ଶ୍ରୀଜଗନ୍ନାଥ ରଥଯାତ୍ରା ପୂର୍ବରୁ ପାଷାଣ ଶ୍ରୀଜଗନ୍ନାଥଙ୍କ ଯାତ୍ରା ଶେଷ

ପାରଳାଖେମୁଣ୍ଡି: ଯୁଗାବ୍ଦ ନ୍ୟୁଜ (ତାରିଣୀ ପ୍ରସାଦ ପଣ୍ଡା) -ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ପୌରାଣିକ ମହେନ୍ଦ୍ରଗିରି ପାଦଦେଶରେ ବା ଚତୁର୍ପାଶ୍ୱର୍ର ଶବର ମାନଙ୍କ ଦ୍ୱାରା ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ବିଶ୍ୱରେ ଆରମ୍ଭ ହେବା ଦିନ ଏଠାରେ ପାଷାଣ ଜଗନ୍ନାଥଙ୍କ ଯାତ୍ରା ଶେଷ ହୋଇଥାଏ । ଏହା ଏକ ବିରଳ ଓ ନିଆରା ପରମ୍ପରା ଅଟେ । ମହେନ୍ଦ୍ରଗିରିର ଶବରମାନେ ପାଷାଣ ଜଗନ୍ନାଥଙ୍କ ଯାତ୍ରା ବା ପୂଜାର୍ଚ୍ଚନା ପ୍ରଥା ଏଠାରେ ବହୁ ପ୍ରଚୀନ କାଳରୁ ରହିଆସିଛି । ଏଥି ଅନୁଯାୟୀ ପାଷାଣ ଜଗନ୍ନାଥଙ୍କ ପୂଜା ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗତ ଜୁନ ୧୭ତାରିଖ ଦେବସ୍ନାନ ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇ ମହାପ୍ରଭୁଙ୍କ ନବ ଯୈ÷ାବନ ଦର୍ଶନ ଦିନ ଶେଷ ହୋଇଛି । ଅର୍ଥାତ୍ ଗତ ୨ତାରିଖ ମଙ୍ଗଲବାର ଏହି ପୂଜା ବା ଯାତ୍ରାର ଶେଷ ହୋଇଯାଇଛି । ଏଥିନେଇ ମହେନ୍ଦ୍ରଗିରି ପାଦଦେଶୀରେ ରହିଥିବା ଆଦିବାସୀ ଗ୍ରାମ ଖମ୍ଭାରୀ ସାହି ଠାରେ ଗତକାଲି ପାଶାଣ ଜଗନ୍ନାଥଙ୍କ ଯାତ୍ରା ଶେଷ ଦିବସରେ ଆଦିବାସୀ ଭକ୍ତଙ୍କ ପ୍ରବଳ ସମାଗମ ସାଙ୍ଗକୁ ଗୀତ, ସଂଗୀତ. ନୃତ୍ୟ ଆଦିର ଆସର ସହ ରାତ୍ର ଜାଗର ପାଳନ କରାଯାଏ । କେବଳ ଏହି ଗ୍ରାମ ନୁହେଁ, ମହେନ୍ଦ୍ରଗିରିରେ ରହିଥିବା ବିଭିନ୍ନ ଆଧିବାସୀ ବସ୍ତୀରେ ଏହାକୁ ଅତ୍ୟନ୍ତ ଭକ୍ତକୃତ ଭାବେ ପାଳନ କରାଯାଇଥାଏ । ଏଠାରେ ୩ଠାକୁର ରଥରେ ବସି ବାହାରନ୍ତି ନାହିଁ । କେବଳ ଗଛମୂଳେ ପୂଜାପାଠ କରାଯାଇଥାଏ । ଯାହାକି ନୀଳମାଧବଙ୍କ ପୂଜନ ପରମ୍ପରାକୁ ନେଇ ପଥରର ୩ ଠାକୁରଙ୍କୁ ପୂଜନର ପରମ୍ପରା ଅଟେ । ଜଗନ୍ନାଥ, ବଳଭଦ୍ର ଓ ଶୁଭଦ୍ରା ସ୍ୱରୂପରେ ତିନୋଟି ପଥରକୁ ବୃକ୍ଷର କୋରଡରେ ପୂଜା କରିବାର ଦେଖାଯାଏ । ଏହି ପାହାଡ ପାଦଦେଶରେଥିବା ଶବରମାନେ ୩ ଠାକୁରଙ୍କୁ ସେମାନଙ୍କ ଭାଷାରେ ଡାକିଥାନ୍ତି ବା ପୂଜାକରିଥାନ୍ତି । ତାଙ୍କ ଭାଷା ଅନୁଯାୟୀ ୟଗାମର୍ (କଳାଦେବତା ଜଗନ୍ନାଥ) ତାଆର୍ମର୍ (ଧଳାଦେବତା ବଳଭଦ୍ର) ଓ ସାଙ୍ଗ ଶାଙ୍ଗ୍ବୟ (ହଳଦୀଆଦେବୀ ସୁଭଦ୍ରା) । ଏଛଡା ବିଭିନ୍ନ ଦେବ ଦେବୀଙ୍କୁ ସେମାନଙ୍କ ଭାଷାରେ ବା ପୂଜାର୍ଚ୍ଚନା କରି ଡାକିଥାନ୍ତି ଯଥା ରାମା (ପର୍ଶୁରାମ), ଭୀମା (ଭୀମ), ଓୟଙ୍ଗବୟ (ସୂର୍ଯ୍ୟ ଦେବତା), ଆଙ୍ଗାୟ ବୟ (ଚନ୍ଦ୍ର ଦେବତା) ଜଳାବୟ (ବରୁଣ ଦେବତା) ଏପରି ବହୁ ଦେବଦେବୀଙ୍କୁ ଡାକି ଦେବସ୍ନାନ ପୂର୍ଣ୍ଣିମା ଅବସରରେ ରଥଯାତ୍ରା ପର୍ଯ୍ୟନ୍ତ ପୂଜାପାଠ ଚାଲିଥାଏ । ଏମାନଙ୍କ ପରମ୍ପରା ଅନୁଯାୟୀ ଯେ କୌଣସି ପୂଜା ପୂର୍ବରୁ ଓଁ ଉଚ୍ଚାରଣ କରିଥାନ୍ତି । ଓଁର ଉଚ୍ଚାରଣର ଭାଷା ମଧ୍ୟ ଏଠାରେ ଅଲଗା । ଏହି ଆଦିବାସୀ ବା ଶବରମାନେ କହିବାନୁସାରେ ମୁଖ୍ୟତଃ ଜଗତ କଲ୍ୟାଣ ଓ ସାରା ବିଶ୍ୱରେ ଆବଶ୍ୟକ ପରିମାଣର ବର୍ଷା ପାଇଁ ପୂଜା କରୁଛୁ । ଏହି ପରମ୍ପରା ଆମ୍ଭେ ଆମ୍ଭ ପୂର୍ବ ପୁରୁଷଙ୍କ ଠାରୁ ଶିଖିଅଛୁ । ପାଷାଣ ଜଗନ୍ନାଥଯାତ୍ରା ବା ପୂଜାକୁ ନେଇ ମହେନ୍ଦ୍ରଗିରି ଆଶ୍ରମର ପ୍ରତିଷ୍ଠତା ତଥା ମୁଖ୍ୟ ଲକ୍ଷ୍ମୀବାବା କହିଛନ୍ତି, ମହେନ୍ଦ୍ର ଶିଖରର ଶବରମାନେ ବହୁକାଳରୁ ଏହି ପୂଜାକରି ଆସୁଛନ୍ତି । ଗଛ କୋରଡରେ ପାଷାଣ ଜଗନ୍ନାଥଙ୍କ ଆବିର୍ଭାବ ଓ ବିଶ୍ୱାସକୁ ନେଇ ଏଠାରେ ପୂଜା, ଜାଗର ଓ ଯାତ୍ରା ଆଦି ଶବର ପରମ୍ପରା ଅନୁଯାୟୀ ଅତ୍ୟନ୍ତ ଭକ୍ତିଭାବେ ଓ ଆଡମ୍ବର ସହ ପାଳନ ହୋଇ ଆସୁଛି । ଏହି ପୂଜାରେ ଭୋଗ ଲାଗି ଆମ୍ବ, ପଣସ, ଜାମକୋଳି, ସପୁରୀ ଆଦି ଜଙ୍ଗଲ ଫଳକୁ କେବଳ ଭୋଗ ଲଗାଯାଇଥାଏ । ଅନେକ ଆଦିବାସୀ ଏହାକୁ ଆମ୍ବ ପର୍ବ ନାମରେ ନାମିତ କରିଛନ୍ତି । ଏଭଳି ମହେନ୍ଦ୍ରଗିରି ଅଞ୍ଚଳର ୫୦ରୁ ଉର୍ଦ୍ଧ ଶବରପଲ୍ଲୀ ଗ୍ରାମରେ ଗତ ଦେବସ୍ନାନ ପୂର୍ଣ୍ଣିମା ଠାରୁ ଏହି ପୂଜା ଆରମ୍ଭ ହୋଇଛି । ଶନିବାର ସମଗ୍ର ବିଶ୍ୱରେ ରଥଯାତ୍ରା ଆରମ୍ଭ ହେଉଥିବାବେଳେ ଏଠାରେ ଏହି ନିଆରା ପରମ୍ପରାରେ ୩ ଠାକୁରଙ୍କ ପୂଜା ବା ଯାତ୍ରାର ସମାପନ ହୁଏ । ପରେ ଏହି ଶବରମାନେ ରଥାରୁଢ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ଦର୍ଶନ ପାଇଁ ପାରଳାଖେମୁଣ୍ଡି ଓ ପୁରୀରେ ଅନୁଷ୍ଠିତ ହେଉଥିବା ରଥଯାତ୍ରା ଦେଖିବାପାଇଁ ବାହାରନ୍ତି । ମହେନ୍ଦ୍ରଗିରିରେ ପାଷାଣ ଜଗନ୍ନାଥଙ୍କ ଯାତ୍ରା ବେଳେ ସମସ୍ତ କାର୍ଯ୍ୟକ୍ରମକୁ ଶବର ମାନଙ୍କ ଦ୍ୱାରାହିଁ ସମ୍ପାଦନା ହୋଇଥାଏ । ରଥଯାତ୍ରାରେ ଡାହୁକ ଢେଗ ବା ଅଶ୍ଳିଳ ନହୋଇ ଏଠାରେ ଭକ୍ତିର ଗୀତିକା ବୋଲାଯାଇଥାଏ । ଐତିହାସିକ ତଥା ଗବେଷକ ଡଃ.ସତ୍ୟନାରାୟଣ ରାଜଗୁରୁ ଓ ଡଃ. ଭରତ ପଣ୍ଡା ତାଙ୍କର ଗବେଷଣାତ୍ମକ ପୁସ୍ତକ ମାନଙ୍କରେ ପ୍ରାଚୀନ କାଳରୁ ମହେନ୍ଦ୍ର ଅଞ୍ଚଳର ଶବରମାନେ ପାଷାଣ ଜଗନ୍ନାଥଙ୍କ ପୂଜନ କରିବା କଥା ଉଲ୍ଲେଖ କରିଛନ୍ତି । ସାରା ବିଶ୍ୱରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଆରମ୍ଭ ହୋଇନଥିବା ବେଳେ ମହେନ୍ଦ୍ରଗିରିରେ ଶ୍ରୀ ପାଷାଣଜଗନ୍ନାଥଙ୍କ ଯାତ୍ରା ସମାପନ ହୋଇଯିବା ଏକ ବିରଳ ନିଆରା ପରମ୍ପରା ଅଟେ । ଏହି ପରମ୍ପରା କେବଳ ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ପର୍ବତରେ ପାଳନ ହୋଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ