ଶହଶହ ଏକର ଚାଷଜମି ଜଳମଗ୍ନ; ଚିନ୍ତାରେ ଚାଷୀ 

ହାଟଡିହ,(ଓ୍ବାଇଏନ୍ଏସ୍) : ହାଟଡିହି ବ୍ଲକ ଇଞ୍ଚୋଳ ଗ୍ରାମରେ ଏବେ ଶହଶହ ଏକର ଚାଷଜମି ଜଳମଗ୍ନ ହୋଇ ରହିଛି । ମରୈଗାଁ ଛତାବର ରାସ୍ତା କଡେକଡେ ଥିବା ନାଳଟିକୁ ବିଭିନ୍ନ ସ୍ଥାନରେ ଲୋକମାନେ ଜବରଦଖଲ କରି ପୋତିଦେବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ଖବରରୁ ଜଣାଯାଇଛି ଗତ ତିନିଦିନ ଧରି ଲଗାଣ ବର୍ଷା ହେବାଦ୍ୱାରା ବଡରମ୍ପାସ, ନୁଆରମ୍ପାସ, ଡଙ୍କୁରୀ, ବର୍ଦ୍ଧନପୁର, ଏଲକଣା ଆଦି ଅଞ୍ଚଳପଟୁ ସମସ୍ତ ଉଦବୁଦ୍ଧ ଜଳ ଆସି ଇଞ୍ଚୋଳ ଜମି ମାନଙ୍କରେ ଗଚ୍ଛିତ ରହିଛି । ଜଳନିସ୍କାସନ ପାଇଁ ବାରିକମିସ୍ତ୍ରୀ ବନ୍ଧ କଡେକଡେ ଥିବା ନାଳଟି କିଛି ଲୋକ ଜବରଦଖଲ କରିନେଇ ପୋତିଦେଇଥିବାରୁ ଆଉ ଜଳନିସ୍କାସନ ହୋଇ ପାରୁନି । ଫଳରେ ଇଞ୍ଚୋଳ ଗ୍ରାମର ଶହଶହ ଏକର ଚାଷଜମି ଏବେ ପାଣିରେ ବୁଡି ରହିଛି । କିଛି ଧାନ ରୁଆପୋତା ସାରିଦେଇଥିବାବେଳେ ତିନିଦିନ ଧରି ବୁଡି ରହିବା ଫଳରେ ଜମିସବୁ ପଚିନଷ୍ଟ ହୋଇଯିବାର ଆଶଙ୍କା ପ୍ରକାଶ ପାଇଛି । ହଜାର ହଜାର ଟଙ୍କା ଖର୍ଚ୍ଚକରି ରୁଆପୋତା କରିଥିବା ଚାଷୀ ଏବେ ମୁଣ୍ଡରେ ହାତଦେଇ ବସିଛି । ପୁନଶ୍ଚ ରୋଇବାକୁ ଆଉ କେଉଁଠୁ ଧାନତଳି ଆଣିବେ ସେନେଇ ଚିନ୍ତାରେ ପଡିଯାଇଛନ୍ତି । ଯେଉଁ ଚାଷୀମାନେ ଚାଷଜମିରେ ରୁଆପୋତା କରିବାକୁ ଲକ୍ଷ ରଖିଥିଲେ ଚାଷଜମି ଗୁଡିକ ବୁଡି ରହିଥିବାରୁ ତାହା କାମ ହୋଇ ପାରୁନି । ଗାଁର ଚାଷୀକୁଳ ସମ୍ପୁର୍ଣ୍ଣ ହତାଶ ହୋଇପଡିଛନ୍ତି । ପ୍ରଶାସନ ପକ୍ଷରୁ ତୁରନ୍ତ ବାରିକମିସ୍ତ୍ରୀ ବନ୍ଧ କଡେକେଡ ଥିବା ଜବରଦଖଲ ହଟାଯାଇ ଜଳନିସ୍କାସନର ବ୍ୟବସ୍ଥା କରାଇବାକୁ ଇନ୍ଦ୍ରମଣୀ ଜେନା, ବୃନ୍ଦାବନ ସ୍ୱାଇଁ, ପ୍ରଫୁଲ ଚନ୍ଦ୍ର ପଣ୍ଡା, ଘଣ୍ଟେଶ୍ୱର ବାରିକ, ପ୍ରଭାତ ପାତ୍ର, ଜଗନ୍ନାଥ ପଣ୍ଡା, ଅରୁଣ ପଣ୍ଡା, ଦିଲ୍ଲିପ ସାହୁ ଦୁଖଃବନ୍ଧୁ ପଣ୍ଡା, ଅଦୈତ ପଣ୍ଡା, ଶିଶିର ସୁଆର, ଅନନ୍ତ ସାହୁ, କୃଷ୍ଣଚନ୍ଦ୍ର ନାୟକ, କୋଦଣ୍ଡଧର ଜେନା, ଅନ୍ତର୍ଯ୍ୟାମୀ ନାୟକ ପ୍ରମୁଖ ଚାଷୀମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ