ଲୋପ ପାଉଛି ଔଷଧୀୟ ବୃକ୍ଷଲତା
ହିଂଜିଳିକାଟୁ, (ଶେଷଦେବ ସାହୁ) : ଏକଦା ହିଂଜଳା ବନକୁ କାଟି ସଫା କରିବା ପରେ ହିଂଜିଳିକାଟୁ ସହର ଭାବେ ପରିଚିତ ହୋଇଥିବା ଗାଁ ଗହଳିର ଲୋକମାନେ କୌଣସି ରୋଗରେ ଆକ୍ରାନ୍ତ ହେଲେ କବିରାଜ ମାନଙ୍କ ଠାରୁ ଚେରମୂଳି ଔଷଧ ଖାଇ ଆରୋଗ୍ୟ ଲାଭ କରୁଥିଲେ । ହେଲେ ବର୍ତମାନ ଡ଼ାକ୍ତରୀ ଔଷଧକୁ ଗୁରୁତ୍ୱ ଦିଆଯାଉଥିବାରୁ ଚେରମୂଳି ଔଷକ୍ଷର ଲୋକପ୍ରିୟତା କମିବାରେ ଲାଗିଛି । ଫଳରେ ଏହିସବୁ ଔଷଧୀୟ ବୃକ୍ଷ ଗୁଡ଼ିକ ରକ୍ଷଣାବେକ୍ଷଣ ଅଭାବରୁ ବିଲୁପ୍ତ ହେବାରେ ଲାଗିଛି । ଅତୀତରେ ଜଙ୍ଗଲର ସ୍ଥାନେ ସ୍ଥାନେ, ଦେବରାଳୟରେ ଅବା ନିଜ ବାଡ଼ିବଗିଚାରେ ଲୋକେମାନେ ବିଭିନ୍ନ ଔଷଧୀୟ ବୃକ୍ଷ ରୋପଣ କରୁଥିଲେ । ରାଜାରାଜୁଡ଼ା ସମୟରେ କ୍ୱିରାଜ ବା ବୈଦ୍ରମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ ଥିବାରୁ ଏ ସବୁ ବୃକ୍ଷରୋପଣ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଉଥିଲା । ଫଳରେ ସତାବରୀ, ସାଜୁକି, ଲୋଧା, ଧଳାଚିଟା, ପାତାଳଗରୁଡ଼, ଧାତୁରା, ଭାଲିଆ, ଅମରବେଲ, କଇଥ, ବ୍ରାହ୍ମଣ ଝାଟିଆ, କେଓକନ୍ଦା, ତାଲମାତନା, ଗିଲ, ଅରଖ ରକ୍ତଚିଟା, କଳା ବେଗୁନିଆ ପ୍ରଭୃତି ହଜାର ହଜାର ପ୍ରକାରର ଔଷଧୀୟ ବୃକ୍ଷ ପରିପୂର୍ଣ୍ଣ ଥିଲା । ମାତ୍ର କ୍ରମାଗତ ଭାବେ ସହରରେ ଶିଳ୍ପର ବିକାଶ, ରାସ୍ତାଘାଟ ନିର୍ମାଣ ଓ ର୍ଗଶ ଗଣ୍ଡା ଗଢି ଉଠିବା ଫଳରେ ଔଷଧୀୟ ବୃକ୍ଷର ଗୁରୁତ୍ୱକୁ ଦୃଷ୍ଟି ନଦେଇ ଆଖିବୁଜା ଜଙ୍ଗଲକାଟି ସଫା କରି ଦିଆଯିବା ସହ ବଣ ଜଙ୍ଗଲ ସୀମା କ୍ରମଶଃ ପଥର, ଖଣିମାପିଆ ମାନଙ୍କ ଅକ୍ତିଆରରେ ରହି ଔଷଧୀୟ ବୃକ୍ଷ ଗୁଡ଼ିକର ବିଲୁପ୍ତ ହେବାରେ ଲାଗିଲା । ସେହିଭଳି ଗାଁ ଗହଳି ମାନଙ୍କରେ ଥିବା ଅଁଳା, ହରିଡ଼ା, ବାହାଡ଼ା, ଡ଼ାଳିମ୍ବ, ଅରଖ, ଫାର୍ସା, ବେଲ, ପୁଦିନା, ପୂର୍ଣ୍ଣନବା, ଭୂଇଁ ଅଁଳା, ଘିକୁଆଁରି, ଜୁଆଣି, ଅପମାରଙ୍ଗ, ଚିରେଇତା, ଦେବଦାରୁ, ବାଘନସି, କରବୀ, କଳାମରିଚ, ରାଶୀ, ଧଳାକୋଳଥ, ମାଣ୍ଡିଆ, ଜାଇଫଳ, ମୁଥା, କଳାତୁଳସୀ, ଅଶ୍ୱଗନ୍ଧା, ବଉଳ, ନାଗରମଥା, ବାସଙ୍ଗପତ୍ର, ମଂଜୁଆତି ଆଦି ବିଭିନ୍ନ ପ୍ରକାରର ଗଦ, ଲାଜକୁଳି, କାଫଲ, ଗଜୁରାତିଭେଜି ବାଇଗଣ ଆଦି ଶହ ଶହ ଔଷଧୀୟ ବୃକ୍ଷ ଲୋପ ହୋଇଯିବାରୁ ଆଗାମୀ ପିଢି ଏସବୁ ନାଁ ଭୁଲିଗଲେଣି । ଦେଶରେ ପ୍ରାୟ ୧୮ ହଜାର ପ୍ରକାର ଔଷଧୀୟ ବୃକ୍ଷ ରହିଥିବା ବେଳେ ତନ୍ମଧ୍ୟରୁ ଆମ ରାଜ୍ୟରେ ୩୧ ଶହ ପ୍ରକାର ଔଷଧୀୟ ବୃକ୍ଷ ରହିଥିବା ଜଣାପଡ଼ିଛି । ଔଷଧୀୟ ବୃକ୍ଷର ସୁରକ୍ଷା ଲାଗି ରାଜ୍ୟରେ ଗତ ୨୦୦୨ ମସିହାରେ ରାଜ୍ୟ ଔଷଧୀୟ ବୃକ୍ଷ ପରିଷଦ ମଧ୍ୟ ଗଠନ କରାଯାଇଛି । ତା ସତ୍ୱେ ରାଜ୍ୟ ଓ ଜିଲ୍ଲାରେ ଔଷଧୀୟ ବୃକ୍ଷ ଗୁଡ଼ିକ ଲୋପ ପାଇଚାଲିଛି । ଆବଶ୍ୟକ ସୁରକ୍ଷା ଅଭାବରୁ ରାଜ୍ୟରେ ଥିବା ଔଷଧୀୟ ବୃକ୍ଷ ଗୁଡ଼ିକ ମଧ୍ୟରୁ ୫୦ ରୁ ୬୫ % ପ୍ରଜାତିର ବୃକ୍ଷ ବିଲୁପ୍ତ ହୋଇଯାଇଛି । ଫଳରେ ଆଗାମୀ ଦିନରେ ଆୟୁର୍ବେଦ ଔଷଧ ପ୍ରସ୍ତୁତିରେ ସମସ୍ୟା ସୃଷ୍ଟି ହେବ ବୋଲି ବୁଦ୍ଧୀଜିବି ମହଲରେ ମତ ପ୍ରକାଶ ପାଇଛି