ଶ୍ରୀଜୟଦେବ ଜୟନ୍ତୀ ନିମନ୍ତେ ପ୍ରସ୍ତୁତି ଶେଷ , ମେ ୧୦ ତାରିଖରୁ ତ୍ରିଦିବସୀୟ ଜୟନ୍ତୀ ସମାରୋହ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ଆସନ୍ତା ମେ ୧୦ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ପୁରାଣ ପ୍ରସିଦ୍ଧ ଚନ୍ଦ୍ରଭାଗା ସ୍ଥିତ ଶ୍ରୀଜୟଦେବ ବାଟିକା ଠାରେ ତ୍ରିଦିବସୀୟ ଶ୍ରୀ ଜୟଦେବ ଜୟନ୍ତୀ ସମାରୋହ ଅନୁଷ୍ଠିତ ହେବ। ଏଥିପାଇଁ ସୋମବାର ସଂଧ୍ୟାରେ କୋଣାର୍କ ନାଟ୍ୟ ମଣ୍ଡପ ପରିସରରେ ଶ୍ରୀଜୟଦେବ ଜୟନ୍ତୀ କମିଟି ପକ୍ଷରୁ ଚୁଡାନ୍ତ ପ୍ରସ୍ତୁତି ବୈଠକ ପଦ୍ମଶ୍ରୀ ସ୍ୱର୍ଗତ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ନାଟ୍ୟ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଜୟଦେବ ଜୟନ୍ତୀ ଉତ୍ସବ ପାଳନର ପ୍ରତିଷ୍ଠାତା ସଦସ୍ୟ ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ବୈଠକରେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ଓ ବୁଦ୍ଧିଜୀବିମାନେ ଯୋଗଦେଇ ଉତ୍ସବ ପାଳନର ରୂପରେଖ ପ୍ରସ୍ତୁତି ଉପରେ ରୂପରେଖ ଚୂଡ଼ାନ୍ତ କରାଯାଇଛି । ଏହି ପରିପ୍ରେକ୍ଷୀରେ ମେ ୧୦ ତାରିଖ ଠାରୁ ୧୨ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ଶ୍ରୀଜୟଦେବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ପ୍ରତି ସଂଧ୍ୟାରେ ନାମ ସଂକୀର୍ତ୍ତନ କାର୍ଯ୍ୟକ୍ରମ , ଶ୍ରୀଜଗନ୍ନାଥ ଓ ଶ୍ରୀଜୟଦେବଙ୍କ ପୂଜାର୍ଚ୍ଚନା ସହିତ ଜୟଦେବ ସଂଗୀତ ଗାନ କାର୍ଯ୍ୟକ୍ରମ ଆୟୋଜନ କରାଯିବା ନେଇ କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହି ଚୁଡାନ୍ତ ପ୍ରସ୍ତୁତି ବୈଠକରେ ଶ୍ରୀଜୟଦେବ ଜୟନ୍ତୀ କମିଟିର ସଂପାଦକ ରବୀନ୍ଦ୍ରନାଥ ବାହିନୀପତି, ସଭ୍ୟ ଶତ୍ରୁଜିତ ନାୟକ, ଅଜୟ ବେହେରା, ସଂଜୟ କୁମାର ରାଉତରାୟ ଓ ଶିକ୍ଷାବିତ ଶୁଭ୍ରଜିତ ମହାପାତ୍ର ସମେତ କମିଟିର ସଭ୍ୟ ମାନେ ଉପସ୍ଥିତ ଥିଲେ ।