ଶକ୍ତି ଉପାସନା ଓ ବିଜ୍ଞାନ

ଅଧ୍ୟାପକ ହେମନ୍ତ କୁମାର ଗନ୍ତାୟତ
ଆମ ସନାତନ ଧର୍ମର ସଂସ୍କୃତି ଅତୀବ ମହାନ୍ ଏବଂ ବିଜ୍ଞାନ ସମ୍ମତ। ଏହାର ବ୍ୟବହାରିକ ଏବଂ ଆଧ୍ୟାତ୍ମିକ କର୍ମାଦି, ବିଜ୍ଞାନ – ଦାର୍ଶନିକ ତତ୍ତ୍ୱାଦି ଉପରେ ଆଧାରିତ। ତେଣୁ ଏହି ଧର୍ମ ଯୁଗ ଯୁଗ ଧରି ମାନଵ ସମାଜକୁ ଦିଗ୍ଦର୍ଶନ ଦେଇଚାଲିଛି। ସେଥିମଧ୍ୟରୁ ଗୋଟିଏ ହେଉଛି “ଶକ୍ତି ଉପାସନା”। ଏହି ତାତ୍ତ୍ୱିକ ( ଶକ୍ତି ଉପାସନା ) ତତ୍ତ୍ଵକୁ ଜାଣିବାକୁ ହେଲେ, ସର୍ଵ ପ୍ରଥମେ ଏହାର ଶାବ୍ଦିକ ଓ ଦାର୍ଶନିକ ଅର୍ଥକୁ ବୁଝିବାକୁ ହେବ। ଯେପରି ଶକ୍ତି ଶବ୍ଦର ସଂସ୍କୃତ ଅର୍ଥ ” କାୟଜନନସାମର୍ଥ୍ୟମ୍” । ଅର୍ଥାତ୍ କାୟ ନାମ ଶରୀର ବା କୋଶ ସମୂହ, ଜନନ ନାମ ଉତ୍ପନ୍ନ କରିବା ଏବଂ ସାମର୍ଥ୍ୟମ୍ ନାମ କ୍ଷମତା। ସରଳ ଭାଷାରେ କହିବାକୁ ଗଲେ, ଯେ ସମସ୍ତ ବିଷୟ ସୃଷ୍ଟି କରିବାରେ ସମର୍ଥା ସେ ହେଉଛି ଶକ୍ତି। ବିଜ୍ଞାନ ଅନୁସାରେ, କାର୍ଯ୍ୟ କରିବାର ସାମର୍ଥ୍ୟକୁ ଶକ୍ତି ମଧ୍ଯ କୁହାଯାଏ । ସେଭଳି ଉପାସନାର ଅର୍ଥ ସେବା ବା ଶୁଶ୍ରୁଷା, ସଂସ୍କୃତରେ “ଉପାସନମିତି” ( ନିକଟରେ ବସିବା) କୁହାଯାଇଛି। ଅର୍ଥାତ୍ ଯାହାଙ୍କ ସମୀପରେ ବସି ଧ୍ୟାନକଲେ ତାହାଙ୍କ ଗୁଣାଦି ହୃଦୟରେ ସଞ୍ଚାରିତ ହୁଏ ଏବଂ ପବିତ୍ରତା, ଶାନ୍ତି ଓ ଆନନ୍ଦ ମିଳେ ତାହାକୁ ଉପାସନା କୁହାଯାଏ। ଯାହା ଆଜିର ସମୟରେ ସଭିଙ୍କ ପାଇଁ ଅପରିହାର୍ଯ୍ୟ।
ଏହି ଶକ୍ତିକୁ ନେଇ ଆଧୁନିକ ପଦାର୍ଥ ବିଜ୍ଞାନ କହେ ଯେ; ବ୍ରହ୍ମାଣ୍ଡର କୌଣସି ବି ବସ୍ତୁ ସ୍ଥାୟୀ ନୁହେଁ, ସବୁ କିଛି ଶକ୍ତିର ଏକ ରୂପାନ୍ତର ମାତ୍ର। ଆଲବର୍ଟ ଆଇନଷ୍ଟାଇନଙ୍କ ପ୍ରସିଦ୍ଧ ସୂତ୍ର E=mc² ପ୍ରମାଣିତ କରେ ଯେ, ବସ୍ତୁତ୍ଵ (Matter) ଏବଂ ଶକ୍ତି (Energy) ପରସ୍ପରଠାରୁ ଭିନ୍ନ ନୁହନ୍ତି, ବରଂ ଗୋଟିଏ ଅନ୍ୟରେ ଦେଖାଯାଉଥିବା ରୂପ। ଏ ଉପରେ ଆମ ଭାରତୀୟ ଋଷିମାନେ ହଜାର ହଜାର ବର୍ଷ ପୂର୍ବରୁ ଏହି ସତ୍ୟକୁ ଦର୍ଶନ ଶାସ୍ତ୍ର ମାଧ୍ୟମରେ ପ୍ରକାଶ୍ୟ କରିଛନ୍ତି। ସେମାନେ କହିଥିଲେ ଯେ ସଂସାରର ପ୍ରତ୍ୟେକ କଣିକାରେ “ଚିତ୍-ଶକ୍ତି” ବା ଚୈତନ୍ୟ ଶକ୍ତି ବିଦ୍ୟମାନ ରହିଛି। ଯାହା ବିଶ୍ଵ ବ୍ରହ୍ମାଣ୍ଡର ମୂଳ ଆଧାର। ଏହା ଦ୍ୱାରା ହିଁ ସୃଷ୍ଟି, ସ୍ଥିତି ଓ ପ୍ରଳୟ ନିୟନ୍ତ୍ରିତ ହୋଇଥାଏ। ଆମ୍ଭେମାନେ ଯେଉଁ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ କାଳୀ, ସରସ୍ଵତୀ ଓ ଲକ୍ଷ୍ମୀ କିମ୍ବା ନବଦୁର୍ଗା ଏବଂ ଦଶମହାବିଦ୍ୟାଙ୍କୁ ପୂଜା କରୁ, ସେମାନେ ପ୍ରକୃତରେ ପ୍ରକୃତିର ବିଭିନ୍ନ ଶକ୍ତି ଉତ୍ସର ପ୍ରତୀକ ଅଟନ୍ତି। ତେଣୁ ଦେବୀ ମାହାତ୍ମ୍ୟରେ କୁହା ଯାଇଛି: “ଯା ଦେବୀ ସର୍ବଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା”।
ଏ ଶକ୍ତିକୁ ନେଇ ସାଂଖ୍ୟ ଦର୍ଶନର ପ୍ରବର୍ତ୍ତକ ମହର୍ଷି କପିଳ କହିଛନ୍ତି ଯେ, ପ୍ରକୃତି (ଶକ୍ତି) ହେଉଛି ସମଗ୍ର ବ୍ରହ୍ମାଣ୍ଡର ମୂଳ କାରଣ। ସାଂଖ୍ୟ ମତରେ ସମଗ୍ର ସୃଷ୍ଟିରେ ଦୁଇଟି ମୂଳ ତତ୍ତ୍ୱ ରହିଛି, ଯଥା: ପ୍ରକୃତି ଓ ପୁରୁଷ। ପ୍ରକୃତି ସତ୍ତ୍ୱ, ରଜଃ ଓ ତମଃ ତ୍ରିଗୁଣର ଅଧିକାରୀଣୀ। ଏହି ଗୁଣ ଗୁଡ଼ିକ ଯେତେ ପର୍ଯ୍ୟନ୍ତ ସନ୍ତୁଳିତ ଥାଆନ୍ତି, ସୃଷ୍ଟି ଅବ୍ୟାକୃତ ଅବସ୍ଥାରେ ରହିଥାଏ ଏବଂ ଯେତେବେଳେ ସନ୍ତୁଳନ ବିଗିଡ଼ିଯାଏ ସୃଷ୍ଟିର ବିକାଶ ପ୍ରକ୍ରିୟା ଆରମ୍ଭ ହୁଏ। କିନ୍ତୁ ସାଂଖ୍ୟ ମତରେ ପୁରୁଷ ନିଷ୍କ୍ରିୟ ଓ ଶୁଦ୍ଧ ଚେତନମୟ। ଏ ପୁରୁଷ କୌଣସି କାର୍ଯ୍ୟ କରନ୍ତି ନାହିଁ, ବରଂ କେବଳ ସାକ୍ଷୀ ଭାବେ ରହନ୍ତି। ଯେବେ ପ୍ରକୃତି ଏବଂ ପୁରୁଷ ପରସ୍ପର ନିକଟତର ହୁଅନ୍ତି, ସେ ସମୟରେ ସୃଷ୍ଟିର ସର୍ଜନା ହୋଇଥାଏ। ପରନ୍ତୁ ଭୌତିକ ବିଜ୍ଞାନର ନିୟମ ଅନୁସାରେ, ବ୍ରହ୍ମାଣ୍ଡରେ ଥିବା ମୋଟ ଶକ୍ତିର ପରିମାଣ ସର୍ବଦା ସମାନ ବା ସ୍ଥିର ରହେ। ଏହି ଶକ୍ତିକୁ କେବେ ସୃଷ୍ଟି କରାଯାଇପାରିବ ନାହିଁ କିମ୍ବା ନଷ୍ଟ କରିହେବ ନାହିଁ। ଏହା କେବଳ ନିଜର ରୂପ ବଦଳାଇଥାଏ। ଉଦାହରଣ: ଯେତେବେଳେ ଆମେ ହାତ ଦୁଇଟିକୁ ଘଷନ୍ତି, ସେତେବେଳେ ହାତର ଯାନ୍ତ୍ରିକ ଶକ୍ତି ଦ୍ୱାରା ତାହା ତାପଜ ଶକ୍ତିରେ ରୂପାନ୍ତରିତ ହୋଇଯାଏ। ଶକ୍ତି ଏଠାରେ ନଷ୍ଟ ହୁଏନାହିଁ, କେବଳ ରୂପ ବଦଳାଏ। ଯାହାକୁ ସାଂଖ୍ୟ ଦର୍ଶନର “ସତ୍କାର୍ଯ୍ୟବାଦ” ସିଦ୍ଧାନ୍ତରେ କୁହାଯାଇଛି: “ନାସତୋ ବିଦ୍ୟତେ ଭାବୋ ନାଭାବୋ ବିଦ୍ୟତେ ସତଃ” ଅର୍ଥାତ୍, ଯାହା ଶୂନ୍ୟ ବା ଅସତ୍ୟ, ସେଥିରୁ କିଛି ସୃଷ୍ଟି ହୋଇପାରିବ ନାହିଁ ଏବଂ ଯାହା ସତ୍ୟ ବା ଅଛି, ତାର କେବେ ସମ୍ପୂର୍ଣ୍ଣ ବିନାଶ ହୋଇପାରିବ ନାହିଁ।
ଶକ୍ତିର ମହତ୍ତ୍ଵ ଓ ଗୁରୁତ୍ବ ଉପରେ ବେଦାଦି ମନ୍ତ୍ରରେ ମଧ୍ୟ ଦେଖାଯାଏ। ଦେଵୀ ସୂକ୍ତମ୍ ରେ କୁହାଯାଇଛି ଯେ:
ଅହଂ ରୁଦ୍ରେଭିର୍ଵସୁଭିଶ୍ଚରାମ୍ୟହମାଦିତ୍ୟୈରୁତ ଵିଶ୍ଵଦେଵୈଃ ।
ଅହଂ ମିତ୍ରାଵରୁଣୋଭା ବିଭର୍ମ୍ୟହମିନ୍ଦ୍ରାଗ୍ନୀ ଅହମଶ୍ଵିନୋଭା ॥
ଏଠାରେ ସ୍ଵୟଂ ବାକ୍ ଦେଵୀ (ପରମାଶକ୍ତି) କହୁଛନ୍ତି—”ମୁଁ ହିଁ ରୁଦ୍ର, ଵସୁ, ଆଦିତ୍ୟ ଏବଂ ସମସ୍ତ ବିଶ୍ଵଦେବଙ୍କ ସ୍ଵରୂପରେ ବିଚରଣ କରେ । ମୁଁ ହିଁ ମିତ୍ର, ଵରୁଣ, ଇନ୍ଦ୍ର, ଅଗ୍ନି ଓ ଅଶ୍ଵିନୀକୁମାର ଦ୍ଵୟଙ୍କୁ ଧାରଣ କରିଛି ।” ଅର୍ଥାତ୍ ବ୍ରହ୍ମାଣ୍ଡର ସମସ୍ତ ଶକ୍ତିର ଆଧାର ମୁଁ ହିଁ ଅଟେ। ସେଭଳି ଶ୍ଵେତାଶ୍ଵତର ଉପନିଷଦର ବ୍ରହ୍ମ-ଶକ୍ତି ମନ୍ତ୍ରରେ ବର୍ଣ୍ଣିତ ଅଛି: “ପରାସ୍ୟ ଶକ୍ତିର୍ଵିଵିଧୈଵ ଶ୍ରୂୟତେ ସ୍ଵାଭାଵିକୀ ଜ୍ଞାନବଳକ୍ରିୟା ଚ”। ଅର୍ଥାତ୍ ବେଦାନ୍ତ ଅନୁସାରେ, ସେହି ପରମାତ୍ମାଙ୍କର ଶକ୍ତି ପରମ (ସର୍ବଶ୍ରେଷ୍ଠ) ଏବଂ ଏହା ବିଭିନ୍ନ ରୂପରେ ପ୍ରକାଶିତ ହୁଏ । ତାଙ୍କର ଜ୍ଞାନ, ବଳ ଏବଂ କ୍ରିୟା ସ୍ଵାଭାଵିକ ବା ସ୍ଵତଃସ୍ଫୂର୍ତ୍ତ ଅଟେ । ସେହିପରି ବୈଦିକ ଦେବୀ ସୂକ୍ତ ମନ୍ତ୍ରରେ ଉଲ୍ଳେଖ ରହିଛି:
“ଅହଂ ରାଷ୍ଟ୍ରୀ ସଂଗମନୀ ବସୂନାଂ ଚିକିତୁଷୀ ପ୍ରଥମା ଯଜ୍ଞିୟାନାମ୍।
ତାଂ ମା ଦେବା ବ୍ୟଦଧୁଃ ପୁରୁତ୍ରା ଭୂରିସ୍ଥାତ୍ରାଂ ଭୂର୍ଯ୍ୟାବେଶୟନ୍ତୀମ୍॥”
ଅର୍ଥ: ମୁଁ ହିଁ ସମଗ୍ର ସଂସାରର ସ୍ୱାମିନୀ (ରାଷ୍ଟ୍ରୀ), ଧନ ପ୍ରଦାନକାରୀ ଏବଂ ବ୍ରହ୍ମକୁ ଜାଣିଥିବା ଜ୍ଞାନୀମାନଙ୍କ ମଧ୍ୟରେ ପ୍ରଥମା। ପରମ ଚୈତନ୍ୟା ରୂପରେ ବିଭିନ୍ନ ଦେବତାମାନେ ମୋତେ ବିଭିନ୍ନ ସ୍ଥାନରେ ପୂଜା କରନ୍ତି, କାରଣ ମୁଁ ପ୍ରତ୍ୟେକ ଜୀବ ମଧ୍ୟରେ ଅନ୍ତର୍ଯ୍ୟାମିନୀ ରୂପରେ ବାସ କରେ। ଏହି ତତ୍ତ୍ୱକୁ ଉପଲବ୍ଧି କରି ଆମର ପୂର୍ବ ସୁରିମାନେ ବିବିଧ ଉପାୟ ମାଧ୍ୟମରେ ଭାରତୀୟ ସଂସ୍କୃତିରେ ଏହାକୁ ସ୍ଥାନିତ କରିଛନ୍ତି। କାରଣ ବିନା ଶକ୍ତିରେ କୌଣସି କାର୍ଯ୍ୟର ଉତ୍ପତ୍ତି ଅସମ୍ଭବ। ଆମେ ଜାଣିଛେ ଗ୍ରହ ଓ ନକ୍ଷତ୍ରମାନଙ୍କର ପ୍ରଭାବ ଜୀବଜଗତ ଉପରେ ପଡ଼ିଥାଏ ଏବଂ ସୂର୍ଯ୍ୟଙ୍କ ଚଳନ ଯୋଗୁଁ ଋତୁ ପରିବର୍ତ୍ତନ ହୁଏ। ସାଧାରଣତଃ ଛଅ ଋତୁ ମଧ୍ୟରୁ ଚାରୋଟି ଋତୁ ଶକ୍ତି ଉପାସନା ନିମନ୍ତେ ପ୍ରସସ୍ଥ; ଯଥା: ଗ୍ରୀଷ୍ମ, ବର୍ଷା , ଶରତ ଓ ବସନ୍ତ। କାରଣ ଏହାର ପଛରେ ଗଭୀର ଦାର୍ଶନିକ ଓ ବୈଜ୍ଞାନିକ କାରଣ ଲୁଚି ରହିଛି। ଏହି ଋତୁମାନଙ୍କୁ ଜଳବାୟୁ ପରିବର୍ତ୍ତନର ସନ୍ଧିକ୍ଷଣ ବୋଲି ଧରାଯାଏ, ଏହା ସିଧାସଳଖ ମାନବ ଶରୀର ଓ ପ୍ରକୃତି ଉପରେ ପ୍ରଭାବ ପକାଇଥାଏ। ବିଜ୍ଞାନ ଅନୁସାରେ,ଏହି କାଳରେ ପାଣିପାଗରେ ବଡ଼ ଧରଣର ପରିବର୍ତ୍ତନ ହୋଇଥାଏ। ଯାହାଫଳରେ ବାୟୁମଣ୍ଡଳରେ ଜୀବାଣୁ ଓ ଭୂତାଣୁ ଆଦି ସକ୍ରିୟ ହୋଇ ଉଠନ୍ତି, ଏଥିଯୋଗୁଁ ମାନବ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିର ହ୍ରାସ ଘଟେ। ଏସବୁର ନିରାକରଣ ପାଇଁ ବ୍ରତ, ଉପବାସ ଏବଂ ସାତ୍ତ୍ୱିକ ଆହାର ଗ୍ରହଣ କରିବା ନିୟମ କରାଯାଇଛି। ତେଣୁ ଏ ସମୟରେ ହାଲୁକା ବା ସୀମିତ ଖାଦ୍ୟ ଖାଇଲେ ପାଚନ ତନ୍ତ୍ର ସୁସ୍ଥ ରହେ ଏବଂ ଶରୀରରୁ ଦୂଷିତ ପଦାର୍ଥ ବାହାରିଯାଏ।
ଆଧ୍ୟାତ୍ମିକ ଓ ଦାର୍ଶନିକ ଶାସ୍ତ୍ର ଅନୁଯାୟୀ ଶିବଙ୍କୁ ପୁରୁଷ ଏବଂ ଶକ୍ତିଙ୍କୁ ପ୍ରକୃତି ବୋଲି କୁହାଯାଇଛି। ଯେତେବେଳେ ପ୍ରକୃତି ନିଜର ରୂପ ବଦଳାଏ ବା ଋତୁ ପରିବର୍ତ୍ତନ ହୁଏ, ସେତେବେଳେ ଜଗତର ମଙ୍ଗଳ ପାଇଁ ଆଦ୍ୟାଶକ୍ତିଙ୍କୁ ଆରାଧନା କରାଯାଏ। ଯେପରି ଆଶ୍ୱିନରେ ଶାରଦୀୟ, ଚୈତ୍ରରେ ବାସନ୍ତିକ, ଆଷାଢ଼ ଓ ମାଘ ମାସରେ ଗୁପ୍ତ ନବରାତ୍ର ଭାବରେ। ଏହାକୁ ପାଳନ କରିବା ଦ୍ୱାରା ଆମର ଆତ୍ମବିଶ୍ୱାସର ବୃଦ୍ଧି ଘଟିଥାଏ ଏବଂ ମାନସିକ ସ୍ତରରେ ଆମ ଭିତରେ ଥିବା କାମ, କ୍ରୋଧ, ଲୋଭ, ମୋହ, ମଦ ଓ ମାତ୍ସର୍ଯ୍ୟ ଭଳି ଆସୁରିକ ପ୍ରବୃତ୍ତି ଗୁଡ଼ିକ ନାଶ ହୋଇଥାଏ । ଏଥି ସହିତ ଆଧ୍ୟାତ୍ମିକ ଚେତନା ଜାଗ୍ରତ ହୁଏ, ଯାହା ଶକ୍ତି ଉପାସନା ବା ପୂଜାର ମୁଖ୍ୟ ଉଦ୍ଦେଶ୍ୟ।
ଭାରତୀୟ ସଂସ୍କୃତିରେ ଶକ୍ତି ଉପାସନା କେବଳ ଧାର୍ମିକ କର୍ମକାଣ୍ଡ ନୁହେଁ, ବରଂ ଏହା ଏକ ଆଧ୍ୟାତ୍ମିକତା ଆଭରଣରେ ଆବୃତ୍ତର ସମ୍ପୂର୍ଣ୍ଣ ବିଜ୍ଞାନ। ଅନେକ ସମୟରେ ଧାର୍ମିକ ରୀତିନୀତିକୁ କେବଳ ଅନ୍ଧବିଶ୍ଵାସ ବୋଲି ଭାବି ନିଆଯାଏ, କିନ୍ତୁ ଶକ୍ତି ଉପାସନା ପଛରେ ଗଭୀର ବିଜ୍ଞାନର ଵିଶେଷ କାରଣ ଓ ମନୋବୈଜ୍ଞାନିକ ରହସ୍ୟ ଲୁଚି ରହିଛି। ଯାହାକୁ ଆମର ପୂର୍ବପୁରୁଷମାନେ ଅନୁଭଵ କରି, ବିଜ୍ଞାନର ଜଟିଳ ତତ୍ତ୍ଵକୁ ସାଧାରଣ ଲୋକଙ୍କ ସହଜ ବୋଧଗମ୍ୟ କରିବା ପାଇଁ ଏହାକୁ ପୂଜା ଓ ପରମ୍ପରା ନାମରେ ରୂପ ଦେଇ ଯାଇଛନ୍ତି। ଆଜିର ଆଧୁନିକ ସମାଜରେ ଯଦି ଆମେ ଏହାର ବୈଜ୍ଞାନିକ ମହତ୍ତ୍ଵକୁ ବୁଝି ଶକ୍ତି ଉପାସନା କରିବା, ତେବେ ଆମେ ଶାରୀରିକ, ମାନସିକ ଏବଂ ପରିବେଶଗତ ସ୍ତରରେ ଉପକୃତ ହୋଇପାରିବା।
ବରିଷ୍ଠ ଦର୍ଶନ ଅଧ୍ୟାପକ
ସଂସ୍କୃତ ମହାବିଦ୍ୟାଳୟ
କବିସୂର୍ଯ୍ୟ ନଗର, ଗଞ୍ଜାମ
୯୮୬୧୩୩୪୮୬୮


