ଶ୍ରାବଣୀ ଜଳ ଲାଗିରେ ପ୍ଲାଷ୍ଟିକ୍ ମୁକ୍ତ ହେଉ ଶ୍ରୀ ଲିଙ୍ଗରାଜ ମନ୍ଦିର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆଉ ଦିନ କେଇଟା ପରେ ଶ୍ରାବଣୀ ଜଳଲାଗି । ଶ୍ରାବଣ ମାସର ପ୍ରତିଟି ସୋମବାରରେ ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର ସଂଖ୍ୟାରେ ଭକ୍ତ, ଶ୍ରଦ୍ଧାଳୁ ଓ ମାନସିକଧାରୀ ଜଳ ନେଇ ଏକାମ୍ର କ୍ଷେତ୍ରର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପୀଠକୁ ଆସିଥାନ୍ତି । ସେମାନଙ୍କ ମଧ୍ୟରୁ ଅନେକ ବୋଲବମ୍ ଭକ୍ତ ସାଥିରେ ପ୍ଲାଷ୍ଟିକ୍ କଳସରେ ଜଳ, ପଲିଥିନ୍ ବ୍ୟାଗରେ ଭୋଗ, ଶିକା କାଟିବା ପାଇଁ ଧାରୁଆ ବ୍ଲେଡ୍ ଅଥବା ଛୁରୀ, ବିଭିନ୍ନ ପ୍ରକାର ନିଶା ଦ୍ରବ୍ୟ ଯଥା – ଗଞ୍ଜେଇ, ଚିଲମ, ଗୁଟୁଖା, ପାନ, ସିଗାରେଟ୍‌, ବିଡ଼ି ଇତ୍ୟାଦିକୁ ଅଣ୍ଟାରେ ଖୋସି ମନ୍ଦିର ଭିତରକୁ ଅତି ସହଜରେ ପ୍ରବେଶ କରିଥାନ୍ତି । ପରବର୍ତ୍ତୀ ସମୟରେ ମନ୍ଦିର ସଫେଇ ସମୟରେ ଏହି ଆପତ୍ତି ଜିନିଷ ଏବଂ ମନ୍ଦିର ପ୍ରଶାସନ ପକ୍ଷରୁ ନିଷିଦ୍ଧ ଦ୍ରବ୍ୟ ଗୁଡ଼ିକ ମନ୍ଦିର ଭିତରେ ଏଣେତେଣେ ପଡ଼ିଥିବାର ସାମ୍ନାକୁ ଆସିଥାଏ । ପରିବେଶ ସମ୍ପୂର୍ଣ୍ଣ ବିଗିଡ଼ି ଯାଇଥାଏ । ପ୍ରତିବର୍ଷ ମନ୍ଦିର ପ୍ରଶାସନ ଏନେଇ ବାରଣ କରିଥାନ୍ତି । ମନ୍ଦିରର ସୁରକ୍ଷା ଓ ଭକ୍ତଙ୍କ ଯାଞ୍ଚ ପାଇଁ ଗଣ୍ଡା ଗଣ୍ଡା ଆରକ୍ଷୀ କର୍ମଚାରୀ ମନ୍ଦିର ମୁଖ୍ୟ ଦ୍ୱାରରେ ନିୟୋଜିତ ଥାଇ ସୁଦ୍ଧା ଏସବୁ ଆପତ୍ତି ଜିନିଷ ଗୁଡ଼ିକ ଭିତରକୁ କିପରି ପ୍ରବେଶ କରୁଛି ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପରିବେଶବିତ୍ ସୁଶାନ୍ତ ସାହୁ । ଶ୍ରୀ ସାହୁ ଏ ସମ୍ପର୍କରେ କୁହନ୍ତି ବୋଲବମ୍ ଭକ୍ତ ଶିକା କାଟି ବ୍ଲେଡ୍ ଗୁଡ଼ିକୁ ମନ୍ଦିର ଭିତରେ ଫୋପାଡ଼ି ଚାଲି ଆସିଥାନ୍ତି । ସଫେଇ ସମୟରେ ଏହି ବ୍ଲେଡ୍‌, ଫୁଲ, ପତ୍ର ସହ ମନ୍ଦିର ବାହାରକୁ ଚାଲିଯାଇଥାଏ । ବାହାରେ ଏଗୁଡ଼ିକ ଗଦା ହୋଇଥିବା ସମୟରେ ମନ୍ଦିର ଚାରିପଟେ ବୁଲୁଥିବା ଗୋରୁ, ଗାଈ, ଷଣ୍ଢ ଇତ୍ୟାଦି ପରି ଜୀବଙ୍କ ପେଟକୁ ଫୁଲ, ପତ୍ରରେ ବ୍ଲେଡ୍ ଚାଲିଯାଇଥାଏ । ଶେଷରେ ନିରୀହ ଜୀବଟି ମରିଯାଇଥାଏ । ଶ୍ରାବଣୀ ଜଳ ଲାଗି ଅବସରରେ ମନ୍ଦିର ପ୍ରଶାସନ ଏନେଇ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରନ୍ତୁ ଏବଂ ମନ୍ଦିର ପ୍ରବେଶ ଦ୍ୱାରରେ ମେଟାଲ ଡ଼ିଟେକ୍ଟରକୁ କାର୍ଯ୍ୟକ୍ଷମ କରିବା ଲାଗି ଶ୍ରୀ ସାହୁ ଏକ ପ୍ରେସ୍ ବିବୃତ୍ତିରେ ଦାବି କରିଛନ୍ତି ।

Spread the love

Advertisement

ଏବେ ଏବେ