ଶୈବ ପୀଠ ଗୁଡ଼ିକ ରେ ଜାଗର ଜାଳିଲେ ଭକ୍ତ ଓ ଶ୍ରଦ୍ଧାଳୁ
ନିମାପଡ଼ା,(ସନ୍ତୋଷ କୁମାର ଦାଶ): ପବିତ୍ର ଜାଗର ଯାତ୍ରା ବା ମହା ଶିବରାତ୍ରୀ ପାଇଁ ପୁଣ୍ୟତୋୟା ପ୍ରାଚୀ ଉପତ୍ୟକା ର ଶୈବପୀଠ ଗୁଡ଼ିକ ଆଜି ଚଳଚଞ୍ଚଳ ହୋଇ ପଡ଼ିଥିଲା। ଅନ୍ଧ କପିଳେଶ୍ଵର, ବେଲେଶ୍ୱର, ତ୍ରିବେଣୀଶ୍ଵର, ରାମେଶ୍ବର, ଅଙ୍ଗେଶ୍ୱର, ଅମରେଶ୍ୱର,ବନ୍ଦେଶ୍ଵର, ଗ୍ରାମେଶ୍ଵର, ସୋମେଶ୍ଵର,ସିଦ୍ଧେଶ୍ୱର, ନାଟେଶ୍ୱର ଓ ମୁକ୍ତେଶ୍ୱର ପ୍ରଭୃତି ଶୈବ ପୀଠ ଗୁଡ଼ିକରେ ମହା ଶିବରାତ୍ରୀ ବା ଜାଗର ଯାତ୍ରା ଧୁମ୍ ଧାମରେ ପାଳିତ ହୋଇଛି। ଶ୍ରଦ୍ଧାଳୁ ଭକ୍ତମାନେ ପୀଠ ରେ ପହଞ୍ଚି ଶମ୍ଭୁ ଙ୍କୁ ଦର୍ଶନ କରିବା ସହିତ ନିଜର ଓ ପରିବାର ର ମଙ୍ଗଳ କାମନା କରି ଜାଗର ଦିପ ଜାଳିଥିଲେ। ବିଳମ୍ବିତ ରାତିରେ ସବୁ ଶୈବ ପୀଠ ମାନଙ୍କ ରେ ମହାଦୀପ ମନ୍ଦିର ଚୂଡା କୁ ଉଠିଥିଲା।ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ସୁବିଧା ପାଇଁ ମନ୍ଦିର ପ୍ରଶାସନ ଓ ସେବକ ସମାଜ ଓ ସ୍ଥାନୀୟ ପୋଲିସ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଥିଲା। ବିଭିନ୍ନ ସ୍ଥାନ ରେ ପାଲା, ପ୍ରବଚନ, ବିଶ୍ଵଶାନ୍ତି ମହାଯଜ୍ଞ, ଭଜନ ସମାରୋହ ପ୍ରଭୃତି ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା।ଜାଗର ଯାତ୍ରା ବା ମହା ଶିବରାତ୍ରୀ ପାଇଁ ସମଗ୍ର ପ୍ରାଚୀ ଉପତ୍ୟକା ଉତ୍ସବ ମୁଖର ହୋଇ ପଡ଼ିଥିଲା।