‘ଶିକ୍ଷାର ପ୍ରସାର କ୍ଷେତ୍ରରେ ପାଠାଗାରର ଭୂମିକା ଗୁରୁତ୍ୱପୂର୍ଣ୍ଣ’
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଶିକ୍ଷାର ପ୍ରସାର କ୍ଷେତ୍ରରେ ପାଠାଗାରର ଭୂମିକା ଗୁରୁତ୍ୱପୂର୍ଣ୍ଣ । ବର୍ତମାନର ପ୍ରତିଯୋଗିତାମୂଳକ ଯୁଗରେ ଭଲ ପ୍ରସ୍ତତି କରିବାକୁ ହେଲେ ନୂଆ ନୂଆ ପ୍ରସ୍ତକ ଫଠନ କରିବା ଜରୁରୀ । ବିଶେଷକରି ଗ୍ରାମାଂଚଳର ପିଲାମାନଙ୍କ ପାଖରେ ସବୁ ପ୍ରକାର ବହି କିଣି ପାଠ ଫଠିବା ସମ୍ଭବ ନୁହେଁ । କେବଳ ଏକ ଉନ୍ନତ ପାଠାଗାର ହିଁ ଏହି ଆବଶ୍ୟକତାକୁ ପୂରଣ କରିପାରିବ ବୋଲି ଓଡିଶା ବିଧାନସଭାର ମୁଖ୍ୟ ସଚେତକ ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି କହିଛନ୍ତି । ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଭଟଣା ଗାଁରେ ଥିବା ଜିଲ୍ଲାର ଅଗ୍ରଣୀ ପାଠାଗାର ଉର୍ମିଲୋଚନ ପାଠାଗାରର ନୂତନ ଗୃହ ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ ଏହା କହିଛନ୍ତି । ନୂତନ ଗୃହ ଉଦଘାଟନ କାର୍ଯ୍ୟକ୍ରମରେ ପାଠାଗାରର କୋଷାଧକ୍ଷ କୈଳାଶ ଚନ୍ଦ୍ର ପରିଡାଙ୍କ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ମୁଦୁଲି କହିଥିଲେ ଯେ, ଗ୍ରାମାଂଚଳରେ ଏଭଳି ପାଠାଗାର ବିରଳ । ଜଗତସିଂହପୁର ଜିଲ୍ଲାରେ ପ୍ରଫୁଲ ପାଠାଗାର ପରେ ଏହା ଦ୍ୱିତୀୟ ବୃହତ ପାଠାଗାର ବୋଲି କହିଥିଲେ । ପାଠାଗାରର ଉନ୍ନତି କ୍ଷେତ୍ରରେ ସେ ସବୁବେଳେ ସହଯୋଗ କରିବେ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ରାଜ୍ୟ ପର୍ଯ୍ୟବେକ୍ଷଣ ଅଧିକାରୀ ସନାତନ ସ୍ୱାଇଁ ଯୋଗ ଦେଇ ଗ୍ରାମାଂଚଳରେ ପାଠାଗାରର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ନାଉଗାଁ ଜୋନ-୧ର ଜିଲ୍ଲା ପରିଷଦ ସଭ୍ୟା ଅମିତା ସ୍ୱାଇଁ, ନାଉଗାଁ ଜୋନ-୨ର ସଭ୍ୟା ମମତା ପରିଡା, ଓଷକଣା ପଂଚାୟତର ସରପଂଚ ନାରାୟଣ ସ୍ୱାଇଁ ଓ ସମିତି ସଭ୍ୟ ବୀରେନ୍ଦ୍ର ବିଶ୍ୱାଳ ଯୋଗ ଦେଇ ପାଠାଗାରର ଉତୋରତର କାମନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ରାଜସ୍ୱ ନିରୀକ୍ଷକ ଶରତ ଚନ୍ଦ୍ର ସ୍ୱାଇଁ, ଆଇନଜୀବି ହେମନ୍ତ କୁମାର ଜେନା, ପାଠାଗାରର ଉପସଭାପତି ବିଜୟ କୁମାର ଜେନା, ଜୀବନବୀମା ଅଭିକର୍ତା ମାନସ ସ୍ୱାଇଁ, ଶିକ୍ଷକ ଜ୍ଞାନରଂଜନ ବିଶ୍ୱାଳ, ସମାଜସେବୀ ଅକ୍ଷୟ କୁମାର ବିଶ୍ୱାଳ, ପ୍ରଭୁତି ଭୂଷଣ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଶେଷରେ ସଭାପତି ବିବେକାନନ୍ଦ ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଉଦଘାଟନ କାର୍ଯ୍ୟକ୍ରମର ସଫଳତା ପାଇଁ ଭଟଣା ଗ୍ରାମବାସୀଙ୍କୁ କୃତଜ୍ଞତା ଜଣାଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଉର୍ମିଲୋଚନ ପାଠାଗାରର ସଦସ୍ୟମାନେ ପରିଚାଳନା କରିଥିଲେ ।