ଶତ ପ୍ରତିଶତ ଭୋଟଦାନ କରି ଗଣତାନ୍ତ୍ରିକ ଅଧିକାରରୁ ସୁନିଶ୍ଚିତ କରିବାକୁ ଆହ୍ୱାନ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କୁହାଯାଏ ବୁଲେଟ୍‌ଠାରୁ ବାଲଟ୍ ଅଧିକ ଶକ୍ତିଶାଳୀ । ତେଣୁ ଭାରତୀୟ ଗଣତନ୍ତ୍ରର ଏକ ସୁସ୍ଥ ଓ ସମୃଦ୍ଧ ପରମ୍ପରା ଗଠନ ସହ ନିର୍ବାଚନର ଏହି ମହାପର୍ବରେ ସାମିଲ ହୋଇ ଶତପ୍ରତିଶତ ଭୋଟଦାନ କରିବାକୁ କେନ୍ଦ୍ରାପଡ଼ା ଜିଲ୍ଲାବାସୀଙ୍କୁ ଆହ୍ୱାନ ଜଣାଇଛନ୍ତି ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ । ଆଜି ମହାକାଳପଡ଼ା ଗସ୍ତ କରି ସେ କହିଛନ୍ତି ନଦୀର ଜଳ ପରି ଭୋଟଦାନ ସଚେତନାର ବର୍ତ୍ତା ବହିଯାଉ ପ୍ରାଣକୁ ପ୍ରାଣକୁ । ବତୀଘର ପରି ଭୋଟଦାନ ଜାଗରଣର ପ୍ରଦୀପ କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରତିଟି ହୃଦୟରେ ଜଳି ଉଠୁ ଓ ଅଜ୍ଞତାର ଅନ୍ଧକାରକୁ ଦୂରୀଭୂତ କରି ଭୋଟ୍‌ଦାନ ଅଧିକାରକୁ ସୁନିଶ୍ଚିତ କରନ୍ତୁ ଆମ ଜିଲ୍ଲାବାସୀ । ସ୍ୱିପ୍ (ସିଷ୍ଟମେଟିକ୍ ଭୋର୍ଟସ ଇଜୁକେସନ ଆଣ୍ଡ ଇଲେକ୍ଟୋରାଲ୍ ପାର୍ଟିସିପେସନ୍‌) କାର୍ଯ୍ୟକ୍ରମରେ ବତୀଘର, ରାମନଗର ଆଦି ଅଂଚଳରେ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ଖରନାସୀ ଘାଟ ଓ ବାହାକୁଦ ଘାଟକୁ ଡଙ୍ଗାରେ ଅତିକ୍ରମ କରି ଘରଘର ବୁଲି ସଚେତନାର ବାର୍ତ୍ତା ବାଂଟିଥିଲେ ଜିଲ୍ଲା ନିର୍ବାଚନ ଅଧିକାରୀ । ଏହି ଅଂଚଳର ଅଧିକାଂଶ ଲୋକ ସାଧାରଣତଃ ପାରାଦ୍ୱୀପକୁ ରୋଜଗାର ଉଦ୍ଦେଶ୍ୟରେ ପ୍ରତିଦିନ ଯାଇଥାନ୍ତି । ମାତ୍ର ଜୁନ୍ ୧ ତାରିଖରେ କାର୍ଯ୍ୟରୁ ବିରତ ରହି ଭୋଟଦାନ ଅଧିକାରକୁ ସୁନିଶ୍ଚିତ କରିବାକୁ ଜିଲ୍ଲା ନିର୍ବାଚନ ଅଧିକାରୀ ଆହ୍ୱାନ ରଖିଥିଲେ । ବୁଥ୍ ସ୍ତରରେ ଲୋକଙ୍କୁ ସଚେତନ କରାଇବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ତଥା ରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ନୀଲୁ ମହାପାତ୍ର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା, ଅତିରିକ୍ତ ଉପଜିଲ୍ଲାପାଳ ତଥା ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର୍ ଅଶୋକ କୁମାର ଦାସ, ସ୍ଥାନୀୟ ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ, ବିଡିଓ ସାଗର କୁମାର ନନ୍ଦ, ଡେପୁଟି କଲେକଟର ପଲ୍ଲବୀ ପାତ୍ର, ବ୍ଲକ୍ ଓ ତହସିଲ୍ କାର୍ଯ୍ୟାଳୟର କର୍ମଚାରୀ ପ୍ରମୁଖ ଏହି ସଚେତନତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ