ଶୁଭକାର୍ଯ୍ୟରେ ବାହାରୁଥିଲେ…
ପରମ୍ପରା ଓ ରୀତିନୀତି ଆମ ଜୀବନରେ ଏକ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛି । ଏହା ଉପରେ ଆମର ଅତୁଟ ବିଶ୍ୱାସ ରହିଥାଏ । ଯାହା ଦ୍ୱାରା ଆମ୍ଭେମାନେ ସେହି ରୀତିନୀତିକୁ ପାଳନ କରିଥାଉ । ଏପରି ଏକ ପରମ୍ପରା ରହିଛି ଯେ କୌଣସି ଏକ ଶୁଭକାମକୁ ଯିବା ପୂର୍ବରୁ ଦହି ଓ ଚିନି ଖିଆଯାଇଥାଏ । ଯେପରି କୌଣସି ପରୀକ୍ଷା ଦେବାକୁ ଯିବା ପୂର୍ବରୁ ବା କୌଣସି ଶୁଭ କାମକୁ ଯିବା ପୂର୍ବରୁ ଦହି ଓ ଚିନି ଖାଇଲେ ଭଲ ଫଳ ମିଳିଥାଏ । ତେବେ ବିଜ୍ଞାନ ଅନୁସାରେ ମନୁଷ୍ୟ କୌଣସି ଏକ ବିଶେଷ କାର୍ଯ୍ୟ ପାଇଁ ଘରୁ ବାହାରକୁ ଯାଉଥାଏ, ତେବେ ତା’କୁ ଦିନସାରା ପାଇଁ ଶାରୀରିକ ଓ ମାନସିକ ଶକ୍ତିର ଆବଶ୍ୟକତା ପଡ଼ିଥାଏ । ଏପରିସ୍ଥଳେ ଗୋଟିଏ କପ୍ ଦହି ଓ ଚିନି ଶରୀରର ଶକ୍ତିକୁ ବଢ଼ାଇଥାଏ । ଦହି ଓ ଚିନି ତାହାର ଶରୀରକୁ ସତେଜ ରଖିଥାଏ । ଦହିରେ ପ୍ରୋଟିନ୍ ଅଧିକ ମାତ୍ରାରେ ରହିଥାଏ । ଏହା ସହିତ ଦହିରେ କ୍ୟାଲସିୟମ, ରିବୋଫ୍ଲୋବିନ୍, ଭିଟାମିନ ବି-୬ ଏବଂ ଭିଟାମିନ ବି-୧୨ ଆଦି ପୋଷକ ତତ୍ତ୍ୱ ରହିଥାଏ । ଯାହା ଶରୀରରେ ଶାରୀରିକ ଶକ୍ତି ବଢ଼ାଇଥାଏ । ଦହିରେ ଚିନି ମିଶ୍ରଣ ହେବା ଫଳରେ ଶରୀରକୁ ଗ୍ଲୁକୋଜ ମିଳିଥାଏ । ଫଳରେ ସତେଜ ଲାଗିଥାଏ । ତେଣୁ ଦହି ଓ ଚିନିର ମିଶ୍ରଣ ଶରୀର ପାଇଁ ଉଚିତ୍ ହୋଇଥାଏ । ଏହି କାରଣରୁ କିଛି ଶୁଭ କାମକୁ ଯିବା ପୂର୍ବରୁ ଦହି ଓ ଚିନିକୁ ଖାଇ ପରମ୍ପରାର ପାଳନ କରାଯାଇଥାଏ ।


