ଶିଶୁକୁ ବଞ୍ଚାଇବା ପାଇଁ ଅଲିମ୍ପିକ୍ ରୌପ୍ୟ ପଦକ ନିଲାମ କଲେ ମାରିଆ ଆଣ୍ଡ୍ରେଜଜିକ୍

ନୂଆଦିଲ୍ଲୀ:ଟୋକିଓ ଅଲିମ୍ପିକ୍ସରେ ଜାଭେଲିନ୍ ଥ୍ରୋରେ ମାରିଆ ଆଣ୍ଡ୍ରେଜଜିକ୍ ରୌପ୍ୟ ପଦକ ଜିତିଥିଲେ | ମାତ୍ର ଦୁଇ ସପ୍ତାହ ପରେ ସେ ତାଙ୍କ ପଦକ ନିଲାମ କରିବାକୁ ବିଜ୍ଞାପନ ଦେଇଥିଲେ । ଏହି ପୋଲାଣ୍ଡ ଆଥଲେଟ୍ କାହିଁକି ଏହି ନିଷ୍ପତ୍ତି ନେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ | ଯେତେବେଳେ ମାରିଆ ଏକ ଆଠ ମାସର ନବଜାତ ଶିଶୁର ଚେହେରା ଦେଖିଲେ, ଆଉ ଜାଣିବାକୁ ପାଇଲେ ଯେ, ଶିଶୁଟିର ଜୀବନ ସଙ୍କଟରେ ଅଛି, ସେତେବେଳେ ସେ ନିଜକୁ ଏପରି କରିବାକୁ ଅଟକାଇ ପାରିଲେ ନାହିଁ |
ଏହି ଶିଶୁରଟିର ହୃଦଘାତ ଜନିତ ଗମ୍ଭୀର ସମସ୍ୟା ରହିଥିବାରୁ ଯଥାଶୀଘ୍ର ଅସ୍ତ୍ରୋପଚାର ଆବଶ୍ୟକ ଥିଲା | ୟୁରୋପୀୟ ଦେଶର ଡାକ୍ତର ଏହି ଶିଶୁଟିର ଅପରେସନ କରିବାକୁ ଅସମର୍ଥ ପ୍ରକାଶ କରିଥିଲେ । ପୋଲାଣ୍ଡର ଏହି ଶିଶୁରଟିର ପରିବାରର ଶେଷ ଆଶା ପାଲଟିଥିଲା ଆମେରିକାର ଷ୍ଟାଣ୍ଡଫୋର୍ଡ ୟୁନିଭରସିଟି ମେଡିକାଲ । ଏହି ମେଡିକାଲରେ ଶିଶୁର ଜୀବନ ବଞ୍ଚାଇବା ପାଇଁ ଅପରେସନ୍ ଜରୁରୀ ହୋଇପଡିଥିଲା | ତେବେ ଅସ୍ତ୍ରୋପଚାର ପାଇଁ ବହୁ ଖର୍ଚ୍ଚ ହେବାକୁ ଥିବା ବେଳେ ଶିଶୁର ପିତାମାତା ଏହି କାରଣରୁ ଏକ ଅନଲାଇନ୍ ପାଣ୍ଠି ସଂଗ୍ରହ ଅଭିଯାନ ଆରମ୍ଭ କରିଥିଲେ | ଏହି ଅପରେସନ୍ ପାଇଁ ତାଙ୍କୁ ପ୍ରାୟ 3 ଲକ୍ଷ 85 ହଜାର ଡଲାର ଅର୍ଥାତ୍ ପ୍ରାୟ 30 ନିୟୁତ ଭାରତୀୟ ଟଙ୍କା ଦରକାର | ପରିବାର କେବଳ ଅଧା ରାଶି ସଂଗ୍ରହ କରିବାରେ ସକ୍ଷମ ହୋଇଥିବା ବେଳେ ନିକଟରେ ସେ ଏକ ପୋଷ୍ଟରେ ଏହି ବିଷୟରେ ସୂଚନା ଦେଇଥିଲେ । ମାରିଆ ଏକଥା ଜାଣିବା ପରେ, ଏହି ୨୫ ବର୍ଷୀୟା ତଥା କୋମଳ ହୃଦୟର ଅଧିକାରିଣୀ ନିଜ ଫେସବୁକ୍‌ ପୃଷ୍ଠାରେ ହିଁ ଟୋକିଓ ଅଲିମ୍ପିକ୍ସ ପଦକକୁ ନିଲାମ କରିବା ଲାଗି ‌ବିଜ୍ଞାପନ ଦେଇଥିଲେ। ଶେଷରେ ପୋଲାଣ୍ଡର ଏକ ସୁପରମାର୍କେଟ୍ ଚେନ୍ ‘ଜବକା’ ନିଲାମରେ ସର୍ବାଧିକ ୧୨୫୦୦୦ ଡଲାର ବା ପାଖାପାଖି ୯୩ ଲକ୍ଷ ଟଙ୍କା ଦେଇ ମାରିଆଙ୍କ ଜୀବନର ଏହି ଦୁର୍ମୂଲ୍ୟ ସମ୍ପତ୍ତିକୁ କିଣିଥିଲା। ପଦକଟିକୁ କିଣିବା ପରେ ‘ଜବ୍‌କା’ ଅଧିକାରୀମାନେ କିନ୍ତୁ ମାରିଆଙ୍କୁ ତାଙ୍କ ପଦକ ଫେରାଇ ଦେବା ସହ ଏହି ରାଶିକୁ ଦାନ ଆକାରରେ ମିଲୋସେକ୍ ପରିବାରକୁ ଦେଇଥିଲେ। ଏଥିଲାଗି ଉଭୟ ଜବ୍‌କା ଏବଂ ମାରିଆ ଏବେ ପୋଲାଣ୍ଡର ଜାତୀୟ ନାୟକ ପାଲଟି ଯାଇଛନ୍ତି। ମହତ୍ବପୂର୍ଣ୍ଣ କଥା ହେଲା ୨୦୧୬ ରିଓ ଅଲିମ୍ପିକ୍ସରେ ମାତ୍ର ୨ ସେଣ୍ଟିମିଟର ପାଇଁ ମାରିଆ ପଦକ ଜିତିବାରୁ ବଞ୍ଚିତ ହୋଇଥିଲେ। ୨୦୧୮ରେ ତାଙ୍କୁ ଅସ୍ଥିକର୍କଟ ହୋଇଥିବା ଜଣାପଡ଼ିଥିଲା। ତେବେ ନିଜ ଅଦମ୍ୟ ସାହସ ଓ ଦୃଢ଼ ଆତ୍ମବଳରେ କର୍କଟ ଭଳି ମାରାତ୍ମକ ରୋଗକୁ ହରାଇ ଟୋକିଓ ଅଲିମ୍ପିକ୍ସରେ ପୁଣି ଥରେ ସେ ନିଜ ଯାଦୁ ଦେଖାଇଥିଲେ। ଟୋକିଓରେ ୬୪.୬୧ ମିଟର ଦୂରତାକୁ ଜାଭଲିନ୍ ଫିଙ୍ଗି ‌ନିଜ ଜୀବନର ପ୍ରଥମ ଅଲିମ୍ପିକ୍ସ ପଦକ (ରୌପ୍ୟ) ଜିତିଥିଲେ ମାରିଆ। ଚୀନ୍‌ର ସିୟିଙ୍ଗ ଲିଉ (୬୬.୩୪ ମିଟର) ସ୍ବର୍ଣ୍ଣ ପଦକ ଜିତି ନେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ