ଶ୍ରମମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ

କେନ୍ଦ୍ରାପଡା -କେନ୍ଦ୍ରାପଡା ଜିଲ୍ଲା ନିର୍ମାଣ ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟାର ପ୍ରତିକାର ପାଇଁ କେନ୍ଦ୍ର୍ରୀୟ ଶ୍ରମିକ ସଂଗଠନ ଓ ଅନ୍ୟାନ୍ୟ ଶ୍ରମିକ ସଂଗଠନ ମାନଙ୍କ ପକ୍ଷରୁ ଶ୍ରମ, ନିଯୁକ୍ତି ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଶ୍ରମ ମନ୍ତ୍ରୀଙ୍କ କରକମଳରେ କେନ୍ଦ୍ରାପଡା ଜିଲ୍ଲାରେ ପ୍ରବାସୀ ଶ୍ରମିକ ସହାୟକ ଓ ସାଧନ କେନ୍ଦ୍ର ଶୁଭ ଉଦଘାଟନ ହୋଇଥିବାରୁ ଏହା ଜିଲ୍ଲା ପାଇଁ ଏକ ଗୌରବର ବିଷୟ । ଏହି ଜିଲ୍ଲାର ଅର୍ଥନୀତି ଶ୍ରମ, କୃଷି ଓ ପ୍ରବାସୀ ଶ୍ରମିକ ଉପରେ ନିର୍ଭର କରେ । ବିଶ୍ୱରେ କେନ୍ଦ୍ରାପଡା ଜିଲ୍ଲାର ପାଣି ପାଇପ ଶ୍ରମିକମାନେ ନାମ କମାଇଛନ୍ତି । କେନ୍ଦ୍ରାପଡା ଜିଲ୍ଲାରେ ଅନ୍ୟ ଜିଲ୍ଲା ପରି କଳକାରଖାନା, ଖଣିଜ ସଂପଦ କିମ୍ବା ରୋଜଗାରର ଅନ୍ୟ ପନ୍ଥା ନାହିଁ । ଏଣୁ ଶ୍ରମିକମାନେ ସାଧାରଣ ମଜୁରୀ ଓ ପ୍ରବାସୀ ଶ୍ରମିକଙ୍କ ରୋଜଗାର ଉପରେ ନିର୍ଭରଶୀଳ । ଏହି ସ୍ମାରକ ପତ୍ର ମାଧ୍ୟମରେ ଶ୍ରମିକ ସଂଗଠନ ପକ୍ଷରୁ ଶ୍ରମ ମନ୍ତ୍ରୀଙ୍କୁ ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ସମ୍ପର୍କରେ ବିଚାର କରିବାକୁ ନିବେଦନ କରାଯାଇଥିଲା । ସମସ୍ୟା ଗୁଡିକ ମଧ୍ୟରେ କେନ୍ଦ୍ରାପଡା ଜିଲ୍ଲାରେ ୨୦୧୫ ମସିହାରୁ ଏ ପର୍ଯ୍ୟନ୍ତ ପଡି ରହିଥିବା ଆବେଦନ ଦରଖାସ୍ତର ପଞ୍ଜିକରଣ ନହେବା, ୨୦୧୬ ମସିହାରୁ ସାଇକେଲ ଓ ଯନ୍ତ୍ରପାତି ସହାୟତା ପ୍ରଦାନ କରାନଯିବା, ଶ୍ରମିକ ମାନଙ୍କୁ ପ୍ରଶିକ୍ଷଣ ମିଳି ଥିଲେ ମଧ୍ୟ ଅଦ୍ୟାବଧି ୬ ହଜାର ନିର୍ମାଣ ଶ୍ରମିକଙ୍କୁ ପ୍ରମାଣପତ୍ର କିମ୍ବା ପାରିଶ୍ରମିକ ବାବଦ ଟ.୩୦୦୦/- ପ୍ରଦାନ କରାନଯିବା, ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ଦୂରାରୋଗ୍ୟ ବ୍ୟାଧିରେ ପିଡିତ ଜଣେ ଶ୍ରମିକଙ୍କୁ ମଧ୍ୟ ଟଙ୍କାଟିଏ ମିଳିପାରି ନାହିଁ । ୨୦୧୬ ମସିହାରୁ ଆବେଦନ କରିଥିବା ଅନେକ ଲୋକ ମୃତ୍ୟୁ ବରଣ କରି ସାରିଥିଲେ ମଧ୍ୟ ସେମାନଙ୍କୁ ମୃତ୍ୟୁ କାଳୀନ ସହାୟତା, ଝିଅ ବିବାହ ସହାୟତା, ପ୍ରସୂତୀ କାଳୀନ ସହାୟତା ପ୍ରଭୃତି ମିଳିନଥିବା ବେଳେ ମନ୍ତ୍ରୀଙ୍କ ଆଗମନ ଅବସରରେ ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ କିଛି ସହାୟତା ପ୍ରଦାନ କରାଯାଇଛି । କିନ୍ତୁ ଆହୁରି ଅନେକ ହିତାଧିକାରୀ ସହାୟତା ପାଇବାରୁ ମଧ୍ୟ ବଞ୍ଚିତ ହୋଇଛନ୍ତି । ଶ୍ରମ ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଯାହା ଶ୍ରମିକ ମାନଙ୍କ କାର୍ଯ୍ୟ କ୍ଷେତ୍ରରେ କାର୍ଯ୍ୟରତ ସମୟରେ ପଞ୍ଜୀକରଣ କରାଇବା, କିନ୍ତୁ ଏଥିପ୍ରତି ପ୍ରଶାସନର ଦାୟିତ୍ୱ , ନିଷ୍ଠା ରହିବା ଆବଶ୍ୟକ । କିନ୍ତୁ ଆଜକୁ ୪ ବର୍ଷ ତଳେ ଆବେଦନ କରିଥିବା ଶ୍ରମିକଟି କେବେ ପଞ୍ଜିକରଣ ପ୍ରମାଣପତ୍ର ପାଇବେ, କେବେ ତାର ଯନ୍ତ୍ରପାତି ଓ ସାଇକେଲ ସହାୟତା ପାଇବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ? ୨୦୧୮-୧୯ ମସିହାରୁ ଆବେଦନ ହୋଇଥିବା ପାଠପଢା ସହାୟତା ଆଜି ପର୍ଯ୍ୟନ୍ତ ୨୦୧୯-୨୦ ଶିକ୍ଷାବର୍ଷ ଶେଷ ହେବାକୁ ବସିଥିବା ବେଳେ ଜିଲ୍ଲାରେ ଏପର୍ଯ୍ୟନ୍ତ କୌଣସି ସହାୟତା ଦିଆଯାଇ ନାହିଁ । ଚଳିତ ବର୍ଷର ଆବେଦନ ପତ୍ର ମଧ୍ୟ ଗ୍ରହଣ କରାଯାଇ ନାହିଁ କି ୩ ବର୍ଷରୁ ଉର୍ଦ୍ଧ୍ୱ ନବୀକରଣ କରିନଥିବା ଶ୍ରମିକ ମାନଙ୍କର ପଞ୍ଜିକରଣକୁ ବାତିଲ କରା ନଯାଇ ଜୋରିମାନା ସହ ସେମାନଙ୍କ ପଞ୍ଜିକରଣକୁ କାଏମ ରଖାଯାଉ । ଏହି ଉତ୍ସବରେ ମାନ୍ୟବର ଅଧ୍ୟକ୍ଷ ରାଜ୍ୟ ନିର୍ମାଣ ଶ୍ରମିକକଲ୍ୟାଣ ବୋର୍ଡ, ରାଜ୍ୟ ଶ୍ରମ ସଚିବ, ରାଜ୍ୟ ଶ୍ରମ କମିଶନର, ଜିଲ୍ଲାପାଳ, ଡି.ଏଲ.ସି, କେନ୍ଦ୍ରାପଡା ଏବଂ ଜିଲ୍ଲା ଶ୍ରମ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ । ଏହି ଦାବି ପତ୍ର ପ୍ରଦାନ ସମୟରେ ଏଆଟିୟୁସିର ଜିଲ୍ଲା ସଭାପତି ବାବାଜୀ ଧଳ, ସିଆଇଟିୟୁ ସଂପାଦକ ଅଜିତ କୁମାରା ପରିଡା, ଆଇଏନଟିୟୁସିର ଫକିର ଚରଣ ଖଟୁଆ, ଆଇଏନଟିୟୁସିର ସଭାପତି ମୁକ୍ତାର ଖାଁ, ବସନ୍ତ କୁମାର ସେଠୀ, ଧନେଶ୍ୱର ରାଉତ, ମାଧବ ଦାସ, ପରମେଶ୍ୱର ପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ