ଶିଳ୍ପାଞ୍ଚଳ ଅଭିବୃଦ୍ଧି ସକାଶେ ‘ଶିଳ୍ପର ଯତ୍ନ’ ସମ୍ପର୍କିତ ବୈଠକ ଅନୁଷ୍ଠିତ

ଜିଲ୍ଲାପାଳଗଣ ଜିଲ୍ଲା ଉନ୍ନୟନର ପୁରୋଧା

ଛତ୍ରପୁର (ଦେବଦତ୍ତ ମହାରଣା): ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଋଷିକୂଲ୍ୟା ସମ୍ମିଳନୀ କକ୍ଷଠାରେ ବୁଧବାର ଦିନ ଗଞ୍ଜାମ, ଗଜପତି,ନୟାଗଡ ଏବଂ କନ୍ଧମାଳ ଜିଲ୍ଲାର ଶିଳ୍ପାଞ୍ଚଳ ଅଭିବୃଦ୍ଧି ସକାଶେ ‘ଶିଳ୍ପର ଯତ୍ନ’ ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମାଞ୍ଚଳ ବିକାଶ ପରିଷଦର ଅଧ୍ୟକ୍ଷ ଅସୀତ୍ କୁମାର ତ୍ରିପାଠୀ ଯୋଗଦାନ କରି ଜଣାଇଥିଲେଯେ, ଓଡିଶାରେ ଶିଳ୍ପର ଅଭିବୃଦ୍ଧି ଦିଗରେ ଦୁଇ ଦଶନ୍ଧି ଧରି ମୁଖ୍ୟମନ୍ତ୍ରୀଙ୍କର ପ୍ରୟାସ ଜାରି ରହିଛି । ଓଡିଶାରେ ଶିଳ୍ପ ପ୍ରତିଷ୍ଠାର ଆବଶ୍ୟକତା ରହିଛି, ଯାହାରି ଫଳରେ ଶିଳ୍ପାଞ୍ଚଳ ଗୁଡିକର ବିକାଶ ସହିତ ଓଡିଶାର ଅର୍ଥନୈତିକ ଅଭିବୃଦ୍ଧି ହେବା ସହିତ ଜିଡିପି ବୃଦ୍ଧି ହେବ ଏବଂ କର୍ମନିଯୁକ୍ତିର ବାଟ ସୁଗମ ହୋଇପାରିବ । ଓଡିଶାରେ ଶିଳ୍ପ ଅଭିବୃଦ୍ଧି କ୍ଷେତ୍ରରେ କରାଯାଉଥିବା ଶିଳ୍ପ ଯୋଜନାରେ ପୁଞ୍ଜି ନିବେଶକାରୀ ଏବଂ ସରକାରୀ କଳର ସହଭାଗିତା ଦିଗରେ ଉପୁଜୁଥିବା ବିଭିନ୍ନ ସମସ୍ୟାର ସମାଧାନ ‘ଶିଳ୍ପର ଯତ୍ନ’ କାର୍ଯ୍ୟକ୍ରମ ଜରିଆରେ ସମାଧାନ ହୋଇ ପାରିବ । ଏଥିପୂର୍ବରୁ ଓଡିଶାର ଅନେକ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ଦିଗରେ ଦେଖାଯାଇଥିବା ପ୍ରତିବନ୍ଧକ ଗୁଡିକ ତିନିଗୋଟି ‘ଶିଳ୍ପର ଯତ୍ନ’ କାର୍ଯ୍ୟକ୍ରମରେ ସମାଧାନ ହୋଇପାରିଛି । ବର୍ତ୍ତମାନ ଗଞ୍ଜାମରେ ଅନୁଷ୍ଠିତ ଏହା ଚତୁର୍ଥ କାର୍ଯ୍ୟକ୍ରମ । ଅଞ୍ଚଳ ଗସ୍ତ କରି ସେହିଠାରେ ଗଢି ଉଠୁଥିବା ଶିଳ୍ପ ଏବଂ ଗଢିବାକୁ ଥିବା ଶିଳ୍ପର ସମସ୍ୟାମାନ ଏହି ବୈଠକରେ ଆଲୋଚନା କରାଯାଇ ଏହାର ସମାଧାନର ବାଟ ବାହାରି ପାରିଛି । ଗୋଟିଏ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସେହି କାର୍ଯ୍ୟକ୍ରମ ଶେଷ କରିବାକୁ ଏବଂ ଏହାର ଉତ୍ତରଦାୟୀତ୍ବ ଦିଆଯାଇଛି । (ଫାଇଭ୍) 5-ଟି ଆଧାରରେ ସମସ୍ୟାର ସମାଧାନ ହୋଇ ବୃହତ୍ତର ଶିଳ୍ପ ପ୍ରତିଷ୍ଠା ହୋଇପାରିବ । ଓଡିଶାରେ ଅନେକ କଞ୍ଚାମାଲ ଉପଲବ୍ଧ ରହିଛି, ସେହିଭଳି ଓଡିଶାର ପ୍ରଚ୍ଛନ୍ନ ପ୍ରାକୃତିକ ବିଭବ ମାନ ରହିଛି । ଭିତ୍ତିଭୂମିର ବିକାଶ ସହିତ ଅଣ କୁଶଳୀଙ୍କୁ କୁଶଳୀରେ ପରିବର୍ତ୍ତନ କରାଯାଇ ପାରିବ, ଶିଳ୍ପସଂସ୍ଥା ସ୍ଥାପନ, ପର୍ଯ୍ୟଟନର ବିକାଶ ହୋଇପାରିଲେ ଓଡିଶାର ଆର୍ଥିକ ମାନଦଣ୍ଡ ସୁଦୃଢ ହେବା ସାଥେସାଥେ ଓଡିଶା ଭାରତ ବର୍ଷରେ ପରିଚିତି ଲାଭ କରିବ । ଆସନ୍ତା କାଲି ଆଗତ ବୈଠକରେ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ଦେଖାଯାଇଥିବା ସମସ୍ୟାର ସମାଧାନ ଆଲୋଚନା ମାଧ୍ୟମରେ କରାଯିବ । ଜିଲ୍ଲାରେ କାର୍ଯ୍ୟକାରି ହେଉଥିବା ଶିଳ୍ପ ନିମନ୍ତେ ସଂପୃକ୍ତ ଜିଲ୍ଲାପାଳ ଗଣ ଏଣିକି ଜିଲ୍ଲା ଉନ୍ନୟନର ପୁରୋଧା ସାଜିବେ । ଆଜିର ବୈଠକରେ ବୃହତ୍ ଶିଳ୍ପର ପ୍ରତିନିଧିଗଣ ଉପସ୍ଥିତ ରହି ସେମାନଙ୍କର ସମସ୍ୟା ସମ୍ପର୍କରେ ବୈଠକ ଉପସ୍ଥାପନ କରିଥିଲେ । ବିଶେଷକରି ଜିଲ୍ଲା ପ୍ରଶାସନ, ଇଡକୋ, ଶକ୍ତି ବିଭାଗ, ଜମିଜମା ସମ୍ପର୍କିତ, ପରିବେଶ ମଞ୍ଜୁରୀ, ରାସ୍ତାଘାଟର ଉନ୍ନତି ଇତ୍ୟାଦି ସମ୍ପର୍କିତ ସମସ୍ୟା ଉପସ୍ଥାପନ କରିଥିଲେ ଏବଂ ଏହାର ଆଶୁ ସମାଧାନ ଦିଗରେ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ପ୍ରଦାନ କରାଯାଇ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସେହିସବୁ ସମସ୍ୟାର ସମାଧାନ କରିବାକୁ କୁହାଯାଇଥିଲା । ଶିଳ୍ପ ବିଭାଗୀୟ ପ୍ରମୁଖ ଶାସନ ସଚ୍ଚିବ ହେମନ୍ତ ଶର୍ମା ସମସ୍ତ ଶିଳ୍ପର ପ୍ରତିନିଧି ମାନଙ୍କ ସହିତ ସବିଶେଷ ଆଲୋଚନା କରି ଏହାର ସମାଧାନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଇପିକଲ୍ ର ପରିଚାଳନା ନିର୍ଦ୍ଦେଶକ ବି.ଏସ୍. ପୁନିଆ ଆଗାମୀ ଦିନରେ ରାଜ୍ୟର 30 ଗୋଟି ଜିଲ୍ଲାରେ କାର୍ଯ୍ୟକାରୀ ହେବାକୁ ଥିବା ଜିଲ୍ଲା ପୁଞ୍ଜିବିନିଯୋଗ ଉନ୍ନୟନ ଏଜେନ୍ସି (ଡି.ଆଇ.ପି.ଏ) କାର୍ଯ୍ୟକ୍ରମ ସମ୍ପର୍କରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ । ଅଣୁକ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗୀୟ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଉପସ୍ଥିତ ରହି ଏମ୍.ଏସ୍.ଏମ୍.ଇ. କ୍ଷେତ୍ରରେ ଉପୁଜୁଥିବା ସମସ୍ୟାର ସମାଧାନ ଦିଗରେ ପଥ ପରିଷ୍କାର କରିଥିଲେ । ବୈଠକରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସ୍ବାଗତ ଭାଷଣ ଉପସ୍ଥାପନ କରିବା ସହ ଗଞ୍ଜାମ ଜିଲ୍ଲାର ଶିଳ୍ପ ପ୍ରତିଷ୍ଠାନ ଗୁଡିକର ସମସ୍ୟା ସମାଧାନ ଦିଗରେ ସବିଶେଷ ଆଲୋଚନା କରିଥିଲେ । ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଉପସ୍ଥିତ ରହି ଗଜପତି ଜିଲ୍ଲାର ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ଦେଖାଯାଇଥିବା ସମସ୍ୟା ଗୁଡିକ ସମାଧାନ ଦିଗରେ ଆଲୋକପାତ କରିଥିଲେ । ଟାଟା ଏସ୍.ଇ.ଜେଡ୍. ର ସମସ୍ତ ଶିଳ୍ପ, ଜଗନ୍ନାଥ ପ୍ରସାଦ ବ୍ଲକ୍ ରେ 175.403 ଏକର ପରିମିତ ଜମିରେ ହେବାକୁ ଥିବା ଏନ୍.ଏଚ୍.ପି.ସି.ର ସୋଲାର ପାଓ୍ବାର ପ୍ଲାଣ୍ଟ , କୋଷ୍ଟାଲ ବାୟୋଟେକ୍ ପ୍ରାଇଭେଟ୍ ଲିମିଟେଡ୍, ଗ୍ରାସିମ୍ ଇଣ୍ଡଷ୍ଟ୍ରି ଲିମିଟେଡ୍, ସ୍ବସ୍ତି ଭେକେସନ୍ସର କ୍ଲବ୍ ପ୍ରାଇଭେଟ୍ ଲିମିଟେଡ୍, ଆଇ.ଆର୍.ଇ. ଲିମିଟେଡ୍, ସ୍ମାର୍ଟକେମ୍ ଟେକନୋଲୋଜି ଲିମିଟେଡ୍, ଟାଟା କଞ୍ଜୁମର୍ ପ୍ରଡକ୍ଟସ୍ ଲିମିଟେଡ୍, ଚିଲିକା ଡିଷ୍ଟଲିରିଜ୍ ପ୍ରାଇଭେଟ୍ ଲିମିଟେଡ୍, ଟାଟା ଫେରୋକ୍ରୋମ୍, ଶ୍ରିନିବାସଲୁ ରିଅଲ୍ ଇଷ୍ଟେଟ୍ କନଷ୍ଟ୍ରକସନ୍ ଲିମିଟେଡ୍, ଜେମିନି ଇଡେବିଲ୍ ଆଣ୍ଡ ଫ୍ୟାଟ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍, ଆଇ. ଓ.ସି.ଏଲ୍. ଏବଂ ଗେଲ୍ ଶିଳ୍ପ ସଂସ୍ଥାର ସମସ୍ୟାମାନ ଉପସ୍ଥାପନ କରାଯାଇଥିଲା ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ