ଶ୍ରମିକଙ୍କୁ ରୋଜଗାରକ୍ଷମ ପାଇଁ ଗଜପତି ଜିଲ୍ଲାପାଳଙ୍କ ଶ୍ରମ ଭିତ୍ତିକ କାର୍ଯ୍ୟର ଶୁଭାରମ୍ଭ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଲକ୍ଡାଉନ୍ ଦ୍ୱାରା ସହରାଞ୍ଚଳ ଶ୍ରମିକମାନେ କାମଧନ୍ଦା ନ ପାଇ ଅତ୍ୟନ୍ତ କଷ୍ଟରେ ପରିବାର ପରିପୋଷଣ କରୁଥିଲେ । ଏମାନଙ୍କୁ ରୋଜଗାରକ୍ଷମ କରିବା ପାଇଁ ଗଜପତି ଜିଲ୍ଲାପାଳ ଅନୁପମ ଶାହା ପାରଳା ମ୍ୟୁନିସିପାଲଟିରେ ପ୍ରଥମଥର ପାଇଁ ଶ୍ରମଭିତ୍ତିକ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି । ଏଥି ପାଇଁ ୯୪ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ଏଥିରେ ସହରର ଶତାଧିକ ଶ୍ରମିକଙ୍କୁ ନିୟୋଯିତ କରିବା ପାଇଁ ଉଦ୍ୟମ କରାଯାଇଥିବା ପୌର ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ ସୁଚନା ଦେଇଛନ୍ତି । ବର୍ତ୍ତମାନ କରୋନା ପାଇଁ ଲକ୍ଡାଉନ୍ ଚାଲିଥିବାରୁ ଶ୍ରମିକମାନେ କୌଣସୀ କାମଧନ୍ଦା ନ ପାଇ କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି । ସେଥିପାଇଁ ପାରଳା ପୌରସଂସ୍ଥା ପକ୍ଷରୁ ସହରର ୧୬ଟି ୱାର୍ଡରେ ୪୯ଟି ପ୍ରକଳ୍ପ ନିର୍ମାଣ ଏବଂ ସେଥିରେ ପ୍ରାୟ ୧୦୦ରୁ ଉର୍ଦ୍ଧ ଶ୍ରମିକ ନିୟୋଯିତ ପାଇଁ ସ୍ଥିର ହୋଇଛି । ଏହି ଶ୍ରମିକ ମାନଙ୍କୁ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ଚିହ୍ନଟ କରାଯାଇଛି । ଏମାନେ କୋଠା ନିର୍ମାଣ,ରାସ୍ତା ନିର୍ମାଣ ଏବଂ ନାଳ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହେବେ । ଏଥିପାଇଁ ଗଜପତି ଜିଲ୍ଲାପାଳ ତଥା ପୌରାଧ୍ୟକ୍ଷ ଅନୁପମ ଶାହା ୯୪ଲକ୍ଷ ଟଙ୍କା ମଞ୍ଜୁର କରିଥିବା ଜଣାପଡିଛି । ଶ୍ରମିକମାନଙ୍କ ପ୍ରାପ୍ୟର ୩୦%ଟଙ୍କାରୁ ସାମଗ୍ରୀ କିଣିବା ପାଇଁ ବ୍ୟବସ୍ଥା ହୋଇଛି । ଏହାର ତଦାରଖ ଦାୟୀତ୍ୱ ସ୍ୱୟଂସହାୟକ ଗୋଷ୍ଠୀମାନେ ତୁଲାଇବେ ବୋଲି ଜଣାପଡିଛି । ପ୍ରଥମ ପର୍ଯାୟରେ ବାଗିତି ସାହି ଡ୍ରେନ,ଜାଗିଲି ସାହି ରାସ୍ତା,ମକାତୋଟାମା ମନ୍ଦିର ପାଖ ରାସ୍ତାର ପାଚେରୀ,ଗୋପାଳପୁର ଡ୍ରେନ ନିର୍ମାଣ କାମ ଆଦି ଆରମ୍ଭ ହୋଇଛି ।


