ଶନିବାର ଛୁଟି ସୁହାଉଛି : ସରକାରୀ କର୍ମଚାରୀ କାର୍ଯ୍ୟାଳୟରେ ଅଧିକାଂଶ ଦିନ ଅନୁପସ୍ଥିତ ରହୁଥିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଉଛି: ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ
କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କରୋନା ପାଇଁ ସବୁ ଶନିବାର ସରକାରୀ ଅଫିସ ଛୁଟି । ଏଭଳି ନିର୍ଦ୍ଦେଶନାମା ସରକାର ଜାରି କରିଛନ୍ତି ସଂପ୍ରତି କରୋନା ସଂକ୍ରମଣ କମିଛି। ହେଲେ ଶନିବାର ଛୁଟି ନିର୍ଦ୍ଦେଶନାମା ଉଠିନାହିଁ । ଶନିବାର ଛୁଟି ଯୋଗୁ କନ୍ଧମାଳରେ ଅଫିସର ଗୁରୁବାର ହାଜିରା ପକାଇ ପଳାଇ ଯାଉଛନ୍ତି । ଅଫିସର ଯିବା ପରେ ତଳିଆ କର୍ମଚାରୀ ବି ଅଫିସକୁ ଆସୁନାହାନ୍ତି । କହିବାକୁ ଗଲେ ସମଗ୍ର କନ୍ଧମାଳରେ ଅଧିକାଂଶ ସରକାରୀ କାର୍ଯ୍ୟାଳୟ ମାତ୍ର ୨ ଦିନ ଖୋଲା ରହୁଛି। ଅଫିସର ରହୁନାହାନ୍ତି। ଆଉ କର୍ମଚାରୀ ଆସୁନାହାନ୍ତି। ଏଥିଯୋଗୁଁ କୌଣସି କାମରେ ଜିଲ୍ଲାର ଦୂରଦୂରାନ୍ତରୁ ଆସୁଥିବା ଲୋକମାନେ ନିରାଶ ହୋଇ ଫେରିବା ସହ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କରୋନା ସଂକ୍ରମଣ ହୁହୁ ହୋଇ ବଢିବା ଫଳରେ ଅଧା କର୍ମଚାରୀଙ୍କୁ ନେଇ ଅଫିସ ଚାଲିବ। ତାପରେ ପରେ ପ୍ରତି ଶନିବାର ଅଫିସ ଛୁଟି ରହିବ ବୋଲି ସରକାର ନିର୍ଦ୍ଦେଶନାମା ଜାରି କଲେ। ଯେତେବେଳେ ଅଧା କର୍ମଚାରୀଙ୍କୁ ନେଇ ଅଫିସ ଚାଲିବ ବୋଲି କୁହାଗଲା। ସେ ସମୟରୁ ଅଫିସରଙ୍କ ମଧ୍ୟରୁ କିଏ ମୁଖ୍ୟାଳୟରେ ରହିଲେ ତ, ଆଉ କିଏ ଘରକୁ ପଳାଇଲେ। ଆଉ ଅଧା କର୍ମଚାରୀ ଆସିବା ପ୍ରହସନ ପାଲଟିଲା। ଜଣେ ଓ ଦୁଇ ଜଣ କର୍ମଚାରୀ ଆସିଲେ, ତାହା ପୁଣି ପାଳି କରି। ଯେତେବେଳେ ପ୍ରତି ଶନିବାର ଛୁଟି ବୋଲି ସରକାର ଘୋଷଣା କଲେ। ତା’ପରଠୁ ଅଫିସରଙ୍କ ମନମାନି ବଢିଗଲା। ଶନିବାର ଛୁଟି ବୋଲି ଗୁରୁବାର ଅଫିସରେ ହାଜିରା ପକାଇ ମୁଖ୍ୟାଳୟ ଛାଡିବା ଆରମ୍ଭ କଲେ ଅଫିସର। ସୋମବାରରେ ଅଫିସରେ ଯୋଗ ଦେବା କଥା। ହେଲେ ଅଧିକାଂଶ ଅଫିସର ମୁଖ୍ୟାଳୟରେ ପହଞ୍ଚିବା ବେଳକୁ ମଙ୍ଗଳବାର ହୋଇଯାଉଛି। ଅଫିସର ଆସୁ ନଥିବାରୁ ମଉକା ପାଇ କର୍ମଚାରୀ ବି ଅଫିସକୁ ଆସୁ ନାହାନ୍ତି। ନାମକୁ ମାତ୍ର କିଛି କର୍ମଚାରୀ ଅଫିସ ଖୋଲି ବସୁଛନ୍ତି। ଆଉ ୨ଟା ବେଳକୁ ଖାଇବାକୁ ଯାଇ ଆଉ ଫେରୁ ନାହାନ୍ତି। କୌଣସି କାମରେ ଆସୁଥିବା ଲୋକ ପହଞ୍ଚିଲେ ଅଫିସର ନାହାନ୍ତି। ଅମୁକ ଦିନ ସମୁକ ଦିନ ଆସନ୍ତୁ କହି ଲୋକଙ୍କୁ ବିଦା କରି ଦେଉଛନ୍ତି କର୍ମଚାରୀ। ଯାହା ଫଳରେ ନିରାଶ ହୋଇ ଫେରିବାକୁ ବାଧ୍ୟ ହେଉଛନ୍ତି ଲୋକ। ସୋମବାର ସବୁ ଅଫିସ ଖୋଲା ରହିଥିଲା ସତ। ହେଲେ ଅଧିକାଂଶ ଅଫିସରେ ଅଫିସର ନଥିଲେ। ଆଉ ଅଫିସର ନ ଆସିବା ଜାଣି କାଁଭାଁ କର୍ମଚାରୀଙ୍କୁ ଅଫିସରେ ଦେଖିବାକୁ ମିଳିଥିଲା। ଏମିତି କି ଜିଲ୍ଲାପାଳ କାର୍ଯ୍ୟାଳୟ ବିଭିନ୍ନ ବିଭାଗରେ ନାଁ ଅଫିସର ଦେଖିବାକୁ ମିଳୁ ଥିଲା ନାଁ କର୍ମଚାରୀଙ୍କୁ। ବିଭିନ୍ନ ବ୍ଲକ ଓ ତହସିଲ କାର୍ଯ୍ୟାଳୟ ବି ଶୂନଶାନ ଥିବା ପରିଲକ୍ଷିତ ହୋଇଥିଲା। ଅଫିସରଙ୍କ ଅନୁପସ୍ଥିତି ଦେଖି କର୍ମଚାରୀ ଆସୁ ନାହାନ୍ତି। ଏଥି ଯୋଗୁ ସରକାରୀ କାର୍ଯ୍ୟ ହୋଇ ପାରୁ ନଥିବା ବେଳେ ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଜିଲ୍ଲା ପ୍ରଶାସନର ଢିଲାପଣ ଯୋଗୁ ଅଫିସର ଓ କର୍ମଚାରୀ ମନମାନି ବଢୁଛି ବୋଲି କୁହାଯାଉଛି। କରୋନା ସଂକ୍ରମଣ କମି ଥିବାରୁ ଶନିବାର ଅଫିସ ଖୋଲା ରହୁ। ଆଉ ଲୋକଙ୍କ ସୁବିଧା ପାଇଁ ସରକାରୀ କାର୍ଯ୍ୟକ୍ରମ ତ୍ବରାନ୍ବିତ ହେବା ପାଇଁ ମଉକା ଦେଖି ଘରକୁ ପଳାଇ ଯାଉଥିବା ଅଫିସର ଓ କର୍ମଚାରୀଙ୍କ ଉପରେ କଡା ନଜର ରଖାଯାଉ ବୋଲି ସାଧାରଣରେ ଦାବି ହେଉଛି।


