ଶାଳଣିଆ ଶାଖା କେନାଲରେ ପାଣି ନାହିଁ , ବିଲରେ ଡେଉଁଛି ଢମଣା

ବାରିକପୁର, (ଦୁର୍ଯ୍ୟୋଧନ ଲେଙ୍କା): ପ୍ରାୟ ଏକ ମାସ ହେବ ମୌସୁମୀ ବର୍ଷା ଉଭେଇ ଯାଇଥିବାବେଳେ ଲଘୁଚାପ କାରଣରୁ କାଁଭାଁ କେଉଁଠି କେମିତି ବର୍ଷା ଦେଖିବାକୁ ମିଳୁଛି । ସୁତରାଂ କେନାଲ ପାଣି ଉପରେ ଚାଷୀ ଏବେ ଭରସା ରଖି ଖରିଫ ଧାନଚାଷ ପାଇଁ ବେହୁଷଣ କାର୍ଯ୍ୟ ଆରମ୍ଭ କରିଛି । ଏହି ପରିପ୍ରେକ୍ଷୀରେ ଭଣ୍ଡାରୀପୋଖରୀ ବ୍ଲକର ୨୩ଗୋଟି ପଞ୍ଚାୟତ ଅଞ୍ଚଳକୁ କେନାଲ ପାଣି ଧିରେ ଧିରେ ମାଡୁଥିବାବେଳେ ଅନେକ ଚାଷଜମିରେ ଏବେ ଢମଣା ଡେଉଁଥିବା ଭଳି ଅବସ୍ଥା ଦେଖାଦେଇଛି । ବିଶେଷକରି ଅଦ୍ୟାବଧି ଶାଳଣିଆ ଶାଖା କେନାଲ ଗୁଡିକରେ ପାଣି ନଆସିବା କାରଣରୁ ହଜାର ହଜାର ହେକ୍ଟର ଚାଷ ଜମିରେ ହଳ ହୋଇପାରୁନାହିଁ । ବ୍ଲକ ଅଧିନ ଭାଗଡା, ରାମଚନ୍ଦ୍ରପୁର, ନାରାୟଣପୁର, ସଂପୋଇ, ଭୂତିଆ, ନେଉଳିଆ, ପନଖା ପ୍ରମୁଖ ସ୍ଥାନରେ ଥିବା ଚାଷଜମିକୁ ଶାଳଣିଆ ଶାଖା କେନାଲ ଗୁଡିକରୁ ପାଣି ଆସିଥାଏ । ଏବେ ମୁଖ୍ୟ କେନାଲରେ ପାଣି ଆସିଥିଲେ ସୁଦ୍ଧା କୌଣସି କାରଣରୁ ଶାଖା କେନାଲରେ ପାଣି ଆସିପାରୁନାହିଁ । ଫଳରେ ଉକ୍ତ ଚାଷଜମି ଗୁଡିକ ଏବେ ଶୁଖିଯାଇଥିବାବେଳେ ଯେଉଁଠାରେ ଧାନତଳି ପଡିଥିଲା ତାହା ଏବେ ଶୁଖିଯିବାକୁ ବସିଲାଣି । ବିଶେଷକରି ପାଣି ପଞ୍ଚାୟତ ଅଧିନରେ ଥିବା ଶାଖା କେନାଲ ଗୁଡିକର ସଠିକ ଭାବେ ରକ୍ଷଣାବେକ୍ଷଣ ହେଉନଥିବାରୁ ଠିକ ସମୟରେ ପାଣି ଆସୁନଥିବା ଅଭିଯୋଗ ହେଉଛି । ଏହା ଉପରେ ମଞ୍ଜୁରୀରୋଡ ଜଳସମ୍ପଦ ବିଭାଗ ଯନ୍ତ୍ରୀ ଦୃଷ୍ଟିଦେବାକୁ ଚାଷୀମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ