ଲେବର କାର୍ଡ ଥାଇ ଶ୍ରମିକ ପାଇଲେନି ଟଙ୍କା
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଓଡଙ୍ଗ ପଞ୍ଚାୟତ ବୋଡକ ପାଟଣାର ବୋଡକ ମହାଜୀବର ଗଙ୍ଗାଧର ଦାସଙ୍କ ପାଖରେ ଲେବର କାର୍ଡ ଥାଇ ମଧ୍ୟ ରାଜ୍ୟ ସରକାର ଘୋଷଣା କରିଥିବା ୧୫ ଶହ ଟଙ୍କା ପାଇବାରୁ ବଞ୍ôଚତ ହୋଇଛନ୍ତି । ସେ ଜଣେ ଗରିବଶ୍ରେଣୀର ବ୍ୟକ୍ତି ହୋଇଥିବାରୁ ତାଙ୍କୁ ତୁରନ୍ତ ଟଙ୍କା ଦିଆଯାଉବୋଲି ଗ୍ରାମବାସୀ ମାନେ ଦାବୀ କରିଛନ୍ତି । ପ୍ରକାଶ ଯେ, ସେ ନିର୍ମାଣ ଶ୍ରମିକ ଭାବରେ ଗତ ୨୦୧୬ ମସିହାରେ ଲେବର କାର୍ଡ ପାଇଥିଲେ । ସେତେବେଳେ ତାଙ୍କର ଲେବର କାର୍ଡ ଅନୁଯାୟୀ ୫୦ ବର୍ଷ ହୋଇଥିଲା । ତାଙ୍କର ରେଜିଷ୍ଟ୍ରେସନ ନଂ-ଓଆର-୦୪୩୮୦୬୮/୧୬ ଅଟେ । ପରେ ସେ ରିନ୍ୟୁଆଲ୍ କରିଥିଲେ ମଧ୍ୟ ତାଙ୍କୁ କରୋନା ସହାୟତା ମିଳିପାରିନାହିଁ । ତାଙ୍କର ଭୋଟର ପରିଚୟ ପତ୍ରରେ ୫୬ ବର୍ଷ ହୋଇଥିବା ବେଳେ ଭୁଲବଶତଃ ଆଧାରକାର୍ଡରେ ୬୫ ବର୍ଷ ହୋଇଛି ବୋଲି ତାଙ୍କୁ ସହାୟତା ରାଶି ମିଳିନଥିବା ସେ ଅଭିଯୋଗ କରିଛନ୍ତି । ଯଦି ତାଙ୍କର ୬୦ ବର୍ଷରୁ ଅଧିକ ହୋଇଛି ତେବେ କିପରି ଜିଲା ଶ୍ରମ କାର୍ଯ୍ୟାଳୟରେ ୨୦୧୯ ମସିହାରେ ରିନ୍ୟୁଆଲ୍ କରାଗଲା ସେନେଇ ସେ ପ୍ରଶ୍ନ ଉଠାଇଛନ୍ତି । ତେବେ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ସେ ଦାବୀ କରିଛନ୍ତି ।