ଶୋକାକୂଳ ପରିବେଶରେ ଶେଷକୃତ୍ୟ ସଂପନ୍ନ, ଜନ୍ମଭୂମି ଲୋକାରଣ୍ୟ
ବନ୍ତ, (ଚାନ୍ଦିନୀ ମହାନ୍ତି) : ଭଦ୍ରକ ମାଟିର ସୁଯୋଗ୍ୟ ସନ୍ତାନ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜ୍ଜୁନ ଚରଣ ସେଠୀ(୭୯) ସମସ୍ତଙ୍କୁ ଶୋକ ସାଗରରେ ଭସାଇ ଦେଇ ସୋମବାର ସନ୍ଧ୍ୟାରେ ଆର ପାରିକୁ ଚାଲିଯାଇଛନ୍ତି । ମଙ୍ଗଳବାର ଅପରାହ୍ନରେ ଏକ ସୁସଜ୍ଜିତ ଗାଡିରେ ତାଙ୍କ ମରଶରୀରକୁ ନିଜ ଜନ୍ମ ଭୂମି ଓଡଙ୍ଗ ଗ୍ରାମକୁ ଅଣାଯାଇଥିଲା । ସେଠାରେ ପୂର୍ବତନ ରାଜସ୍ୱ ମନ୍ତ୍ରୀ ମନ ମୋହନ ସାମଲ, ବିଜେପି ନେତା ବଦ୍ରୀ ନାରାୟଣ ଧଳ, ଚାନ୍ଦବାଲି ବ୍ଲକର ବରିଷ୍ଠ ନେତା ପ୍ରତାପ ଚନ୍ଦ୍ର ଧଳ, ପ୍ରାକ୍ତନ ବିଧାୟକ ପ୍ରଫୁଲ୍ଲ ଜେନା, ବ୍ଲକ ଅଧ୍ୟକ୍ଷ ଦେବେନ୍ଦ୍ର ଜେନା, ଉପାଧ୍ୟକ୍ଷା ମଞ୍ଜୁଲତା ଜେନା, ଜିଲା ପରିଷଦ ସଭ୍ୟା ରେବତୀ ନାୟକ, ବନ୍ତ ଆଞ୍ଚଳିକ ମହାବିଦ୍ୟାଳୟର ଅଧ୍ୟାପକ ଡଃ.ସୁଧାଂଶୁ ଶେଖର ନାୟକ, ବ୍ଲକ ବିଜେଡି ସଭାପତି କମଳାକାନ୍ତ ସାହୁ, ବିଜେପି ନେତ୍ରୀ ପଙ୍କଜିନୀ ଲେଙ୍କା, ବରିଷ୍ଠ ନେତା ଦେବେନ୍ଦ୍ର ତ୍ରିପାଠୀ, ଶିକ୍ଷକ ରମାକାନ୍ତ ରାଉତଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ଶେଷ ଦର୍ଶନ କରିବା ସହିତ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ବିଭିନ୍ନ ଦଳର ନେତୃତ୍ୱଙ୍କ ସମେତ ହଜାର ହଜାର ସଂଖ୍ୟାର ମହିଳା ଓ ପୁରୁଷ ମାନେ ତାଙ୍କ ମରଶରୀରକୁ ଜାମ୍ବବଣି ଛକ ଠାରୁ ଏକ ଶୋଭା ଯାତ୍ରାରେ ଆଣି ଓଡଙ୍ଗ ଓ ସରମରା ଆଦି ଗ୍ରାମ ପରିକ୍ରମା କରାଇଥିଲେ । ଶବାଧାର ନିକଟରେ ବଡପୁଅ ଅଭିମନ୍ୟୁ ଉପସ୍ଥିତ ଥିଲେ । ଶେଷରେ ଶୋକାକୂଳ ପରିବେଶରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଥିଲା ।


