ଶ୍ରୀ ଜୀଉଙ୍କ ଦେବସ୍ନାନ ପୂର୍ଣ୍ଣିମା ଓ ଗଜାନନ ବେଶ
ଆସିକା (ୱାଇଏନ୍ଏସ୍) :ରଥଯାତ୍ରାର ଆଦ୍ୟପର୍ବ ହେଉଛି ମହାପ୍ରଭୁଙ୍କ ସ୍ନାନଯାତ୍ରା। ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ସୋମବାର ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଅବସରରେ ଜଗନ୍ନାଥ ମନ୍ଦିର ଗୁଡିକରେ ଭକ୍ତଙ୍କ ଗହଳି ଲାଗି ରହିଥିଲା । ଆସିକା ସହରର ସୁନାମ୍ବ ସାହି ଜଗନ୍ନାଥ ମନ୍ଦିର, ଖମ୍ବେଶ୍ୱରୀ ପାଟଣା ଜଗନ୍ନାଥ ମନ୍ଦିର, ବଜାର ସାହି ଜଗନ୍ନାଥ ମନ୍ଦିର, ଚିନିଶିଳ୍ପ ନୂଆଗାଁ ଜଗନ୍ନାଥ ମନ୍ଦିର, କାଳଷଣ୍ଢପୁର ଜଗନ୍ନାଥ ମନ୍ଦିର ସମେତ ଆଖପାଖ ସମସ୍ତ ଜଗନ୍ନାଥ ମନ୍ଦିର ଗୁଡିକରେ ଦେବସ୍ନାନ ପୂର୍ଣ୍ଣିମା ଅବସରରେ ମନ୍ଦିର ପରିବେଶ ହରିବୋଲ ଓ ହୁଳହୁଳି ଧ୍ୱନିରେ ପ୍ରକମ୍ପିତ ହୋଇ ପଡିଥିଲା । ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ରତ୍ନ ବେଦୀରେ ପୂଜିତ ଚତୁର୍ଦ୍ଧା ବିଗ୍ରହଙ୍କୁ ସ୍ନାନ ବେଦୀରେ ଦର୍ଶନ ଲାଗି ଭକ୍ତଙ୍କ ମଧ୍ୟରେ ଉତ୍ସୁକତା ଲାଗି ରହିଥିଲା । ମହାପ୍ରଭୁଙ୍କ ପବିତ୍ର ସ୍ନାନ ଯାତ୍ରା ସହିତ ସ୍ନାନ ବେଦୀରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ହାତୀ ବେଶରେ ଦର୍ଶନ କରିବାକୁ ଭକ୍ତଙ୍କ ମଧ୍ୟରେ ଥିଲା ପ୍ରବଳ ଉତ୍କଣ୍ଠା । ସୋମବାର ପୂର୍ବାହ୍ନରେ ରୀତିନୀତି ତଥା ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା ପରେ ଧାଡିପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ଅଣା ଯାଇ ସ୍ନାନ ବେଦୀରେ ଅଧିଷ୍ଠିତ କରାଯାଇଥିଲା । ଚତୁର୍ଦ୍ଧାମୂର୍ତ୍ତର୍ୀଙ୍କ ପହଣ୍ଡି ବିଜେର ଦୃଶ୍ୟ ଦେଖି ସମବେତ ଭକ୍ତମାନେ ଭାବ ବିହ୍ୱଳ ହୋଇ ପଡିଥିଲେ । ୧୦୮ ଗରା ସୁବାସିତ ଜଳରେ ଦିଅଁ ମାନଙ୍କୁ ସ୍ନାନ କରାଯିବା ପରେ ନବବସ୍ତ୍ର ପରିଧାନ କରାଯାଇ ଗଜାନନ ବା ହାତୀ ବେଶରେ ସଜ୍ଜିତ କରାଯାଇଥିଲା । କାଳିଆ ସାଆନ୍ତଙ୍କ ଦିବ୍ୟ ଦର୍ଶନରେ ଭକ୍ତ ଭାବବିହ୍ୱଳ ହୋଇପଡିଥିବା ଦେଖିବାକୁ ମିଳିଥିଲା । ଆସିକା ସମବାୟ ଚିନିଶିଳ୍ପ ନୂଆଗାଁ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରେ ଶ୍ରୀ ଜଗନ୍ନାଥ ସଂସ୍ଥାପନ ସମିତିର ସଭାପତି ତଥା ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡା, ଶିଳ୍ପାନୁଷ୍ଠାନର ସଂପାଦକ ତଥା ଶ୍ରୀ ଜଗନ୍ନାଥ ସଂସ୍ଥାପନ ସମିତିର ଉପସଭାପତି ସନ୍ତୋଷ କୁମାର ମଲିକ ଓ କାର୍ଯ୍ୟକାରୀ ସଭାପତି ପ୍ରଶାନ୍ତ କୁମାର କର, କୋଷାଧ୍ୟକ୍ଷ ସୁଜିତ୍ କୁମାର ପୃଷ୍ଟି, ଉପକୋଷାଧ୍ୟକ୍ଷ ବାସୁଦେବ ସ୍ୱାଇଁ, ସଦସ୍ୟ ତଥା ଆଧ୍ୟାତ୍ମିକପ୍ରେମୀ ଦିଲୀପ କୁମାର ସ୍ୱାଇଁ, ଇଂ ଅରୁଣ କୁମାର ପାତ୍ର, ଅକ୍ଷୟ କୁମାର ସ୍ୱାଇଁ, ଚିତ୍ତ ଚିନ୍ମୟ ରଂଜନ ନାୟକ, ଶ୍ରୀନିବାସ ମହାପାତ୍ର, କେଦାରନାଥ ସାହୁ, ଶ୍ରୀପଲ୍ଲୀ ସୁନ୍ଦର ଦାଶ, ରାମପ୍ରସାଦ ଶତପଥୀ, ବାଇଧର ନାୟକ, ଦାମୋଦର ସିୟ, ଲମ୍ବୋଦର ସାବତ, ଜୟରାମ ଯାଦବ, ଅନିଲ୍ କୁମାର ଦାଶ, କୃଷ୍ଣଚନ୍ଦ୍ର ଲେଙ୍କା, ବଳରାମ ସୁବୁଦ୍ଧି, ଜଗଦିଶ ପାତ୍ର, ଦିଲୀପ କୁମାର ଗୌଡଙ୍କ ସମେତ ସମବାୟ ଚିନିଶିଳ୍ପର ବହୁ କର୍ମଚାରୀ ଓ ସ୍ଥାନୀୟ ଅଞ୍ଚଳର ଶ୍ରଦ୍ଧାଳୁ ଭକ୍ତ ଉପସ୍ଥିତରେ ବ୍ରହ୍ମାଣ୍ଡେଶ୍ୱରଙ୍କ ଦେବସ୍ନାନ ପୂର୍ଣ୍ଣିମା ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପାଳିତ ହୋଇଥିବା ଲକ୍ଷ୍ୟ କରାଯାଇଥିଲା । ସ୍ନାନ ବେଦୀରେ ଚତୁର୍ଦ୍ଧାମୂର୍ତ୍ତୀ ୧୦୮ ଶୀତଳ ସୁବାସିତ ଜଳ, ଚନ୍ଦନ କର୍ପୁର, କସ୍ତୁରୀ ଇତ୍ୟାଦିରେ ସ୍ନାନ କରିବା କାରଣରୁ ଜ୍ୱରରେ ପୀଡିତ ହୋଇଥାନ୍ତି । ଅଣସର ଗୃହରେ ବୈଦ୍ୟରାଜ ୧୦ ପ୍ରକାରର ଚେର ମୂଳୀରେ ପ୍ରସ୍ତୁତି ଔଷଧ ଦେଇଥାନ୍ତି । ଜ୍ୱର ଭଲ ହେବା ପରେ ଦେବସ୍ନାନ ପୂର୍ଣ୍ଣମାଠାରୁ ୧୫ଦିନ ପରେ ଅର୍ଥାତ୍ ଆସନ୍ତା ଜୁଲାଇ ମାସ ୧୬ ତାରିଖ ଗୁରବାର ଦିନ ଶ୍ରୀ ଗୁଣ୍ଡିଚା ଯାତ୍ରାରେ ପହଣ୍ଡି ବିଜେରେ ରଥାରୁଢ ହୋଇ ଚତୁର୍ଦ୍ଧାମୂର୍ତ୍ତୀ ପୁଣି ଭକ୍ତମାନଙ୍କୁ ଦର୍ଶନ ଦେବେ ବୋଲି ଜଣାପଡିଛି । ଚିନିଶିଳ୍ପ ନୂଆଗାଁ ସ୍ଥିତ ଜଗନ୍ନାଥ ମନ୍ଦିରର ମୂଖ୍ୟ ପୂଜକ ଲମ୍ବୋଦର ପଣ୍ଡା ଓ ଶରତ ଚନ୍ଦ୍ର ଦାଶଙ୍କ ଉପସ୍ଥିତିରେ ଉକ୍ତ ମନ୍ଦିରରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଥିଲା ବେଳେ ମହାପ୍ରଭୁଙ୍କ ପବିତ୍ର ଗଜାନନ ବେଶ ଦେଖିବା ଲାଗି ଆସିକା ତଥା ଏହାର ଆଖପାଖ ଅଞ୍ଚଳ ଗୁଡିକରେ ଥିବା ଜଗନ୍ନାଥ ମନ୍ଦିର ଗୁଡିକ ଲୋକାରଣ୍ୟ ହୋଇ ପଡିଥିବା ଲକ୍ଷ୍ୟ କରାଯାଇଥିଲା । ସେହିଭଳି ଆସିକା ପୌର ପରିଷଦ ଅଧିନସ୍ଥ ସୁନାମ୍ବ ସାହି ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ମନ୍ଦିର ଟ୍ରଷ୍ଟି ନାରାୟଣ ମୁନୀ, ପୂଜକ ନୀଳମାଧବ ଦାଶ, ସୁରେନ୍ଦ୍ରନାଥ ଦାଶ, ଉପେନ୍ଦ୍ରନାଥ ଦାଶ, ଜିତେନ୍ଦ୍ର କୁମାର ଦାଶ, କାହ୍ନୁଚରଣ ପଣ୍ଡା, ମନୋଜ କୁମାର ପଣ୍ଡା, ନୀଳମାଧବ ପଣ୍ଡା, ରବିନ୍ଦ୍ର କୁମାର ଦାଶ, ରଂଜିତ୍ କୁମାର ଦାଶ, କୈଳାଶ ଚରଣ ଦାଶ ପ୍ରମୁଖ ଉପସ୍ଥିତ ରହି ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମାକୁ ସୁପରିଚାଳନା କରିବା ଦିଗରେ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା। ଆଷାଢ ମାସ ପୂର୍ଣ୍ଣିମା ତିଥିକୁ ଦେବସ୍ନାନ ପୂର୍ଣ୍ଣିମା ଭାବେ ପାଳନ କରାଯାଇଥାଏ । ପରମ୍ପରା ଅନୁଯାୟୀ ଚତୁର୍ଦ୍ଧା ବିଗ୍ରହମାନେ ବର୍ଷରେ ଏହି ଗୋଟିଏ ଦିନ ପ୍ରତ୍ୟେକ୍ଷ ସ୍ନାନ କରିଥାନ୍ତି । ତେଣୁ ଉକ୍ତ ଦିନକୁ ସ୍ନାନଯାତ୍ରା ବୋଲି କୁହାଯାଇଥାଏ । ଶ୍ରଦ୍ଧାଳୁ ଭକ୍ତମାନେ ବିଶ୍ୱନିୟନ୍ତାଙ୍କ ଗଜାନନ ବେଶ ଦର୍ଶନ କରି ବିମୋହିତ ହୋଇପଡିଥିବା ଦେଖିବାକୁ ମିଳିଥିଲା । (ଫଟୋ ଯାଇଛି) (ଫଟୋ ଜରୁରୀ)


