ପୁଷ୍ଟିକର ଖାଦ୍ୟ ସମ୍ପର୍କରେ ଜନସଚେତନତା

କୋରାପୁଟ,(ହେମନ୍ତ ପାଣିଗ୍ରାହୀ) : ମା’ ଓ ଶିଶୁଙ୍କ ପୋଷଣ ସ୍ଥିତିରେ ଉନ୍ନତି ଆଣିବା ସହ ପୁଷ୍ଟିକର ଖାଦ୍ୟ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଜିଲ୍ଲାସ୍ତରରେ ପୋଷଣ ମାସ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଯାଇଛି। ମା’ ଓ ଶିଶୁଙ୍କ ସୁସ୍ଥ ଜୀବନଯାପନ, ପୁଷ୍ଟିହୀନତାର ନିରାକରଣ ଏବଂ ସୁସ୍ଥ ସମାଜ ଗଠନ ଦିଗରେ ଜନସାଧାରଣଙ୍କୁ ସଚେତନ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ରହିଛି। ଏହି ପୋଷଣ ମାସ କାର୍ଯ୍ୟକ୍ରମରେ ଆଇଏସ୍‌ ପ୍ରୋଗ୍ରାମର, ଭୂପତିକ୍ଷେତ୍ରିକ (ଯୋଜନା), ସହକାରୀ ଜିଲ୍ଲା ଜନସମ୍ପର୍କ ଅଧିକାରୀ, ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ ଇନ୍ଦିରା ପ୍ରଧାନ,ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ମହିଳା ସୁପରଭାଇଜର ଏବଂ ଅଙ୍ଗନବାଡ଼ି କର୍ମୀମାନେ ଉପସ୍ଥିତ ରହି ନିଜ ନିଜର ଦାୟିତ୍ୱ ନିର୍ବାହ କରିଥିଲେ। କାର୍ଯ୍ୟକ୍ରମ ଅବସରରେ ଗର୍ଭବତୀ ମହିଳା, ପ୍ରସୂତି ମା’ ଏବଂ ଶିଶୁମାନଙ୍କ ପାଇଁ ସନ୍ତୁଳିତ ଓ ପୁଷ୍ଟିକର ଖାଦ୍ୟର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଶିଶୁଙ୍କ ଶାରୀରିକ ଓ ମାନସିକ ବିକାଶ ପାଇଁ ଉପଯୁକ୍ତ ପୋଷଣ ଅପରିହାର୍ଯ୍ୟ ହୋଇଥିବାରୁ ପରିବାରରେ ପୁଷ୍ଟିକର ଖାଦ୍ୟ ଗ୍ରହଣ, ପରିମଳ ବ୍ୟବସ୍ଥା ଏବଂ ସ୍ୱାସ୍ଥ୍ୟକର ଜୀବନଶୈଳୀକୁ ଗୁରୁତ୍ୱ ଦେବାକୁ ଆହ୍ୱାନ ଦିଆଯାଇଥିଲା। ଏଥିସହ ପୁଷ୍ଟିହୀନତା ଦୂରୀକରଣ, ଶିଶୁଙ୍କ ଓଜନ ଓ ବିକାଶର ନିୟମିତ ନିରୀକ୍ଷଣ ଏବଂ ମାତୃସ୍ୱାସ୍ଥ୍ୟର ଯତ୍ନ ନେବା ଦିଗରେ ସମସ୍ତଙ୍କ ସହଯୋଗର ଆବଶ୍ୟକତା ଉପରେ ଆଲୋକପାତ କରାଯାଇଥିଲା। ଅଙ୍ଗନବାଡ଼ି କର୍ମୀ ଓ ମହିଳା ସୁପରଭାଇଜରମାନେ ତୃଣମୂଳ ସ୍ତରରେ ଏହି ବାର୍ତ୍ତା ପହଞ୍ଚାଇବା ସହ ମା’ ଓ ଶିଶୁଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ଦିଗରେ ସକ୍ରିୟ ଭୂମିକା ନିର୍ବାହ କରିବାକୁ ଆହ୍ୱାନ ଦିଆଯାଇଥିଲା।
ସୁସ୍ଥ ମା’, ସୁସ୍ଥ ଶିଶୁ ଓ ସମୃଦ୍ଧ ସମାଜ ଗଠନ ପାଇଁ ପୋଷଣ ସମ୍ପର୍କିତ ସଚେତନତାକୁ ଘରେ ଘରେ ପହଞ୍ଚାଇବା ସହ ସମସ୍ତଙ୍କ ସାମୂହିକ ସହଯୋଗରେ ପୁଷ୍ଟିହୀନତାମୁକ୍ତ ସମାଜ ଗଠନ କରିବା ଉପରେ ଏହି କାର୍ଯ୍ୟକ୍ରମରେ ଗୁରୁତ୍ୱାରୋପ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ