ଲୋକକଳାର ପୂଜାରୀ ଶ୍ରୀ ଚନ୍ଦ୍ରମୋହନ ରାଉଳଙ୍କ ଉଚ୍ଚ କୋଟୀର ପାଲା ପରିବେଷଣ

ବାଲେଶ୍ବର, (ସରୋଜ ପଣ୍ଡା):ବାଲେଶ୍ବର ଜିଲ୍ଲା ନୀଳଗିରି ଉପଖଣ୍ଡ ସଦର ମହକୁମାରେ ଅନୁଷ୍ଠିତ ହେଉଥିବା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପବିତ୍ର ରଥଯାତ୍ରା ଅବସରରେ ଜିଲ୍ଲାର ବିଶିଷ୍ଟ ପାଲା ଗାୟକ ଶ୍ରୀ ଚନ୍ଦ୍ରମୋହନ ରାଉଳ ଦୀର୍ଘ ନବ ଦିନ ବ୍ୟାପୀ ଯାତ୍ରାରେ ପ୍ରତ୍ୟେହ ଉଚ୍ଚ କୋଟୀର ପାଲା ପରିବେଷଣ କରୁଛନ୍ତି। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ନିୟୋଜିତ ହୋଇ ଶ୍ରୀଗୁଣ୍ଡିଚାରେ ଦୁଇ ଦିନ ରଥ ଉପରେ ଏବଂ ପରେ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ପ୍ରତ୍ୟେକ ଦିନ ସେ ସଚେତନତା ମୂଳକ ଏବଂ ପ୍ରଚାର ଓ ପ୍ରସାର ଧର୍ମୀ ବିଷୟକ ପାଲା ପରିବେଷଣ କରୁଛନ୍ତି। ବାହୁଡା଼ ଯାତ୍ରା ଅବସରରେ ମଧ୍ୟ ଦୁଇ ଦିନ ରଥ ଉପରେ ସେ ପାଲା ପରିବେଷଣ କରିବେ। ପାଲା କଳା ପ୍ରତି ସମ୍ପୂର୍ଣ୍ଣ ଭାବେ ଉତ୍ସର୍ଗୀକୃତ ଶ୍ରୀ ଚନ୍ଦ୍ରମୋହନ ରାଉଳ ଏବଂ ତାଙ୍କ ପରିବାର।ପ୍ରକାଶ ଥାଉକି ବାଲେଶ୍ବର ଜିଲ୍ଲାର ଜଳେଶ୍ବର ବ୍ଲକ ଅନ୍ତର୍ଗତ ନାମ୍ପୋ ଅଞ୍ଚଳର ଶ୍ରୀ ଚନ୍ଦ୍ରମୋହନ ରାଉଳ ଏକାନ୍ନବର୍ତ୍ତୀ ପରିବାର ଭାବେ ସପରିବାର ପାଲା ପରିବେଷଣ କରୁଛନ୍ତି। ଏହି ପରିବାର ବିଭିନ୍ନ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାଲା ପରିବେଷଣ କରି ସମ୍ମାନିତ ହୋଇଛନ୍ତି। ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ସମର୍ପିତ ହୋଇ ଦୀର୍ଘ ବର୍ଷ ଧରି ରଥଯାତ୍ରା ସମୟରେ ଏହି ପରିବାର ନୀଳଗିରି ଠାରେ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ପାଲା ମାଧ୍ୟମରେ ଜନ ସଚେତନତା କାର୍ଯ୍ୟକ୍ରମ କରିଆସୁଛନ୍ତି। ଶ୍ରୀ ଚନ୍ଦ୍ରମୋହନ ରାଉଳ ସଂସ୍କୃତି ବିଭାଗ ତରଫରୁ ଜଳେଶ୍ବର ବ୍ଲକରେ ଲୋକକଳାକାର ମାନଙ୍କୁ ନେଇ ଗଠିତ ହୋଇଥିବା ବ୍ଲକ କଳା ସଂସ୍କୃତି ସଙ୍ଘର ଉପ ସଭାପତି ଭାବେ ଦାୟିତ୍ଵ ତୁଲାଇ ଆସୁଛନ୍ତି। ବିଭିନ୍ନ ସମୟରେ ସୂଚନା, ଶିକ୍ଷା ଓ ସଂଚାର (IEC) କାର୍ଯ୍ୟକ୍ରମରେ ସାମିଲ ହୋଇ ରାଜ୍ଯ ସରକାରଙ୍କର ବିଭିନ୍ନ ଯୋଜନା ଗୁଡ଼ିକୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଲା ମାଧ୍ୟମରେ ପରିବେଷଣ କରି ଲୋକମାନଙ୍କ ମଧ୍ୟରେ ଜନ ସଚେତନତା ସୃଷ୍ଟି କରିଥାନ୍ତି। ଏହି ପରିବାରର ବରିଷ୍ଠ କଳାକାର ଭାବେ ଶ୍ରୀ ଚନ୍ଦ୍ରମୋହନ ରାଉଳ ଏବଂ ତାଙ୍କ ସହଧର୍ମିଣୀ ଶ୍ରୀମତୀ ଗୀତା ରାଉଳ ‘ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ‘ ରେ ସାମିଲ ହୋଇ ରାଜ୍ଯ ସରକାରଙ୍କ ଠାରୁ ଜଣ ପିଛା ମାସିକ ୧୨୦୦/- ଟଙ୍କା ସହାୟତା ରାଶି ପାଉଛନ୍ତି। ଅନ୍ୟାନ୍ୟ ସରକାରୀ ସୁବିଧା ଭାବେ ଶ୍ରୀ ରାଉଳ ଜଳେଶ୍ବର ବ୍ଲକରୁ ଇନ୍ଦିରା ଆବାସ ଯୋଜନାରେ ଘର ପାଇବା ସହ ରାସନ କାର୍ଡ ମାଧ୍ୟମରେ ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ପାଉଛନ୍ତି। ପାଲା କଳାକୁ ଭଲ ପାଉଥିବା ଏହି ପରିବାର ଏହାକୁ ବୃତ୍ତି ଭାବେ ଗ୍ରହଣ କରି ଜିଲ୍ଲାରେ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ପାଲା କଳାକୁ ବଞ୍ଚାଇ ରଖିବାକୁ ଚନ୍ଦ୍ରମୋହନଙ୍କ ପିତା ସ୍ବର୍ଗତ ନିରଞ୍ଜନ ରାଉଳଙ୍କ ଠାରୁ ଆରମ୍ଭ କରି ତିନି ପିଢ଼ି ଧରି ଏହି ପରିବାରର ପ୍ରଚେଷ୍ଟା ବାସ୍ତବିକ ପ୍ରଶଂସା ଯୋଗ୍ୟ। ଯୁବ ପିଢ଼ି ଏବଂ ଅନ୍ୟ କଳାକାର ମାନେ ଏଥିରୁ ଅନୁପ୍ରେରିତ ହେଲେ ଓଡ଼ିଶାର ପୁରାତନ ପାଲା ସଂସ୍କୃତି ନିଶ୍ଚୟ ବଞ୍ଚି ରହି ପାରିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ