରେୟ ମହାପ୍ରଭୁ ଜଗନ୍ନାଥଙ୍କୁ ପ୍ରଦାନ କରିଥିଲେ ଏବଂ ଏହି ମହାମନିଷୀମାନେ ବିଶ୍ୱାସ କରୁଥିଲେ ସେମାନଙ୍କ ଲେଖନୀ ନିଜ ଦ୍ୱାରା ନୁହେଁ ଏକ ଅଲୌକିକ ଶକ୍ତି ଦ୍ୱାରା ପରିଚାଳିତ ହୋଇଥାଏ | ତେବେ ଅନ୍ୟପକ୍ଷରେ ଦେଖିବାକୁ ଗଲେ ଲେଖକର ଭାବପ୍ରବଣ ମନ ହିଁ ସାହିତ୍ୟର ସର୍ଜନା କରିଥାଏ | କେତେବେଳେ ନିଛାଟିଆ ଜାଗା ତ ଆଉ କେତେବେଳେ ନିଛାଟିଆ ରାତି ହିଁ ତାର ସାଥି ହୋଇ କଲମ ଚଲେଇବାରେ ସଫଳ ହୋଇଥାଏ | କେବଳ କଲମ ଧରିଦେଲେ ଯେ କେହି ଜଣେ ଲେଖକ ହୋଇଯିବ ସେଟା ଭାବିବା ଭୁଲ କାହିଁକି ନା କଲମ ଧରି ଯଦି କଲମ ଚାଳନା ନ ଆସେ ସେହି ଲେଖାର କିଛି ଯଥାର୍ଥତା କିଛି ନଥାଏ | ଆଜିକାଲି ପ୍ରାୟତଃ ଦାମୀ କଲମ ଧରି ଅନେକ ଲେଖକ ନିଜ ଲେଖାକୁ ନେଇ ଗର୍ବ କରି କୁହନ୍ତି ଆମେ ଏମିତି ଲେଖୁ ସେମିତି ଲେଖୁ କିନ୍ତୁ ସେହି ଲେଖାକୁ ଦେଖି ଏମିତି ଲାଗେ ଦାମୀ କଲମ ସିନା ଧରିଛି ହେଲେ ଦାମିକିଆ ଲେଖାଟିଏ କାହିଁକି ହୋଇନି | କାହା ଲେଖାକୁ ତାଚ୍ଛଲ୍ୟ କରିବା ମୋର ଉଦେଶ୍ୟ ନୁହେଁ କିନ୍ତୁ ଆଜିକାଲିର କିଛି ଲେଖକ ପଇସା ପାଇଁ ଲେଖୁଛନ୍ତି ଆଉ ପଇସା ପାଇଁ ନିଜ ଲେଖାକୁ ବିକ୍ରି କରୁଛନ୍ତି | ଯେଉଁ ମହତ ଉଦେଶ୍ୟ ପାଇଁ କଲମ ଚାଲିବା କଥା ଏଠି କିଛି ଲେଖକ ଏମିତି ଅଛନ୍ତି ଜୀବନର ଏବଂ ସମାଜର ବାସ୍ତବ ସତକୁ ଲୁଚେଇ ମିଛ ଦୁନିଆର ମିଛୁଆ କଥାକୁ ଲେଖାରେ ଦେଇଥାନ୍ତି ଛପେଇ କିନ୍ତୁ ଲାଭ କଣ କିଛି ନାହିଁ ନା ଆତ୍ମସନ୍ତୋଷ ଅଛି ନା ଲେଖାର କୌଣସି ଗୁରୁତ୍ୱ ଅଛି | କିନ୍ତୁ ପାଞ୍ଚ ଟଙ୍କିଆ କଲମର ଚାହିଦା ଅଛି ହୁଏତ କଲମ ଶସ୍ତା କିନ୍ତୁ ଶସ୍ତା ଲେଖା ହୋଇନଥାଏ | ଯେଉଁମାନେ ଦାମୀ କଲମ ଧରି ମିଛ ବାର୍ତ୍ତା ସମାଜକୁ ଦେଇଥାଆନ୍ତି ସେମାନଙ୍କ ଲେଖା ସେଇଠୁ ମରିଥାଏ କିନ୍ତୁ ଯିଏ ବାସ୍ତବ ଘଟଣାକୁ ଆଖି ଆଗରେ ରଖି ସମାଜକୁ ନୂତନ ବାର୍ତ୍ତା ଦେଉଥାଏ ସେ ଲେଖା କେବେ ମରିନଥାଏ | ତେବେ ଦାମୀ କଲମରେ କେହି ଲେଖିଦେଲେ କାହା ଲେଖା ଦାମିକିଆ ହୋଇଯିବନି ଯେପର୍ଯ୍ୟନ୍ତ ଗୋଟେ ଲେଖକର ଲେଖାକୁ ଅନ୍ୟ ଜଣଙ୍କ ମନକୁ ଛୁଇଁନି | ଲେଖକ ସେୟା ଲେଖେ ଯେତେବେଳେ ସମାଜକୁ ଏକ ନୂଆ ଦିଗ ଦେଖାଏ ଏବଂ ପାଠକୀୟ ମାନଙ୍କର ମତାମତ ଶୁଣି ଅନେକ ଗୁଡିଏ ପ୍ରେରଣା ପାଏ କିନ୍ତୁ ନିଜ ମନରେ ଅହଂକାର ରଖେନି | ତେବେ ସମାଜରେ ଲେଖା ସହ ଲେଖକର ଆବଶ୍ୟକତା ଅଛି କାହିଁକି ନା ଲେଖକ ମାଧ୍ୟମରେ ଲେଖା ହେଲେ ହିଁ ଏ ସମାଜରେ କିଛିଟା ପରିବର୍ତ୍ତନ ହୋଇପାରିବ |


