ଶେଷ ଦିନରେ କେନ୍ଦ୍ରାପଡା ସହରରେ ବିଜେଡିର ବିଶାଳ ଶୋଭାଯାତ୍ରା : ଶକ୍ତି ପ୍ରଦର୍ଶନ କଲା ବିଜେଡି

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡ଼ା ପୌର ନିର୍ବାଚନ ପ୍ରଚାରର ଶେଷଦିନ ଥିଲା ମଙ୍ଗଳବାର । ଏହି ଶେଷ ଦିନରେ ବିଜେଡିର ଏକ ବିଶାଳ ଶୋଭାଯାତ୍ରା ତିନିମୁହାଣି ଠାରୁ ବାହାରି ସହର ମଧ୍ୟ ଦେଇ ଇଛାପୁର ରଥଦାଣ୍ଡ ପର୍ଯ୍ୟନ୍ତ ଯାଇଥିଲା । ଏହି ବିଶାଳ ଶୋଭାଯାତ୍ରା ଦ୍ୱାରା ବିଜେଡି ସାଧାରଣରେ ତା’ର ଶକ୍ତି ପ୍ରଦର୍ଶନ କରିଛି । ନଗରପାଳ ପ୍ରାର୍ଥୀ ସରିତା ସାହୁ କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରାଙ୍କ ସହ ଏକ ଖୋଲା ଜିପରେ ରୋଡ ଶୋ କରି ତିନିମୁହାଣୀରୁ ବାହାରି ସହର ମଧ୍ୟ ଦେଇ ଇଛାପୁର ରଥଦାଣ୍ଡ ପର୍ଯ୍ୟନ୍ତ ଯାଇଥିଲେ । ଏଥିରୁ ପ୍ରମାଣ ମିଳିଥିଲା ଯେ ବିଜେଡି ସହ ହଜାର ହଜାର ସଂଖ୍ୟାରେ ଯୁବକ, ମହିଳା, ପୁରୁଷ ସବୁ ବର୍ଗର ଲୋକ ଅଛନ୍ତି । ଏଥିସହିତ କେନ୍ଦ୍ରାପଡା ପୈାର ପରିଷଦର ୨୧ଟି ୱାର୍ଡରେ ଛିଡା ହୋଇଥିବା ବିଜେଡିର ସମସ୍ତ କାଉନସିଲର ପ୍ରାର୍ଥୀ ଶୋଭାଯାତ୍ରାରେ ଅନ୍ୟ ଦୁଇଟି ଖୋଲା ଜିପରେ ଛିଡା ହୋଇ ଲୋକମାନଙ୍କୁ ଭୋଟ ଭିକ୍ଷା କରୁଥିଲେ । ହଜାର ହଜାର ଯୁବକ ଏହି ବାଇକ ଶୋଭାଯାତ୍ରାରେ ତିନିମୁହାଣୀରୁ ବାହାରି ସହର ମଧ୍ୟଦେଇ ଇଛାପୁର ପର୍ଯ୍ୟନ୍ତ ଯାଇଥିଲେ । ବାଟରେ ସମସ୍ତ ୱାର୍ଡର ଭୋଟରମାନଙ୍କୁ ବିଧାୟକ ଶ୍ରୀ ବେହେରା ଓ ନଗରପାଳ ପ୍ରାର୍ଥୀ ସରିତା ଶଙ୍ଖ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ନିବେଦନ କରିଥିଲେ । ଏହି ଅବସରରେ ବିଧାୟକ ଶ୍ରୀ ବେହେରା କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଜନକଲ୍ୟାଣକାରୀ ଯୋଜନା ଓ ବିକାଶର ଧାରା ସମଗ୍ର ରାଜ୍ୟରେ ଚାଲିଛି । ସେହିପରି କେନ୍ଦ୍ରାପଡ଼ାରେ ମଧ୍ୟ ନବୀନ ବାବୁଙ୍କ ଜନକଲ୍ୟାଣକାରୀ ଯୋଜନା ଗୁଡିକର ସଫଳ ରୂପାୟନ ହେବା ସହିତ ବିକାଶମୂଳକ କାର୍ଯ୍ୟ ଗୁଡିକ ଆଗେଇ ଚାଲିଛି । ନବୀନ ବାବୁଙ୍କ ଏହି ବିକାଶର ଧାରା ଆଗରେ ବିରୋଧୀ ଧରାଶାୟୀ ହୋଇପଡିଛନ୍ତି । ତେଣୁ କେନ୍ଦ୍ରାପଡ଼ା ସହରର ଭୋଟରମାନେ ଆସନ୍ତା ୨୪ ତାରିଖରେ ନଗରପାଳ ପ୍ରାର୍ଥୀ ସରିତା ସାହୁଙ୍କୁ ବିପୁଳ ସଂଖ୍ୟାରେ ଶଙ୍ଖ ଚିହ୍ନରେ ସୁଇଚ ଟିପି ବିଜୟୀ କରାଇବେ । ଏଥିସହ କେନ୍ଦ୍ରାପଡ଼ା ପୌରାଞ୍ଚଳର ୨୧ଟି ୱାର୍ଡରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୨୧ ଜଣ ବିଜେଡି କାଉନସିଲର ପ୍ରାର୍ଥୀଙ୍କର ମଧ୍ୟ ବିଜୟ ହେବ, ଏଥିରେ ସନ୍ଦେହର ଅବକାଶ ନାହିଁ । କାରଣ ନବୀନବାବୁଙ୍କ ବିକାଶ ରଥକୁ ନଗରପାଳ ପ୍ରାର୍ଥୀ ଓ କାଉନସିଲର ପ୍ରାର୍ଥୀମାନେ କେନ୍ଦ୍ରାପଡ଼ାରେ ଆଗେଇ ନେବେ । ଏହି ଅବସରରେ ନଗରପାଳ ପ୍ରାର୍ଥୀ ସରିତା ସାହୁ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ଜନସେବା କରିବାକୁ ଆଗେଇ ଆସିଛି । ନବୀନବାବୁଙ୍କ ଜନହିତକର ଯୋଜନା ଏବଂ ବିକାଶମୂଳକ କାର୍ଯ୍ୟ ମୋ ବିଜୟର ମୂଳ ମନ୍ତ୍ର ହେବ । ସେହିପରି କେନ୍ଦ୍ରାପଡ଼ା ବିଧାୟକଙ୍କ ସଚ୍ଚୋଟ ପଣିଆ ଓ ତାଙ୍କ ନିର୍ବାଚନୀ ରଣକୌଶଳ ମଧ୍ୟ ମୋ ବିଜୟପଥକୁ ସୁଗମ କରିବ । କେନ୍ଦ୍ରାପଡ଼ା ପୌର ନିର୍ବାଚନରେ ବିଜେଡିର ନଗରପାଳ ପ୍ରାର୍ଥୀ ଓ ସମସ୍ତ କାଉନସିଲର ପ୍ରାର୍ଥୀଙ୍କ ମହାବିଜୟ ହେବ । ପଞ୍ଚାୟତ ନିର୍ବାଚନରେ ଯେପରି ବିଜେଡି ଏକ ପାଖିଆ ବିଜୟର ସ୍ୱାଦ ଚାଖିଲା ଠିକ ସେହିପରି ପୌର ନିର୍ବାଚନରେ ମଧ୍ୟ ବିଜେଡିର ମହା ବିଜୟ ହେବ । ଏହି ଅବସରରେ ବିଜେଡି ରାଜ୍ୟ ସମ୍ପାଦକ ରଞ୍ଜିତ ସାହୁ କହିଲେ ଆମର ନେତା ନବୀନ ପଟ୍ଟନାୟକ । ନବୀନ ପଟ୍ଟନାୟକ ଯେପରି ଓଡିଶାର ବିକାଶ ରଥକୁ ଆଗେଇ ନେଇ ସମଗ୍ର ଦେଶରେ ଏକ ନମ୍ବର ପ୍ରଶାସକ ହେବାର ଗୌରବ ଅର୍ଜନ କରିଛନ୍ତି ଠିକ ସେହିପରି ସରିତା ସାହୁ ମଧ୍ୟ କେନ୍ଦ୍ରାପଡ଼ାର ବିକାଶ ରଥକୁ ଆଗେଇ ନେଇ ବିଜେଡିକୁ କେନ୍ଦ୍ରାପଡ଼ାରେ ସଶକ୍ତ କରିବେ । ଏହି ରୋଡ ଶୋରେ ୧୧ ନଂ. ବିଜେଡି କାଉନସିଲର ପ୍ରାର୍ଥୀ ପୁଷ୍ପାଞ୍ଜଳି ବସ୍ତିଆ, ୧୩ ନଂ. କାଉନସିଲର ପ୍ରାଥୀ ମଙ୍ଗଳବରଣ ସିଂ, ୧୭ ନଂ. କାଉନସିଲର ପ୍ରାର୍ଥୀ ଉମେଶ ନାୟକ, ୬ ନଂ. କାଉନସିଲର ପ୍ରାର୍ଥୀ ପ୍ରଦୀପ୍ତ ଜେନା, ୧୯ ନଂ. କାଉନସିଲର ପ୍ରାର୍ଥୀ ଆଶିଷ ପାଣି, ୨୧ ନଂ. କାଉନସିଲର ପ୍ରାର୍ଥୀ ପ୍ରଭାଶିଷ ପଣ୍ଡା, ୧୬ ନଂ. କାଉନସିଲର ପ୍ରାର୍ଥୀ ସାଜେଦା ଖାନମ, ପୂର୍ବତନ ପୌରାଧ୍ୟକ୍ଷା ରୋସ୍ନା ସାହୁ, ୫ ଜୋନ ଜିଲ୍ଲା ପରିଷଦ ସଭ୍ୟ ଲିଲିତା ଦାସ, ୭ ନଂ. ଜୋନ ଜିଲ୍ଲା ପରିଷଦ ସଭ୍ୟ ମଧୁଛନ୍ଦା ମହାନ୍ତି, ଜିଲ୍ଲା ବିଜେଡି ଛାତ୍ର ସଭାପତି ପ୍ରଦୀପ କୁମାର ସାହୁ ପ୍ରମୁଖ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ