ଶୁଦ୍ଧିକ୍ରିୟା ଭୋଜି ନ ଦେବାରୁ ୧୦ ପରିବାରଙ୍କୁ ସାମାଜିକ ବାସନ୍ଦ ;   ଥାନାରେ ଏତଲା

ଦିଗପହଣ୍ଡି, (‌ୱାଇଏନ୍‌ଏସ୍‌): ଦିଗପହଣ୍ଡି ବ୍ଲକ  କଇଠଡା ଗ୍ରାମର ୧୦ ରୁ ଉର୍ଦ୍ଧ୍ବ ପରିବାର ଙ୍କୁ କୁଳସଭା ପକ୍ଷରୁ ନିଆଁ ପାଣି ମନା ରଖାଯିବା ସହ ସାମାଜିକ ବାସନ୍ଦ କରାଯାଇଥିବା ନେଇ ସେହି ଗ୍ରାମର ସହଦେବ ରେଡ୍ଡୀ  ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି। ଜାତି ତଥା କୁଳ ଲୋକଙ୍କୁ  ଶୁଦ୍ଧିକ୍ରିୟା ଭୋଜି ଦେଇ ନପାରିବାରୁ ପ୍ରଥମେ ସହଦେବ ଙ୍କ ପରିବାର ଲୋକଙ୍କୁ କୁଳ ସଭା ର ବଡ଼ପଣ୍ଡା ମାନେ ଫତୱା ଜାରି କରି ସାମାଜିକ ବାସନ୍ଦ ରଖିଥିଲେ। ପରେ କିଛି ପରିବାର ର ମୁଖିଆ ମାନେ ସହଦେବ ଙ୍କ ସହ ସମ୍ବନ୍ଧ ରଖିବାରୁ ସେମାନଙ୍କୁ ମଧ୍ୟ କୁଳସଭା ତଥା ଜାତି ସଭା ପକ୍ଷରୁ ବାସନ୍ଦ କରାଯାଇଥିବା ଏତଲାରେ ଉଲ୍ଲେଖ ରହିଛି।  ସହଦେବ ଙ୍କ ୫ ଭାଇ। ସେମାନଙ୍କ ମଧ୍ୟରେ ପାରିବାରିକ ଶତ୍ରୁତା ଏବଂ ପୈତୃକ ସମ୍ପତ୍ତି ଭାଗ ବଣ୍ଟନ କୁ ନେଇ ପୂର୍ବରୁ ବାଦବିବାଦ ଯୋଗୁଁ ଗାଁ ରେ ସହଦେବ ତାଙ୍କ ପରିବାର ସହ  ଏକାକୀ ରହୁଥିଲେ। ତାଙ୍କ  ମାଆ ଙ୍କ ପରଲୋକ  ପରେ ଗତ ନଭେମ୍ବର ୧୯ ତାରିଖ ରେ ସେ ଗାଁ ରେ ଶୁଦ୍ଧିକ୍ରିୟା ଭୋଜି କରିଥଲେ। ସରକାରଙ୍କ କୋଭିଡ -୧୯ ନୀତି ନିୟମ କଟକଣା ଯୋଗୁଁ ସେ ଅଳ୍ପ ସଂଖ୍ୟକ ଜାତି ଭାଇ ଏବଂ ଗାଁ ଲୋକଙ୍କୁ ନିମନ୍ତ୍ରଣ କରି ଶୁଦ୍ଧି କ୍ରିୟା  ଭୋଜି କରି ସାମାଜିକ ଚଳଣି ଅନୁସାରେ ସମସ୍ତ କାର୍ଯ୍ୟ ସମାପନ କରିଥିଲେ।ଏହି କାର୍ଯ୍ୟ ସୁରୁଖୁରୁରେ ସମାପନ ପରେ ସମସ୍ତ ଜାତି ଭାଇ ,  ଏବଂ ନିଜ ପରିବାର ର ଅନ୍ୟ ଭାଇ ମାନଙ୍କୁ ଭୋଜି ନ ଦେଇଥିବା କାରଣ କୁ ନେଇ ଗତ ଡିସେମ୍ବର ୨ ତାରିଖରେ ସହଦେବ ଙ୍କୁ କୁଳ ସଭା ପକ୍ଷରୁ ନିଆଁ ପାଣି ମନା ରଖାଯିବା ସହ ସାମାଜିକ ବାସନ୍ଦ  କରାଯାଇଥିଲା।ସହଦେବ ଙ୍କୁ ସମସ୍ତ ପ୍ରକାର ସହଯୋଗ କରୁଥିବା କାରଣରୁ ଗାଁ ର ଅନ୍ୟ ୧୦  ପରିବାର ଙ୍କୁ ମଧ୍ୟ ବାସନ୍ଦ କରାଯାଇଥିବା ସହଦେବ ପୋଲିସ ନିକଟରେ ବୟାନ ଦେଇଛନ୍ତି । ସାମାଜିକ  ବାସନ୍ଦ ସହ ତାଙ୍କ ବିରୋଧରେ କୁଳ ମୁଖିଆ ମାନଙ୍କ ପକ୍ଷରୁ ଅନେକ କଟକଣା ଜାରି କରାଯାଇଛି। ତାଙ୍କ ସହ କୌଣସି କୁଳ ଲୋକ  କଥାବାର୍ତ୍ତା ହେବେ ନାହିଁ। ତାଙ୍କ ର ଚାଷଜମି କୁ ଜାତି ଲୋକେ  କାମଧନ୍ଦା କରିବା ପାଇଁ ଯିବାକୁ ମନା, ତାଙ୍କୁ ଗାଁ ର ସମସ୍ତ ଦୋକାନ ବଜାର ରୁ ସଉଦା କିଣିବା ମନା, ପିଲାଙ୍କୁ କୌଣସି ଘରୋଇ  ଶିକ୍ଷୟତ୍ରୀ ଶିକ୍ଷକ ଟିୟୁସନ କରିପାରିବେ ନାହିଁ।ଏପରିକି ଗାଁ ନଳକୂପ ରୁ ସେ କିମ୍ବା ପରିବାର ଲୋକେ ବ୍ୟବହାର କରିପାରିବେ ନାହିଁ। ଗାଁ ର ରଜକ କିମ୍ବା ନାପିତ ମାନେ ଏପରିକି ଅନ୍ୟ ଜାତି ଭାଇ ମାନେ ତାଙ୍କୁ କୌଣସି ପ୍ରକାର ସେବା ସହଯୋଗ ଯୋଗାଇ ଦେଲେ ଆର୍ଥିକ ଜରିମାନା ପାଇଁ ଜାତି ମୁଖିଆ ମାନଙ୍କ ପକ୍ଷରୁ ଅଲିଖିତ ନିର୍ଦ୍ଦେଶ ଦିଆଯାଇଥିବା ସହଦେବ ଅଭିଯୋଗ କରିଛନ୍ତି।ଉକ୍ତ ଘଟଣା କୂଳସମାଜ ସଭା  ରେ ମଧ୍ୟ ସମାଧାନ ହୋଇପାରିଲା ନାହିଁ।ଶେଷରେ ତାଙ୍କୁ ଏବଂ ଅନ୍ୟ ବାସନ୍ଦ ପରିବାର ଙ୍କୁ ଉପଯୁକ୍ତ ନ୍ୟାୟ ନମିଳିବା କାରଣରୁ ସେ ବାଧ୍ୟ ହୋଇ ଆଇନ ର ଆଶ୍ରୟ ନେବା ପାଇଁ ସେ ଅନ୍ୟାନ୍ୟ ସମସ୍ତ ବାସନ୍ଦ ପରିବାର ଙ୍କ ସହ ସୋମବାର  ଦିଗପହଣ୍ଡି ଥାନା ରେ ପହଞ୍ଚି  ଲିଖିତ ଏତଲା ଦେଇଥିବା କହିଛନ୍ତି। ପୂର୍ବରୁ ଏନେଇ ସେ  ଅଭିଯୋଗ କରିଥିଲେ। ଏହି ଅତୀବ ସ୍ପର୍ଶ କାତର ତଥା ସମ୍ବେଦନଶୀଳ ଘଟଣାର ସ୍ଥାୟୀ ସମାଧାନ ପାଇଁ ଚିକିଟି ଏସ ଡି ପି ଓ ସୁରେନ୍ଦ୍ର ନାଥ ମୁର୍ମୁ ଉଭୟ ପକ୍ଷର ଲୋକଙ୍କୁ ଥାନା କୁ ଡକାଇ ସବିଶେଷ ଆଲୋଚନା କରିଥିଲେ। ଉଭୟପକ୍ଷ ଙ୍କ ସହମତି ଭିତ୍ତିରେ ସମାଧାନ ର ପନ୍ଥା ବାହାର କରିବା ପାଇଁ ପୂର୍ବରୁ ୫ ଦିନ ସମୟ ଦିଆଯାଇଥିଲା।କିନ୍ତୁ ଉଭୟପକ୍ଷ ଥାନାରୁ ଗାଁ କୁ ଗଲା ପରେ ଗାଁ ରେ ପୁଣି ଅଶାନ୍ତି ବାତାବରଣ ସୃଷ୍ଟି ହୋଇଥିବା ଏସ ଡି ପି ଓ ଙ୍କ ସମେତ ଆଇ ଆଇ ସି ବସନ୍ତ କୁମାର ସେଠୀ କହିଛନ୍ତି    ।ବର୍ତ୍ତମାନ ସୁଦ୍ଧା ଉକ୍ତ ଘଟଣାକୁ ନେଇ ଗ୍ରାମରେ ଚାପା ଉତ୍ତେଜନା ଲାଗିରହିଥିବା ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ