ଶହୀଦ ଦିବାକର ପରିଡ଼ାଙ୍କର ୧୦୯ତମ ଜୟନ୍ତୀ ପାଳିତ
ଭୁବନେଶ୍ୱର-: ରଣଭୂଇଁ ଓ ଶହଦୀ ରଘୁ-ଦିବାକର ସ୍ମୃତି ସଂସଦ, ଭୁବନେଶ୍ୱର ତରଫରୁ ରଣପୁର ପ୍ରଜାଆନ୍ଦୋଳନର ଅମର ଶହୀଦ ଦିବାକର ପରିଡ଼ାଙ୍କର ୧୦୯ତମ ଜୟନ୍ତୀ ବରିଷ୍ଠ ସାମ୍ବାଦିକ ତଥା ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀଙ୍କ ସଭାପତିତ୍ୱରେ ୟୁନିଟ୍-୯ସ୍ଥିତ ଶହୀଦ ରଘୁ-ଦିବାକର ପ୍ରତିମୂର୍ତ୍ତିଠାରେ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉପନିର୍ଦ୍ଦେଶକ ବରଦା ପ୍ରସନ୍ନ ଦାସ ମୁଖ୍ୟ ଅତିଥି, ପୂର୍ବତନ କମାଣ୍ଡାଣ୍ଟ ଅରବିନ୍ଦ ମିତ୍ର ମୁଖ୍ୟ ବକ୍ତା, ପ୍ରଫେସର ଡଃ ବାମନ ପରିଡ଼ା, ମଞ୍ଜୁଳା ତ୍ରିପାଠୀ, ରଜନୀକାନ୍ତ ସାମନ୍ତରାୟ, ନିତ୍ୟ ନିରଞ୍ଜନ ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ସ୍ମୃତିଚାରଣ ପୂର୍ବକ ମତବ୍ୟକ୍ତ କରିଥିଲେ ଯେ, ଶହୀଦ ଦିବାକର ପରିଡ଼ାଙ୍କ ଆତ୍ମବଳିଦାନର ପଟ୍ଟାନ୍ତର ନାହିଁ । ସ୍ମୃତି ସଂସଦର ସମ୍ପାଦକ ବ୍ରଜବନ୍ଧୁ ପରିଡ଼ା ଅତିଥି ପରିଚୟ ପ୍ରଦାନ କରି ମତ ରଖିଥିଲେ ଯେ, ରେଡ଼କ୍ରସ ଭବନଠାରୁ ଆଚାର୍ଯ୍ୟ ବିହାର ରାସ୍ତାକୁ ଶହୀଦ ରଘୁ-ଦିବାକର ମାର୍ଗରେ ରାଜ୍ୟ ସରକାର ନାମିତ କରନ୍ତୁ । ଅତିଥିମାନେ ମତବ୍ୟକ୍ତ କରିଥିଲେ ଯେ, ରାଜାଙ୍କ ଅନ୍ଧାରୀ ଆଇନ୍ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ସହିତ ଦିବାକର ପରିଡ଼ା, ଆତ୍ମ ବଳିଦାନ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ, ସମିତା ମହାରଣା, ମନ୍ଜିତ କୌର, ମିଟୁ ମହାରଣା, ଗୁଲୁବାସ ନାୟକ, ଉମାଚରଣ ମହାନ୍ତି, ଶ୍ରେୟାସ୍ମିତା ପଣ୍ଡା ପ୍ରମୁଖ ଯୋଗ ଦେଇ ତାଙ୍କର ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ ଓ ସ୍ଲୋଗାନ ଦେଇଥିଲେ । ଏହି ଅବସରରେ କଳା, ସଂସ୍କୃତି ପାଇଁ ହାସ୍ୟ ଅଭିନେତା ସ୍ମୃତିରଞ୍ଜନ ମହାନ୍ତିଙ୍କୁ ମାନ ପତ୍ର ଦେଇ ଅତିଥିମାନେ ସମ୍ମାନିତ କରିଥିଲେ । ପରିଶେଷରେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଧନ୍ୟବାଦ ଅର୍ପଣ କରିଥିଲେ ସଂଗ୍ରାମ କେଶରୀ ବଳିୟାର ସିଂ ।